କେନ୍ଦ୍ରାପଡ଼ା ଟାଉନ ଥାନାରେ ସାଂସଦ ବୈଜୟନ୍ତଙ୍କ ବିରୋଧରେ ମାମଲା ରୁଜୁ ହେଲା

କେନ୍ଦ୍ରାପଡ଼ା/ଭୁବନେଶ୍ୱର : ମିଥ୍ୟା ସତ୍ୟପାଠ ମାମଲାରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ କେନ୍ଦ୍ରାପଡ଼ା ଟାଉନ୍‌ ଥାନାରେ ମାମଲା ରୁଜୁ ହୋଇଛି। ଅାଇପିସି ଧାରା ୪୧୯ ଓ ୪୨୦ ଅନ୍ତର୍ଗତ ରୁଜୁ ହୋଇଥିବା ମାମଲାର ତଦନ୍ତ ଟାଉନ ଥାନା ଅାଇଅାଇସି କରିବେ।  ବୁଧବାର କେନ୍ଦ୍ରାପଡା ଏସଡିଡିଜେଏମ୍‌ଙ୍କ କୋର୍ଟରେ ବୈଜୟନ୍ତଙ୍କ ବିରୋଧରେ ଆଗତ ମିଥ୍ୟା ସତ୍ୟପାଠ ମାମଲାର ଶୁଣାଣି କରି ମାଜିଷ୍ଟ୍ରେଟ୍‌ ନିହାର ରଞ୍ଜନ ସାହୁ ଏହି ନିର୍ଦ୍ଦେଶ ଦେଇଥିଲେ । କେବଳ ସେତିକି ନୁହେଁ, ଶ୍ରୀ ପଣ୍ଡାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି, ତାହାର ତଦନ୍ତ କରି ଜୁଲାଇ ୨୫ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ପୁଲିସକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ପୂର୍ବରୁ ତାଙ୍କ ବିରୋଧରେ ଏକ ମିଥ୍ୟା ସତ୍ୟପାଠ ମାମଲା ବିଚାରାଧୀନ ଥିବା ବେଳେ ଗତକାଲି ଆଉ ଏକ ମାମଲା ରୁଜୁ ହୋଇଥିଲା।

Update Odisha

ମିଳିଥିବା ଖବର ମୁତାବକ, କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଉଦୟନଗର ଗ୍ରାମର ଫକିର ମୋହନ ଦାସଙ୍କ ପୁଅ ଦିଲୀପ କୁମାର ଦାସ ସାଂସଦ ଶ୍ରୀ ପଣ୍ଡାଙ୍କ ବିରୋଧରେ ଏସ୍‌ଡିଜେଏମଙ୍କ କୋର୍ଟରେ ଅଭିଯୋଗ ଦାଏର କରିଥିଲେ। ୨୦୧୪ ଲୋକସଭା ନିର୍ବାଚନ ବେଳେ ସାଂସଦ ଶ୍ରୀ ପଣ୍ଡା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ନିକଟରେ ମନୋନୟନପତ୍ର ଦାଖଲ ବେଳେ ମିଥ୍ୟା ତଥ୍ୟ ପ୍ରଦାନ କରିଥିବା ସେ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ। ଶ୍ରୀ ଦାସଙ୍କ ଅଭିଯୋଗ ଅନୁଯାୟୀ ସାଂସଦ ଶ୍ରୀ ପଣ୍ଡା ୨୦୧୪ ମାର୍ଚ୍ଚ ୨୬ ତାରିଖରେ ଦାଖଲ କରିଥିବା ସତ୍ୟପାଠରେ ନିଜକୁ ଜଣେ ସମାଜସେବୀ ଭାବେ ଦର୍ଶାଇଥିଲେ। ହେଲେ ଶ୍ରୀ ପଣ୍ଡା ଇମ୍ଫା କମ୍ପାନିର ଉପସଭାପତି ପଦରେ ରହି କୋଟି କୋଟି ଟଙ୍କା ଦରମା ନେଇଥିବା ସଂପର୍କରେ କେତେକ ଗଣମାଧ୍ୟମରୁ ଜଣାପଡ଼ିଥିଲା। ଏଭଳି ମିଛ ସତ୍ୟପାଠ ଦେଇଥିବାରୁ ଶ୍ରୀ ପଣ୍ଡାଙ୍କର ସାଂସଦ ପଦ ରଦ୍ଦ ପାଇଁ ଶ୍ରୀ ଦାସ ଅଦାଲତଙ୍କୁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର