ଭୁବନେଶ୍ବର-ମୁମ୍ବାଇ ଏୟାର୍ ଇଣ୍ଡିଆ ବିମାନରେ ମଝି ଆକାଶରେ ଇଞ୍ଜିନରେ ଲାଗିଥିଲା ନିଆଁ, ଆସନ୍ନ ମୃତ୍ୟୁରୁ ଅଳ୍ପକେ ବର୍ତ୍ତିଲେ ୮୯ ଯାତ୍ରୀ
ରାୟପୁର: ଭୁବନେଶ୍ବରରୁ ମୁମ୍ବାଇ ଯାଉଥିବା ଏୟାର୍ ଇଣ୍ଡିଆର ବିମାନ ଛତିଶଗଡ଼ର ରାୟପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବା ପରେ ଏହାର କାରଣ ସାମ୍ନାକୁ ଆସିଛି।
ଜାତୀୟ ଗଣମାଧ୍ୟମ ’ଦ ହିନ୍ଦୁସ୍ତାନ ଟାଇମ୍ସ’ରେ ପ୍ରକାଶିତ ରିପୋର୍ଟ ମୁତାବକ ଭୁବନେଶ୍ବର ବିମାନ ବନ୍ଦରରୁ ସଂଧ୍ୟା ୫.୦୬ରେ ଏୟାର ଇଣ୍ଡିଆ ଏୟାରବସ୍ ଏଆଇସି ୬୩୦ ଉଡାଣ ଆରମ୍ଭ କରିବା ପରେ ମଝି ଆକାଶରେ ପାଇଲଟ୍ ବିମାନର ବାମ ପଟ ଇଂଜିନରେ ନିଆଁ ଜଳୁଥିବା ଦେଖିବାକୁ ପାଇଥିଲେ। ଏହାପରେ ଅବତରଣ ଲାଗି ନିକଟସ୍ଥ ବିମାନ ବନ୍ଦର ଭାବେ ରାୟପୁରକୁ ବାଛିଥିଲେ ପାଇଲଟ୍। ଉଡ଼ାଣର ପ୍ରାୟ ୫୦ ମିନିଟ୍ ପରେ ରାୟପୁରର ସ୍ବାମୀ ବିବେକାନନ୍ଦ ବିମାନବନ୍ଦରରେ ସୁରକ୍ଷିତ ଅବତରଣ କରିଥିଲା ବିମାନ।
Sambad is now on WhatsApp
Join and get latest news updates delivered to you via WhatsApp
ବିମାନ ଅବତରଣ ପରେ ରାୟପୁର ବିମାନବନ୍ଦରର ରନୱେକୁ ସଙ୍ଗେ ସଙ୍ଗେ ବନ୍ଦ କରି ଦିଆଯାଇଥିଲା ଓ କିଛି ସମୟ ଲାଗି ସେଠାକୁ ବିମାନ-ଚଳାଚଳ ସ୍ଥଗିତ ରଖାଯାଇଥିଲା। ସମସ୍ତ ଯାତ୍ରୀଙ୍କୁ ସଙ୍ଗେ ସଙ୍ଗେ ଓହ୍ଲାଇ ଦିଆଯାଇଥିଲା। ଏହାପରେ ତୁରନ୍ତ ବିମାନର ଇଂଜିନକୁ ପରୀକ୍ଷା କରାଯାଇଥିଲା। କିନ୍ତୁ ନିଆଁ ଲାଗିଥିବା ଜଣାପଡ଼ି ନଥିଲା। ଫଳତଃ ଏହା ଏକ ଯାନ୍ତ୍ରିକ ତୃଟି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ରାୟପୁର ବିମାନବନ୍ଦରର ନିର୍ଦ୍ଦେଶକ ରାକେଶ ସହାୟ କହିଛନ୍ତି କି ବିମାନଟିକୁ ବର୍ତ୍ତମାନ ରନୱେରୁ ହଟାଇ ଦିଆଯାଇଛି।
ବିମାନରେ ଯାତ୍ରା କରୁଥିବା ଚଳଚ୍ଚିତ୍ର ଅଭିନେତା ଦେବାଶିଷ ପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ‘ଭୁବନେଶ୍ୱରରୁ ୩୦-୪୦ ମିନିଟ୍ ଯାତ୍ରା କରିବା ପରେ ହଠାତ ବିମାନରେ ପ୍ରଚଣ୍ଡ ଶବ୍ଦ ହେଲା। ଏହାପରେ ବିମାନଟି ଦୋହଲି ଗଲା। କିଛି ଯାତ୍ରୀ ଦଖିବାକୁ ପାଇଲେ ଯେ ବିମାନ ଇଞ୍ଜିନରେ ନିଆଁ ଲାଗିଛି। ସମସ୍ତେ ‘ଜୟ ଜଗନ୍ନାଥ, ଜୟ ଜଗନ୍ନାଥ’ କହି ଚିତ୍କାର କରି ଉଠିଲେ। ସେହି ସମୟରେ ପାଇଲଟ ବିମାନ ଅବତରଣ କରିବେ ବୋଲି କହିଥିଲେ। ସମସ୍ତେ ମୁଣ୍ଡ ତଳକୁ କରି ବସି ରହିଥିଲେ ଓ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା।’