ଶ୍ରୀମନ୍ଦିର ଭଣ୍ଡାର ଚାବି ନେଇ ପୁରୀ ଜିଲ୍ଲାପାଳଙ୍କ ନାଁରେ ଏସ୍‌ଡିଜେଏମ୍‌ କୋର୍ଟରେ ମାମଲା

ପୁରୀ: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ନେଇ ସୋମବାର ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲଙ୍କ ନାଁରେ ମାମଲା ରୁଜୁ ହୋଇଛି। ଭଣ୍ଡାର ଚାବି ନେଇ ଜିଲ୍ଲାପାଳ ବିଭ୍ରାନ୍ତିକର ତଥ୍ୟ ଦେଇଥିବାରୁ ଚିନ୍ମୟ ଦାଶ ନାମକ ଜଣେ ବ୍ୟକ୍ତି ମାମଲା ଦାୟର କରିଛନ୍ତି। ଆସନ୍ତା ସୋମବାର ପୁରୀ ଏସଡିଜେଏମ୍‌ କୋର୍ଟରେ ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।

ସୂଚନାଯୋଗ୍ୟ ଗତ ଜୁନ ୧୩ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ମିଳିବା ହେଉଛି ଭଗବାନଙ୍କର ଏକ ଚମତ୍କାର ବୋଲି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ କହିଥିଲେ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଓ ବୁଧବାର ସନ୍ଧ୍ୟାରେ ହଠାତ୍‌ ମିଳିବା ପ୍ରସଙ୍ଗରେ ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ଵାଲ ସାମ୍ବାଦିକ ସମ୍ମିଳନୀରେ କହିଥିଲେ କି, ଚାବି ହଠାତ୍‌ ମିଳିଛି, ତଦନ୍ତ କମିଶନଙ୍କୁ ଦିଆଯିବ। ରେକର୍ଡ ରୁମରୁ ମିଳିଥିବା ଚାବି ଏକ ମୁଦା ଲଫାଫା ଭିତରେ ସିଲ୍‌ ହୋଇ ରହିଛି, ଖୋଲିଲେ ଜଣାପଡିବ। ଚିଠି ପାଇବା ପରେ ତଦନ୍ତ କରାଯାଇଛି। ମୁଁ ଭୁଲ କରିନାହିଁ, ଭଗବାନଙ୍କ ଉପରେ ମୋର ଭରସା ଅଛି। ଲୁଚାଇବାରେ କିଛି ନାହିଁ, ଯାହା ସତ୍ୟ ପଦାକୁ ଆସିବ। ତଦନ୍ତ ସମୟରେ ମୋର ଯାହା କହିବା କଥା କହିବି। ବର୍ତ୍ତମାନ ଯାହା ମିଳିଛି, ତାହା ଜଣାଇଛି ବୋଲି ଜିଲ୍ଲାପାଳ କହିଥିଲେ।।  ଏଥିସହ ଜିଲ୍ଲାପାଳ ଅଗ୍ରଓ୍ଵାଲ କହିଥିଲେ, ମୁଁ ସବୁ ପ୍ରକାର ତଦନ୍ତ ପାଇଁ ପ୍ରସ୍ତୁତ। ଏପ୍ରିଲ ୨ରେ ଶ୍ରୀମନ୍ଦିର ପ୍ରଶାସନ ଟ୍ରେଜେରିରୁ ଚାବି ଦେବାକୁ କହିଥିଲେ।  ଚାବି ନ ଥିବା ୪ ତାରିଖ ସକାଳେ ଉତ୍ତର ଦେଇଥିଲୁ।

 

ସମ୍ବନ୍ଧିତ ଖବର