ଜଳିଗଲା ବିସ୍କୁଟ ଗୋଦାମ

ସହରରେ ଘଣ୍ଟାଏ ବିଦ୍ୟୁତ୍‌କାଟ୍‌, ଧୂଆଁରେ ସହରବାସୀ ଅସ୍ତବ୍ୟସ୍ତ, ୩ଟି ଦମକଳକୁ ୩ଘଣ୍ଟା

ବ୍ୟାସନଗର : ବ୍ୟାସନଗର ମୁଖ୍ୟ ରାସ୍ତାରେ ଅବସ୍ଥିତ ନର୍ସିଂ ଟ୍ରେଡିଂ ଏଜେନ୍‌ସିର ଏକ ବିସ୍କୁଟ ଓ ତେଲ ଗୋଦାମରେ ଶନିବାର ଅପରାହ୍ଣ ପ୍ରାୟ ୨ଟା ୪୫ ମିନିଟ୍‌ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଯାଜପୁର ରୋଡ଼୍‍ ଦମକଳ ବାହିନୀର ୩ଟି ଗାଡ଼ି ଓ ୧୫ ଜଣ କର୍ମଚାରୀ ପାଖାପାଖି ୩ ଘଣ୍ଟାର ଅକ୍ଳାନ୍ତ କରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଯୋଗୁ ସହରର ଜନଜୀବନ କିଛି ସମୟ ପାଇଁ ବ୍ୟାହତ ହୋଇଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ସମୟ ପାଖାପାଖି ୨ଟା ୪୫ ମିନିଟ୍‌। ନର୍ସିଂ ଟ୍ରେଡିଂ ଏଜେନ୍‌ସିର ଗୋଦାମରୁ ଧୂଆ ବାହାରୁଥିବା ଗୋଦାମ ଦାୟିତ୍ୱରେ ଥିବା ସିକ୍ୟୁରିଟି ଗାର୍ଡ ଅଫିସକୁ କର୍ମଚାରୀଙ୍କୁ ଖବର ଦେଇଥିଲେ। କର୍ମଚାରୀ ଖବର ପାଇ ଘଟଣାସ୍ଥଳକୁ ଛୁଟି ଆସି ତାଲା ଖୋଲିଲା ବେଳକୁ ନିଆଁ ଭୟଙ୍କର ରୂପ ନେଇସାରିଥିଲା। ସାରା ଗୋଦାମ ଧୂଆଁ ଓ ନିଆଁରେ ଆଚ୍ଛାଦିତ ହୋଇଯାଇଥିଲା। ନିଆଁ ହୁତୁହୁତୁ ହୋଇ ଜଳୁଥିବା ଦେଖି କର୍ମଚାରୀମାନେ ତୁରନ୍ତ ଯାଜପୁର ରୋଡ଼୍‍ ଦମକଳ ବାହିନୀକୁ ଖବର ଦେଇଥିଲେ। ଯାଜପୁର ରୋଡ଼୍‍ ଦମକଳ ବାହିନୀର ତିନିଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୩ ଘଣ୍ଟା ଧରି ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ସେତେବେଳକୁ ନିଆଁର ପ୍ରକୋପ ଏତେ ଥିଲା ଯେ ଗୋଦାମ ଘରର ଆଜ୍‌ବେସ୍‌ଟସ୍‌ ଫାଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା। ନିଆଁ ଧାସ ହୁତୁହୁତୁ ହୋଇ ପଦାକୁ ବାହାରିଥିଲା। ସ୍ଥାନୀୟ ଦୋକାନୀ, ଅନ୍ୟ କେତେକ ମଲ ଓ ହୋଟେଲ ମାଲିକ୍‌ ଭୟଭୀତ ହୋଇପଡ଼ିଥିଲେ। ସାରା ସହର ଧୂଆଁରେ ଆଚ୍ଛାଦିତ ହୋଇଯାଇଥିଲା।

ନିଆଁ ପାଇଁ ସହରରେ ପ୍ରାୟ ଘଣ୍ଟାଏ କାଳ ବିଦ୍ୟୁତ୍‌ କାଟ ହୋଇଥିଲା। ଗୋଦାମଟି ମୁଖ୍ୟରାସ୍ତା କଡ଼ରେ ହୋଇଥିବାରୁ ଯାତାୟାତ୍‌ ମଧ୍ୟ ଠପ୍‌ ହୋଇଯାଇଥିଲା। ରାସ୍ତାର ଉଭୟପଟେ ଶହ ଶହ ଗାଡ଼ି ମଟର ଲମ୍ବା ଧାଡ଼ିରେ ଠିଆ ହୋଇଥିଲେ। ଅଳ୍ପକେ ବର୍ତ୍ତି ଯାଇଥିଲା ପାଖରେ ଥିବା ଏକ ବଡ଼ ହୋଟେଲ ଏବଂ ଏକ ମଲ। ନିଆଁର ପ୍ରକୋପରେ ଏତେ ଥିଲା ଯେ ଦମକଳ ବାହିନୀକୁ ମଧ୍ୟ ନାକେଦମ୍‌ ହେବାକୁ ପଡ଼ିଥିଲା। ଗୋଦାମ ଭିତରକୁ ସେମାନେ ପଶି ପାରି ନଥିଲେ। ତେଲ ଗନ୍ଧ ଓ ଧୂଆଁ ଯୋଗୁଁ ନାକ ଫାଟିପଡ଼ୁଥିଲା। ଦମକଳ ବାହିନୀ ସତର୍କତାର ସହ ନିଆଁକୁ ଆୟତ୍ତ କରିଥିଲେ। ପରେ ଗାଡ଼ିମୋଟର ଯାଆସ କରିଥିଲା। ଗୋଦାମ ଭିତରେ ରୋଷେଇ ତେଲ, ସାଲୋନି ତେଲ, ସନ୍‌ଫ୍ଲାଓ୍ଵାର ୪ଟ୍ରିପ୍‌ ଗଚ୍ଛିତ ଥିବା ବେଳେ ଡେକ୍ସୋଲାକ୍‌ ଓ ଘିଅ ୩ଟ୍ରିପ୍‌ ଏବଂ ବିସ୍କୁଟ ପାଖାପାଖି ୫୦ ଟ୍ରିପ୍‌ ଥିଲା ବୋଲି ଗୋଦାମ କର୍ମଚାରୀ ସୂଚନା ଦେଇଛନ୍ତି। ଏହାର ଆନୁମାନିକ ମୂଲ୍ୟ ପାଖାପାଖି ୧ କୋଟି ଟଙ୍କା ହେବ ବୋଲି ଜଣାଯାଇଛି। ସହର ମଧ୍ୟରେ ଏଭଳି ବଡ଼ ବଡ଼ ଗୋଦାମ କରାଯାଇଥିଲେ ମଧ୍ୟ କୌଣସି ଅଗ୍ନି ନିର୍ବାପକ ବ୍ୟବସ୍ଥା ହୋଇନାହିଁ। ଅଗ୍ନି ନରାପତ୍ତା ବିଭାଗ ମଧ୍ୟ ଏଦିଗରେ ସ୍ଥାଣୁ। ସହର ମଧ୍ୟରେ ଆଜିର ଏହି ଭୟଙ୍କର ଘଟଣା ପରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର