ଶିଶୁର ଅଣ୍ଟାରେ ଛୁଞ୍ଚି ରହିବା ଘଟଣା: ନର୍ସଙ୍କ ବିରୋଧରେ ଥାନାରେ ଏତଲା

ବନ୍ତଳା : ପ୍ରଥମ ଥର ଇଞ୍ଜେକ୍ସନ୍‌ ନେବାରେ ବିଫଳ ହେବା ପରେ ବଙ୍କା ଛୁଞ୍ଚିକୁ ସିଧା କରି ଦ୍ବିତୀୟ ଥର ପିଚାରେ ଫୋଡ଼ିବା ପରେ ଦୁର୍ବଳ ଛୁଞ୍ଚିଟି ପିଚା ଭିତରେ ରହିଗଲା। ଫଳରେ ଶିଶୁର ଅଣ୍ଟାରୁ ଛୁଞ୍ଚିଟିକୁ ବାହାର କରିବାକୁ କଟକ ଓ ଭୁୂବନେଶ୍ବରର ବିଭିନ୍ନ ଡାକ୍ତରଖାନାକୁ ନେଇ ନେଇ ପରିବାର ଏବେ ନୟାନ୍ତ। ଶେଷରେ ଆଜି ବନ୍ତଳା ଥାନାରେ ଶିଶୁର ବାପା ସ˚ପୃକ୍ତ ନର୍ସଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଅନୁଗୁଳ ବ୍ଲକ୍‌ ଗଡ଼ତରାସ ଗାଁର ନିରାକାର ବେହେରାଙ୍କ ୪ ବର୍ଷର ପୁଅ ଶୁଭଙ୍କର ଗତ ମାସ ୨୫ ତାରିଖ ଦିନ ଖେଳୁଥିବା ବେଳେ ପଡ଼ିଯାଇଥିଲା। ପୁଅର ଚିକିତ୍ସା ପାଇଁ ପରିବାର ଲୋକେ ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ଡ୍ୟୁଟିରେ ଥିବା ଷ୍ଟାଫ୍‌ ନର୍ସ ଶିଶୁକୁ ଇଞ୍ଜେକ୍ସନ୍‌ ଫୋଡ଼ିଥିଲେ। କିନ୍ତୁ ଅସାବଧାନତା ଯୋଗୁଁ ପ୍ରଥମ ଥର ଛୁଞ୍ଚିଟି ବଙ୍କା ହୋଇଯିବାରୁ ତାକୁ ପୁଣି ଥରେ ସିଧାକରି ଶିଶୁର ଅଣ୍ଟାରେ ଦେବାବେଳେ ଛୁଞ୍ଚିଟି ରହିଯାଇଥିଲା। ଛୁଞ୍ଚିଟିକୁ ବାହାର କରିବାକୁ ଅନୁଗୁଳ ଜିଲ୍ଲା ଡାକ୍ତରଖାନା, କଟକ, ଶିଶୁ ଭବନ, କଟକ ବଡ଼ ମେଡିକାଲ୍‌ ଓ ଭୁବନେଶ୍ବର ଏମ୍‌ସକୁ ପରିବାର ଲୋକେ ନେଇଥିଲେ। ସବୁଠାରୁ ସେମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଏଭଳି ସ୍ଥିତିରେ ଶିଶୁର ବାପା ନିରାକାର ଆଜି ବନ୍ତଳା ଥାନାରେ ଇଞ୍ଜେକସନ ଦେଇଥିବା ଷ୍ଟାଫ୍‌ ନର୍ସଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ମିଳିବା ପରେ ତଦନ୍ତ ଆରମ୍ଭ କରିଥିବା ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର