ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ : ଅଳ୍ପକେ ବର୍ତ୍ତିଲେ ରୋଗୀ

ବ୍ୟାଟେରି ରୁମ୍‌ରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଛି: ଅଗ୍ନିଶମ ବିଭାଗ, ୨୬ରୋଗୀଙ୍କୁ ଅନ୍ୟ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର, କ୍ଷଣିକରେ ବ୍ୟାପିଗଲା ରସାୟନିକ ଗ୍ୟାସ୍‌ ଓ ଧୂଆଁ

ଭୁବନେଶ୍ବର : ବ୍ୟାଟେରି ରୁମ୍‌ରେ ସର୍ଟ ସର୍କିଟ୍ ଯୋଗୁଁ ଆଜି ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ କେହି ମୃତାହତ ହୋଇନଥିଲେ ହେଁ ୨୬ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବିଭିନ୍ନ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଆଜି ଦିନ ୧୦ଟା ୪୧ମିନିଟ ସମୟରେ ଆପୋଲୋ ହସ୍ପିଟାଲର ୫ମ ମହଲାରେ ଥିବା ବ୍ୟାଟେରି ରୁମ୍‌ରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗି ଯାଇଥିଲା। କ୍ଷଣିକ ମଧ୍ୟରେ ହସ୍ପିଟାଲ ଧୂଆଁମୟ ହୋଇଯାଇଥିଲା। ରସାୟନିକ ଗ୍ୟାସ ବି ଖେଳି ଯାଇଥିଲା। ଧୂଆଁ ବାହାରିବାକୁ ବାଟ ନଥିବାରୁ ପୂରା ହସ୍ପିଟାଲ ରସାୟନିକ ଗ୍ୟାସର ଗନ୍ଧ ଓ ଧୂଆଁରେ ଭର୍ତ୍ତି ହୋଇଯାଇଥିଲା। ହସ୍ପିଟାଲରେ ଥିବା ଶତାଧିକ ରୋଗୀ ଓ ସମ୍ପର୍କୀୟ ଜୀବନ ବିକଳରେ ଦଉଡ଼ିଥିଲେ। ଏପରିକି ହସ୍ପିଟାଲର ଡାକ୍ତର, ନର୍ସ, କର୍ମଚାରୀ ଓ ସିକ୍ୟୁରିଟିମାନେ ବି ଜୀବନ ବିକଳରେ ବାହାରକୁ ଦଉଡ଼ି ପଳାଇ ଆସିଥିଲେ। ଧୂଆଁ ସମସ୍ତଙ୍କୁ ଅଣନିଃଶ୍ବାସୀ କରିବା ପୂର୍ବରୁ ହସ୍ପିଟାଲ କର୍ତ୍ତୃପକ୍ଷ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁ ଓ ଧୂଆଁକୁ ଆୟତ୍ତ କରିନେଇଥିଲେ। ଫଳରେ ବଡ଼ଧରଣର ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିଥିଲା।

ହସ୍ପିଟାଲରେ ନିଆଁ ଲାଗିବା ପରେ ସମସ୍ତ ରୋଗୀଙ୍କୁ ହସ୍ପିଟାଲ ବାହାରକୁ ଅଣାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଆଇସିୟୁରେ ଥିବା‌ ରୋଗୀ ଏବଂ ଗୁରୁତର ଥିବା ୧୫ଜଣଙ୍କୁ କଳିଙ୍ଗ, ଆମ୍ରି, କେୟାର ଓ ସ୍ପର୍ଶ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୧ଜଣଙ୍କୁ ଏହି ସବୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ହେଲେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣି ରୋଗୀଙ୍କୁ ସେମାନଙ୍କ ୱାର୍ଡରେ ପୁଣି ଆଡମିଟ୍‌ କରିବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରାୟ ୩ରୁ ୪ଘଣ୍ଟା ସମୟ ନେବାରୁ େରାଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଅଗ୍ନିଶମ ବିଭାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ, ହସ୍ପିଟାଲର ୫ମ ମହଲାରେ ଥିବା ବ୍ୟାଟେରି ରୁମ୍‌ରେ ସର୍ଟ ସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଏଠାରେ ପ୍ରାୟ ୪୦ଟି ୧୨ ଭୋଲ୍‌ଟର ବ୍ୟାଟେରି ଥିଲେ ହେଁ ନିଆଁ ୧୦ଟି ବ୍ୟାଟେରିକୁ ପୋଡ଼ି ଦେଇଥିଲା। ବ୍ୟାଟେରିର ବାହାର ପାର୍ଶ୍ବରୁ ନିଆଁ ଲାଗିଥିବାରୁ ଏହା ବିସ୍ଫୋରଣ ହେବା ପୂର୍ବରୁ ଏଥିରୁ ରସାୟିନକ ଗ୍ୟାସ୍ ବାହାରି ଚାରିଆଡ଼େ ଖେଳି ଯାଇଥିଲା। ଏପରିକି ବିଦ୍ୟୁତ ତାର ପୋଡ଼ି ଯାଇଥିବାରୁ ଧୂଆଁ ଅଧିକ ହୋଇଥିଲା। କ୍ଷଣିକ ମଧ୍ୟରେ ଧୂଆଁ ଚାରିଆଡ଼େ ଖେଳି ଯାଇଥିଲା। ପ୍ରାୟ ଦେଢ଼ଘଣ୍ଟାର ଉଦ୍ୟମ ପ‌େର ଧୂଆଁ ଓ ନିଆଁ ନିୟନ୍ତ୍ରଣକୁ ଆସିଥିଲା। ନିଆଁ ଯୋଗୁଁ କୌଣସି ରୋଗୀ ଆହତ ହୋଇନାହାନ୍ତି। କିନ୍ତୁ ଆମେ ପହଞ୍ଚିବା ପୂର୍ବରୁ ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀଙ୍କୁ ସ୍ଥାନାନ୍ତର କରିଦେଇଥିବାରୁ ରସାୟନିକ ଗ୍ୟାସ୍ ଧୂଆଁ ଦ୍ବାରା କେହି ପ୍ରଭାବିତ ହୋଇଛନ୍ତି କି ନାହିଁ ଜଣାପଡ଼ିନି। ବ୍ୟାଟେରି ରୁମ୍‌ ନିକଟରେ ନ୍ୟୁରୋଲୋଜି ଓ ‌ନେଫ୍ରୋଲୋଜି ଓପିଡି ଥିବାବେଳେ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ ବି ଥିଲା। ତେଣୁ ଏହି ରୋଗୀମାନେ ପ୍ରଥମ ଧୂଆଁ ସଂସ୍ପର୍ଶରେ ଆସିଥିଲେ। ସେହିପରି ଠିକ୍ ସମୟରେ ସମସ୍ତ ରୋଗୀଙ୍କୁ ହସ୍ପିଟାଲ ବାହାରକୁ ସ୍ଥାନାନ୍ତର କରାଯାଇଥିବାରୁ କୌଣସି କ୍ଷୟକ୍ଷତି ହୋଇନି।

କେନ୍ଦ୍ରାଞ୍ଚଳ ଅଗ୍ନିଶମ ଅଧିକାରୀ ଭାବଗ୍ରାହୀ ଘଡ଼େଇଙ୍କ ସୂଚନା ଅନୁଯାୟୀ କଳ୍ପନା, ଚନ୍ଦ୍ରଶେଖରପୁର, ବରମୁଣ୍ଡା ଫାୟାର ଷ୍ଟେସନରୁ ୩ଟି ଦମକଳ ଗାଡ଼ି, ଏକ ପ୍ଲାଟୁନ୍‌ ଷ୍ଟ୍ରାଇକିଂ ଫୋର୍ସ ଆସି ନିଆଁ ଲିଭାଇଥିଲେ। ଆମେ ପହଞ୍ଚିବା ପୂର୍ବରୁ ହସ୍ପିଟାଲ କର୍ତ୍ତୃପକ୍ଷ ସେମାନଙ୍କ ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରି ନିଆଁକୁ ଆୟତ୍ତାଧୀନ କରି ଦେଇଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ବ୍ୟାଟେରି ସର୍ଟ ସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିଲା। ହେଲେ ହସ୍ପିଟାଲରେ ସମସ୍ତ ଅଗ୍ନି ନିର୍ବାପକ ବ୍ୟବସ୍ଥା‌ ଥିବା ସତ୍ତ୍ବେ କାହିଁକି ଧୂଆଁ ଅଧିକ ବ୍ୟାପିଲା ସେନେଇ ତଦନ୍ତ ହେବ।

ବ୍ୟାଟେରିରୁ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ହସ୍ପିଟାଲ୍‌ କର୍ତୃପକ୍ଷ ଓ ଅଗ୍ନିଶମ ବିଭାଗର ଅଧିକାରୀମାନେ ପ୍ରାଥମିକ ତଦନ୍ତ ପରେ କହୁଥିଲେ ହେଁ ଏହି ଅଗ୍ନିକାଣ୍ଡ ପଛରେ ଆଉ କିଛି କାରଣ ଅଛି କି? ହସ୍ପିଟାଲର ଅଗ୍ନି ନିର୍ବାପକ ବ୍ୟବସ୍ଥା ଠିକ୍ ଥିଲା କି ନାହିଁ, ରୋଗୀଙ୍କୁ ଠିକ୍ ଭାବେ ସ୍ଥାନାନ୍ତରିତ କରାଯାଇଛି କି ନାହିଁ, ହାଉସ୍ କିପିଂ ବ୍ୟବସ୍ଥା କିପରି ଥିଲା ସେନେଇ ତଦନ୍ତ କରି ରିପୋର୍ଟ ଦେବାକୁ କେନ୍ଦ୍ରାଞ୍ଚଳ ଅଗ୍ନିଶମ ଅଧିକାରୀ ଭାବଗ୍ରାହୀ ଘଡ଼େଇଙ୍କୁ ଅଗ୍ନିଶମ ବିଭାଗ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ନିର୍ଦ୍ଦେଶ ଦେଇଛନ୍ତି।
ଅପରପକ୍ଷେ ଆଜି ପୁଲିସ କମିସନର ସତ୍ୟଜିତ ମହାନ୍ତି, ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର, ଡିସିପି ଅନୁପ ସାହୁ,‌ ସହିଦ ନଗର ଥାନା ଆଇଆଇସି ପଦ୍ମନାଭ ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଏହି ଅଗ୍ନିକାଣ୍ଡ ପରେ ଆପୋଲୋ ହସ୍ପିଟାଲର ଆଞ୍ଚଳିକ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧିର ଏମ୍‌ ଡିଗିକାର କହିଛନ୍ତି ଯେ, ହସ୍ପିଟାଲର ୫ମ ମହଲାରେ ନିଆଁ ଲାଗିଥିବା ଜଣାପଡ଼ିବା ପରେ ହସ୍ପିଟାଲର କର୍ମଚାରୀମାନେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ସମସ୍ତ ଉଦ୍ୟମ କରିଥିଲେ। ନିଆଁକୁ ନିୟନ୍ତ୍ରଣକୁ ଆଣିବା ସହ ଏହା ଯେପରି ଅଧିକ ନବ୍ୟାପିବ ସେଥିପାଇଁ ଆମେ ତୁରନ୍ତ ହସ୍ପିଟାଲର ବିଦ୍ୟୁତ ସରବରାହ ବନ୍ଦ କରିଥିଲୁ। ଅଗ୍ନିଶମ ବିଭାଗ ଅଧିକାରୀମାନେ ବହୁତ କମ୍‌ ସମୟ ମଧ୍ୟରେ ପହଞ୍ଚି ନିଆଁକୁ ସଂପୂର୍ଣ୍ଣ ଲିଭାଇଥିଲେ। ୨୬ଜଣ ଗୁରୁତର ରୋଗୀଙ୍କୁ ବିଭିନ୍ନ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ସମସ୍ତ ରୋଗୀଙ୍କୁ ସେମାନଙ୍କ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର