ସୁନ୍ଦରଗଡ଼ : ଜୁଲାଇ ୪ ତାରିଖରେ ଏକ ଦୁର୍ଘଟଣାଜନିତ ମୃତ୍ୟୁକୁ ନେଇ ସଂଘଟିତ କନିକା ବିଟ୍ ହାଉସ୍ ଆକ୍ରମଣ ଓ ପରବର୍ତ୍ତୀ ଘଟଣାକ୍ରମରେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଏସ୍ପି ସୌମ୍ୟା ମିଶ୍ରଙ୍କ ନେତୃତ୍ବରେ ପୁଲିସ କନିକା ଗ୍ରାମରେ ରାତିଅଧିଆ ଚଢ଼ଉ ଘଟଣା କ୍ରମେ ଭିନ୍ନ ମୋଡ଼ ନେବାରେ ଲାଗିଛି। ଏସ୍ପିଙ୍କ ବିରୋଧରେ ଆସିଥିବା ସଂଗୀନ ଅଭିଯୋଗକ୍ରମେ ସୁନ୍ଦରଗଡ଼ ଏସ୍ଡିଜେଏମ୍ଙ୍କ ଆଦେଶରେ ହେମଗିର ଥାନାରେ ପୃଥକ ପୃଥକ ଦୁଇଟି ମାମଲା ରୁଜୁ ହୋଇଛି। ତେବେ କନିକା ଗ୍ରାମର ପ୍ରିୟା ଦେ ନାମ୍ନୀ ଜଣେ ମହିଳାଙ୍କ ଅଭିଯୋଗ ଏସ୍ପିଙ୍କୁ ଅଡ଼ୁଆରେ ପକାଇଛି। କନିକା ଗ୍ରାମରେ ୪ ତାରିଖରେ ପୁଲିସର ରାତି ଅଧିଆ ଚଢ଼ଉ ବେଳେ ପ୍ରିୟା ଦେଙ୍କ ଘରେ ଏସ୍ପି ଶ୍ରୀମତୀ ମିଶ୍ର ଜବରଦସ୍ତ ପଶି ତାଙ୍କ ସ୍ବାମୀ ଉତ୍ତମ ଦେ କୁଆଡ଼େ ଗଲା କହି ପ୍ରିୟାଙ୍କୁ ମାଡ଼ପିଟ କରିଥିବା ଓ ଅନ୍ତଃସତ୍ତ୍ବା ଥିଲେ ବି ତାଙ୍କ ପେଟକୁ ଗୋଇଠା ମାରିବାରୁ ଯନ୍ତ୍ରଣା ପାଇ ପରବର୍ତ୍ତୀ ସମୟରେ ତାଙ୍କ ଗର୍ଭପାତ ହୋଇଯାଇଥିବା ସେ ଅଦାଲତରେ ଅଭିଯୋଗ ଦାଖଲ କରିଥିଲେ। ଯାହାକୁ ଅଦାଲତ ଗ୍ରହଣ କରି ମାମଲା ରୁଜୁ କରିବାକୁ ଥାନାକୁ ଆଦେଶ ଦେଇଥିଲେ। ଜଣେ ମହିଳା ଏସ୍ପିଙ୍କ ମାଡ଼ରେ ଜଣେ ସାଧାରଣ ମହିଳାଙ୍କ ଗର୍ଭପାତ ପରି ସମ୍ବେଦନଶୀଳ ଖବରଟି 'ସମ୍ବାଦ'ରେ ଖବର ପ୍ରକାଶ ପାଇବା ପରେ ହଇଚଇ ଖେଳି ଯାଇଥିଲା। ଏବେ ମାମଲାଟି ଜାତୀୟ ମାନବିକ ଅଧିକାର ଅୟୋଗଙ୍କ ଇଜଲାସ୍ରେ ପହଞ୍ଚିଛି। ‘ସମ୍ବାଦ’ର ଖବରକୁ ଉଲ୍ଲେଖ କରି ଅନୁଗୁଳ କନ୍ୟାବେଡା ନାଲକୋନଗର ମାନବିକ ଅଧିକାର କର୍ମୀ ସୁଜିତ ସାହୁ ଗତ ୧୭ ତାରିଖରେ ଆୟୋଗ ନିକଟରେ ଅଭିଯୋଗ କରିବା ସହ ସମ୍ପୃକ୍ତ ପୀଡ଼ିତାଙ୍କୁ ୩ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା, ମାମଲାର ନ୍ୟାୟିକ ତଦନ୍ତ ପାଇଁ ସେ ଆବେଦନ କରିଛନ୍ତି। ଥାନାରେ ଦୁଇଟି ମାମଲା ରୁଜୁ ହେବା ପରେ ମାନବିକ ଅଧିକାର ଆୟୋଗରେ ମାମଲା ପହଞ୍ଚିବା ଏସ୍ପିଙ୍କ ଅଡ଼ୁଆରେ ପକାଇଛି। ପ୍ରିୟା ଦେ ଏସ୍ଡିଜେଏମ୍ଙ୍କ କୋର୍ଟରେ ଗତ ଅଗଷ୍ଟ ୫ରେ ଦାଖଲ କରିଥିବା ଅଭିଯୋଗ ଅନୁସାରେ, ଗତ ଜୁଲାଇ ୪ ତାରିଖ ରାତିରେ ପ୍ରିୟା ଦେ ତାଙ୍କ ୪ ବର୍ଷର ଝିଅ ସହ ଶୋଇଥିବା ବେଳେ ଏସ୍ପି ସୌମ୍ୟା ମିଶ୍ର ପୁଲିସ ଫୋର୍ସ ସହ ଜବରଦସ୍ତ ତାଙ୍କ ଘରେ ପଶି ପୀଡ଼ିତାଙ୍କ ସ୍ବାମୀ ଉତ୍ତମ ଦେ କୁଆଡ଼େ ଗଲା ବୋଲି ପଚାରି ତାଙ୍କୁ ମାଡ଼ପିଟ କରିଥିଲେ। ତାକୁ ବିଧବା କରିଦେବି କହି ରୋଷେଇ ଘରେ ଥିବା ବେଲଣା ଉଠାଇ ବେକରେ ଚାପି ଧରିଥିଲେ। ଏହା ପରେ କୁଆଡ଼େ ତାଙ୍କ ପେଟକୁ ନାତ ମାରିଥିଲେ। ସେ ଅନ୍ତଃସତ୍ତ୍ବା ଥିବା ବେଳେ ଏସ୍ପିଙ୍କ ମାଡ଼ ଯୋଗୁଁ ପେଟରେ ଯନ୍ତ୍ରଣା ହେବା ସହ ପରବର୍ତ୍ତୀ ସମୟରେ ତାଙ୍କ ଗର୍ଭପାତ ହୋଇଯାଇଥିଲା । କୋର୍ଟ ପ୍ରିୟା ଦେଙ୍କ ଅଭିଯୋଗକୁ ଗ୍ରହଣ କରି ମାମଲା ରୁଜୁ କରିବାକୁ ହେମଗିର ଥାନାକୁ ଆଦେଶ ଦେବା ପରେ ଏସ୍ପିଙ୍କ ନାମରେ ଗତ ୧୪ ତାରିଖରେ ଭାରତୀୟ ଦଣ୍ଡବିଧି ଧାରା ୪୨୭, ୩୪୧, ୫୦୬, ୪୫୭, ୩୨୩, ୨୯୪, ୩୪୨, ୩୧୩, ୧୬୬, ୧୬୭, ୫୦୩, ୫୦୪ରେ ମାମଲା ରୁଜୁ କରାଯାଇଛି। ଆସନ୍ତା ଡିସେମ୍ବର ୩ ତାରିଖରେ ମାମଲାର ଚୁଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ କୋର୍ଟ ଆଦେଶ କରିଛନ୍ତି। ପୂର୍ବରୁ କନିକାର ବରିଷ୍ଠ ନାଗରିକ ଦିଲୀପ ପଟ୍ଟନାୟକଙ୍କ ଅଭିଯୋଗକ୍ରମେ ଗତ ଜୁଲାଇ ୨୫ରେ ଏସ୍ପିଙ୍କ ନାମରେ ମାମଲା ରୁଜୁ ହୋଇଥିଲା।
କନିକା ବିଟ୍ ହାଉସ୍ ଆକ୍ରମଣ ମାମଲାର ଭିନ୍ନ ମୋଡ଼ : ସୁନ୍ଦରଗଡ଼ ଏସ୍ପିଙ୍କ ନାଁରେ ଦୁଇଟି ମାମଲା
ଜାତୀୟ ମାନବିକ ଅଧିକାର ଆୟୋଗରେ ଅଭିଯୋଗ
/sambad/media/post_attachments/wp-content/uploads/2019/08/SNG-SP-750x430-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)