ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ହେଲ୍‌ପ ଲାଇନ୍‌

କଟକ : ଲଗାଣ ବର୍ଷାରେ ଟୁଇନ୍‌ ସିଟି ବେହାଲ୍‌ ହେବା ପରେ ଏବେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବାକୁ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଟୋଲ୍‌ ଫ୍ରି ନମ୍ବର ‘୧୦୧’ ବ୍ୟତୀତ ଶନିବାର ସଂଧ୍ୟା ପରଠାରୁ ଦୁଇଟି ହେଲ୍‌ପ ଲାଇନ୍‌ ନମ୍ବର କାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଛି। ୦୬୭୧-୨୩୦୩୬୮୮ ଓ ୦୬୭୧-୨୩୦୩୧୦୧ ନମ୍ବରରେ ସାଧାରଣ ଲୋକମାନେ ସେମାନଙ୍କ ଅଭିଯୋଗ ଦେଇପାରିବେ। ସେହିପରି ରାଜ୍ୟର ବିଭିନ୍ନ ଷ୍ଟେସନ୍‌ମାନଙ୍କର ଅପ୍‌ଡେଟ୍‌ ଖବରକୁ ମଧ୍ୟ ଏହି ନମ୍ବର ସହାୟତାରେ ସଂଗ୍ରହ କରାଯାଇପାରିବ ବୋଲି କୁହାଯାଇଛି। ବନ୍ୟା ସମୟରେ ଉଦ୍ଧାରକାର୍ଯ୍ୟ ଓ ଆଶ୍ରୟସ୍ଥଳମାନଙ୍କରେ ରିଲିଫ୍‌ ପରିଚାଳନା କ୍ଷେତ୍ରରେ ଅଗ୍ନିଶମ ବାହିନୀ ପ୍ରସ୍ତୁତ ରହିଥିବା ସୂଚନା ଦିଆଯାଇଛି।

ରାଜ୍ୟରେ ଥିବା ମୋଟ ୩୩୫ଟି ଦମକଳ କେନ୍ଦ୍ରର କର୍ମଚାରୀମାନେ ଏହି ଜରୁରିକାଳୀନ ପରିସ୍ଥିତିରେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ସମୟରେ ଉଦ୍ଧାର କାର୍ଯ୍ୟ ପାଇଁ ପାଖାପାଖି ୨୦୦ ପାଓ୍ଵାର ବୋଟ୍‌କୁ ପ୍ରସ୍ତୁତ କରି ରଖାଯାଇଛି। ବନ୍ୟା ଆଶ୍ରୟସ୍ଥଳମାନଙ୍କରେ ରାତି ସମୟରେ ରିଲିଫ୍‌ କାର୍ଯ୍ୟ ପରିଚାଳନା ପାଇଁ ପାଖାପାଖି ୫୦୦ ଟାଓ୍ଵାର ଲାଇଟ୍‌କୁ ବିଭିନ୍ନ ସ୍ଥାନରେ ନିୟୋଜନ କରାଯାଇଛି। ସେହିପରି ଗଛ ଭାଙ୍ଗି ରାସ୍ତା ଅବରୋଧ କରୁଥିଲେ ତାହାକୁ ହଟାଇବା ପାଇଁ ପ୍ରାୟ ୨୦୦ ପାଓ୍ଵାର ସ’ ବ୍ୟବହାର କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ବିପର୍ଯ୍ୟୟ ପରିଚାଳନା ସମୟରେ ବ୍ୟବହାର ହେଉଥିବା ସମସ୍ତ ଯନ୍ତ୍ରପାତିକୁ ବ୍ୟବହାର ଉପଯୋଗୀ କରି ରଖିବାକୁ ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବର୍ତ୍ତମାନ ମାଲକାନଗିରି ଓ କଳାହାଣ୍ଡିରେ ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ଲଗାଣ ବର୍ଷା ଯୋଗୁଁ କଟକ ଓ ଭୁବନେଶ୍ୱରରେ ମଧ୍ୟ ବନ୍ୟା ସଦୃଶ ପରିସ୍ଥିତି ସୃଷ୍ଟି ହୋଇଛି। ଉଦ୍ଧାର କାର୍ଯ୍ୟ ସହିତ ଜଳ ନିଷ୍କାସନ ପାଇଁ କଟକରେ ୯୭ଜଣ ଓ ଭୁବନେଶ୍ୱରରେ ୧୦୦ ଜଣ ଅଧିକାରୀ ଓ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି। ପୁରୀରେ ମଧ୍ୟ ବାହୁଡାଯାତ୍ରା ସମୟରେ ପୁରୀ ସହର ଓ ବଡ଼ଦାଣ୍ଡରୁ ଜଳ ନିଷ୍କାସନ ପାଇଁ ୩୮୨ଜଣ ଅଗ୍ନିଶମ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି। ଆଜି ସଂଧ୍ୟାରେ ଆଉ ଦୁଇଟି ଉଚ୍ଚକ୍ଷମତା ସମ୍ପନ୍ନ ପମ୍ପକୁ ପୁରୀ ପଠାଯାଇଛି। ଏହି ପମ୍ପ ପ୍ରତି ମିନିଟ୍‌ରେ ୫ହଜାର ଲିଟର ପାଣି ନିଷ୍କାସନ କରିବା ଭଳି କ୍ଷମତା ରଖୁଥିବା ମୁଖ୍ୟ ଅଗ୍ନଶମ ଅଧିକାରୀ ସୁକାନ୍ତ ସେଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର