ସହିଦ ସମ୍ପର୍କୀୟଙ୍କୁ ଧକ୍କା ମାରିବା ଘଟଣା : ବିଧାୟକଙ୍କ ନାଁରେ ଥାନାରେ ଅଭିଯୋଗ

ଭୁବନେଶ୍ବର : ଜମ୍ମୁ-କାଶ୍ମୀର ପୁଲ୍‌ୱାମା ସହିଦ ମନୋଜ ବେହେରାଙ୍କ ସମ୍ପର୍କୀୟଙ୍କୁ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ମାରିଥିବା ବେକିଆ ମାମଲାକୁ ନେଇ ଶୁକ୍ରବାର ଖଣ୍ଡଗିରି ଥାନାରେ ଏକ ଅଭିଯୋଗ ହୋଇଛି। ଏ ନେଇ ସୁବାସ ମହାପାତ୍ର ନାମକ ଜଣେ ବ୍ୟକ୍ତି ମେଲ୍‌ ଯୋଗେ ନିଜ ଅଭିଯୋଗକୁ ପଞ୍ଜୀକରଣ କରାଇଛନ୍ତି। ଏଥିରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟକ ଦେବାଶିଷଙ୍କୁ ଅଭିଯୁକ୍ତ ଦର୍ଶାଇ ଗିରଫ କରିବାକୁ ଦାବି କରିବା ସହ ସହିଦଙ୍କ ସମ୍ପର୍କୀୟଙ୍କ ପରିବାରର ଓ ନିଜର ସୁରକ୍ଷା ଲୋଡ଼ିଛନ୍ତି। ସୁବାସ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଗତ ୧୬ ତାରିଖ ଦିନ ସହିଦ ମନୋଜଙ୍କ ଶେଷକୃତ୍ୟ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ବିଧାୟକ ଶ୍ରୀ ସାମନ୍ତରାୟ ମନୋଜଙ୍କ ସମ୍ପର୍କୀୟଙ୍କୁ ଧକ୍କା ମାରି ତଳେ ବସାଇ ଦେଇଥିଲେ। ଏହି ଦୃଶ୍ୟର ଫୁଟେଜ୍ ଭାଇରାଲ୍‌ ହୋଇ ପାକିସ୍ତାନ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଫଳରେ ବିଧାୟକଙ୍କ ଏହି କାଣ୍ଡ ଧାରା ୧୨୪ (ଏ) ଅନୁସାରେ କେନ୍ଦ୍ର ସରକାରଙ୍କ ସମ୍ମାନରେ ଆଞ୍ଚ ଆଣିଛି। ସେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ବିଟ୍‌ କରି ଜଣାଇଥିଲେ ବି ବିଧାୟକଙ୍କ ବିରୋଧରେ ସେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ। ତେଣୁ ଏହି ମାମଲାରେ ସୁବାସ ଉଭୟ ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କୁ ଆଣ୍ଟି ନେସନାଲ୍‌ ବୋଲି ଅଭିହିତ କରି ଉପରୋକ୍ତ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର