+୨ ପରୀକ୍ଷାରୁ ୩୬୦ ଛାତ୍ରଛାତ୍ରୀ ବଞ୍ଚିତ, କଲେଜ କର୍ତ୍ତୃପକ୍ଷଙ୍କ ନାଁରେ ଏତଲା

ସ୍ବୀକୃତି ନ ଥାଇ ପାଠପଢା

ରାଜଗାଙ୍ଗପୁର : ରାଜଗାଙ୍ଗପୁର ନିକଟସ୍ଥ ଲମଲୋଇ ଗ୍ରାମରେ ଥିବା କଲାମ ମେମୋରିଆଲ ଆଇଡିଆଲ୍‌ କଲେଜର ୩୬୦ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ +୨ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ଏହାର ପ୍ରତିବାଦରେ ଆଜି ଛାତ୍ରଛାତ୍ରୀମାନେ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି।

କଲାମ ମେମୋରିଆଲ ଆଇଡିଆଲ୍‌ କଲେଜ ସ୍ବୀକୃତି ପାଇ ନଥିଲେ ବି +୨ କଳାରେ ୧୮୦ ଜଣ ଓ ବାଣିଜ୍ୟରେ ୧୮୦ ଜଣ ଛାତ୍ରଛାତ୍ରୀଙ୍କ ନାମ ଲେଖାଇଥିଲେ। ବାର୍ଷିକ ୯ ହଜାର ଟଙ୍କା ଟିଉସନ ଫି ବାବଦରେ ଦୁଇ ବର୍ଷରେ ୧୮ ହଜାର ଟଙ୍କା ଲେଖାଏଁ ପିଲାଙ୍କ ଠାରୁ ଆଦାୟ କରାଯାଇଥିଲା। ଚଳିତ ବର୍ଷ ପରୀକ୍ଷା ଦେବା ବାବଦରେ ଛାତ୍ରଛାତ୍ରୀଙ୍କ ଠାରୁ ଅଧିକ ୨,୦୦୦ ଟଙ୍କା ଅସୁଲ କରାଯାଇଥିଲା। କିନ୍ତୁ ଓଡ଼ିଶା ସରକାରଙ୍କ ଦ୍ବାରା ପରିଚାଳିତ +୨ ପରୀକ୍ଷାରୁ ଛାତ୍ରଛାତ୍ରୀ ବଞ୍ଚିତ ହୋଇଥିଲେ। ଏ ସମ୍ପର୍କରେ ଛାତ୍ରଛାତ୍ରୀ ଓ ଅଭିଭାବକ ପ୍ରଶ୍ନ କରିବାରୁ ବିହାର ସରକାରଙ୍କ ଦ୍ବାରା ପରିଚାଳିତ +୨ ପରୀକ୍ଷା ଅନୁସାରେ ପରୀକ୍ଷା ‌ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଏବେ ଏହି ସମୟସୀମା ଅତିକ୍ରମ କରି ଯାଇଛି। ଫଳରେ ବାଧ୍ୟ ହୋଇ ଆଜି ଛାତ୍ରଛାତ୍ରୀମାନେ ରାଜଗାଙ୍ଗପୁର ଥାନାରେ ଏତଲା ଦେଇଛନ୍ତି।। କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳୁଥିବାରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେମାନେ ଏତଲାରେ ଦର୍ଶାଇଛନ୍ତି। ଏ ସମ୍ପର୍କରେ କଲେଜ ଚେଆର୍‌ମ୍ୟାନଙ୍କ ସହ ଯୋଗାଯୋଗ କରାଯିବାରେ ପରୀକ୍ଷା ପାଇଁ କଲେଜକୁ ସ୍ବୀକୃତି ମିଳି ନଥିବା ସେ ସ୍ବୀକାର କରିଛନ୍ତି।

ସମ୍ବନ୍ଧିତ ଖବର