ପୁରୀ ରଥଯାତ୍ରା ପାଇଁ ଅଗ୍ନିଶମ ବିଭାଗର ପ୍ରସ୍ତୁତି : ପଞ୍ଚତୀର୍ଥ ପୁଷ୍କରିଣୀ ନିକଟରେ ରହିବେ ସ୍କୁବା ଡାଇଭର, ସମୁଦ୍ର କୂଳରେ ନିୟୋଜିତ ହେବେ ୧୦୦ ନୋଳିଆ
ବଡ଼ଦାଣ୍ଡରୁ ଜଳ ନିଷ୍କାସନ ପାଇଁ ୧୫ ହାଇପ୍ରେସର ପମ୍ପ, ଗୁଳୁଗୁଳି ହେଲେ ପାଣି ଛିଞ୍ଚିବାକୁ ୬ଟି ଦମକଳ ଗାଡ଼ି
କଟକ : ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ପାଞ୍ଚ ସୂତ୍ରୀ ବିପର୍ଯ୍ୟୟ ପରିଚାଳନା ତାଲିକା ପ୍ରସ୍ତୁତ କରାଯାଇଛି। ଜୁଲାଇ ୧୨ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଭାଗର ପ୍ରାୟ ୩୨୦ ଅଧିକାରୀ ଓ କର୍ମଚାରୀ ଭକ୍ତମାନଙ୍କ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହେବେ ବୋଲି ଅଗ୍ନିଶମ ନିର୍ଦ୍ଦେଶାଳୟ ସୂତ୍ରରୁ ସୂଚନା ମିଳିଛି। ଆସନ୍ତାକାଲି ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତିର ଶେଷ ପର୍ଯ୍ୟାୟର ସମୀକ୍ଷା ବୈଠକ ଥିବା ବେଳେ ଅଗ୍ନିଶମ ବିଭାଗର ପ୍ରସ୍ତୁତି ସଂପର୍କରେ ମଧ୍ୟ ସମୀକ୍ଷା କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ରଥଯାତ୍ରା ସମୟରେ କୌଣସି ଅଗ୍ନିକାଣ୍ଡ ଦୁର୍ଘଟଣାକୁ ଏଡାଇବା ପାଇଁ ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ୍, ବଡ଼ଦାଣ୍ଡର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଦମକଳ ସହିତ ଅଗ୍ନିଶମ ଅଧିକାରୀମାନେ ଉପସ୍ଥିତ ରହିବେ। ସେହିପରି ସବୁଠୁ ଗୁରୁତ୍ୱପୂର୍ଣ୍ଣ ପଞ୍ଚତୀର୍ଥ ବା ପବିତ୍ର ଜଳାଶୟଗୁଡ଼ିକୁ ସୁରକ୍ଷାବଳୟ ମଧ୍ୟରେ ରଖାଯିବ। ଇନ୍ଦ୍ରଦ୍ୟୁମ୍ନ, ଶ୍ୱେତଗଙ୍ଗା, ରୋହିଣୀ କୁଣ୍ଡ, ମାର୍କଣ୍ଡେୟ ପୁଷ୍କରିଣୀ ଓ ସମୁଦ୍ର କୂଳରେ ୨୪ଘଣ୍ଟିଆ ଅଗ୍ନିଶମ କର୍ମଚାରୀମାନେ ନିୟୋଜିତ ରହିବେ। ସେଠାରେ ପାଓ୍ଵାର ବୋଟ୍, ଅଣ୍ଡର ଓ୍ଵାଟର ସ୍କୁବା ଡାଇଭର ଏବଂ ଅନ୍ୟ ଉଦ୍ଧାରକାରୀ ଉପକରଣ ସହ କର୍ମଚାରୀମାନେ ଡ୍ୟୁଟି କରିବେ। ସେହିପରି ସମୁଦ୍ର କୂଳରେ ଯେପରି ଭକ୍ତମାନେ କୌଣସି ଦୁର୍ଘଟଣାର ଶିକାର ନହୁଅନ୍ତି, ସେଥିପାଇଁ ସ୍ଥାନୀୟ ପ୍ରାୟ ୧୦୦ ନୋଳିଆଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ସେମାନଙ୍କ ସହିତ ପ୍ରାୟ ୫୦ଜଣ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟ ପାଇଁ ରହିବେ। ଏଥିସହିତ ସମୁଦ୍ର ଭିତରକୁ ପ୍ରବେଶ ଉପରେ କଟକଣା ସଂପର୍କରେ ପର୍ଯ୍ୟଟକ ଓ ଭକ୍ତମାନଙ୍କୁ ସଚେତନ କରାଯିବ। ନୋଳିଆ ମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଥିଲାବେଳେ ସମୁଦ୍ରର ଅଧିକ ଭିତରକୁ ନପଶିବା ପାଇଁ ଭକ୍ତଙ୍କୁ ବାରଣ କରିବାକୁ ହୁଇସିଲ୍ ଯୋଗାଇ ଦିଆଯିବ। ରଥଯାତ୍ରା ସମୟରେ ଯଦି ଅଧିକ ଗୁଳୁଗୁଳି କିମ୍ବା ଗରମ ଅନୁଭୂତ ହୁଏ, ତହେଲେ ଭକ୍ତଙ୍କ ଉପରେ ପାଣି ଛିଞ୍ଚିବା ପାଇଁ ମଧ୍ୟ ଏକ ଟିମ୍ ଗଠନ କରାଯାଇଛି। ବଡ଼ଦାଣ୍ଡରେ ମୋଟ ୬ଟି ଦମକଳ ଗାଡ଼ି ନିୟୋଜିତ ରହି ପାଣି ଛିଞ୍ଚିବେ। ଗୁଣ୍ଡିଚା, ବାହୁଡ଼ା ଓ ସୁନାବେଶରେ ଏହି ଟିମ୍ର ଦାୟିତ୍ୱ ଅଧିକ ରହିବ। ଏସବୁ ବ୍ୟତୀତ ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ମଧ୍ୟ ଯୋଜନା କରାଯାଇଛି। ଯଦି ବର୍ଷା ହୁଏ ତାହେଲେ ବଡ଼ଦାଣ୍ଡରେ ପାଣି ଜମି ରହିବା ଭଳି ସ୍ଥିତି ସୃଷ୍ଟି ହେବ। ପୂର୍ବ ବର୍ଷମାନଙ୍କରେ ଏହା ରଥଯାତ୍ରା ପରିଚାଳନାର ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଖାଲୁଆ ସ୍ଥାନରେ ବଡ଼ଦାଣ୍ଡ ଥିବାରୁ ବର୍ଷା ପାଣି ନିଷ୍କାସନ ହେବା ବଡ଼ ଚାଲେଞ୍ଜ ହୋଇପଡ଼ିଛି। ଏଥିପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ପ୍ରାୟ ୧୫ଟି ହାଇ ପ୍ରେସର୍ ପମ୍ପ ଲଗାଯାଉଥିବା ସୂଚନା ମିଳିଛି।