ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ତ : ଅଳ୍ପକେ ରକ୍ଷା ପାଇଲେ ଶତାଧିକ ରୋଗୀ

ଜଗତସିଂହପର ଟାଉନ୍ : ଗତକାଲି ବିଳମ୍ବିତ ରାତିରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ତ ଘଟିଛି। ଘଟଣା ସମୟରେ ରୋଗୀ ଓ ସମ୍ପର୍କୀୟମାନେ ଜୀବନବିକଳରେ ବାହାରକୁ ଚାଲି ଆସିବାରୁ ଏବଂ ଉପସ୍ଥିତ ଲୋକମାନେ କିଛି ଗୁରୁତର ରୋଗୀଙ୍କୁ ଉଦ୍ଧାର କରି ବାହାରକୁ ନେଇ ଆସିବାରୁ କାହାର କିଛି କ୍ଷତି ହୋଇନାହିଁ। ସର୍ଟସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ତ ଘଟିଥିବା କୁହାଯାଉଥିବାବେଳେ ଏହାର ପ୍ରକୃତ କାରଣ ଜଣାପଡ଼ିନାହିଁ।

ଗତକାଲି ରାତି ପ୍ରାୟ ୨ଟା ୩୦ ସମୟରେ ମୁଖ୍ୟ ଚିକିତ୍ସାଳୟର ପ୍ରଥମ ମହଲାରେ ଥିବା ସ୍ତ୍ରୀ ଓ ପ୍ରସୂତି ବିଭାଗ ନିକଟରେ ବଡ଼ଧରଣର ଶବ୍ଦ ଶୁଣାଯାଇଥିଲା। ପ୍ରଚଣ୍ଡ ଶବ୍ଦ ଶୁଶି ରୋଗୀ ଓ ସମ୍ପର୍କୀୟମାନେ ଡରି ଯାଇଥିଲେ। ପ୍ରଥମ ମହଲାରେ ଥିବା ଏକ ‘ୱାଟର କୁଲର’ ଜଳିବାରୁ ଉକ୍ତ ମହଲା ସାରା ଧୂଆଁ ହୋଇ ଯାଇଥିଲା। କିଛି ସମୟ ପରେ ପ୍ରସୂତି ବିଭାଗର ଏକ ଘରେ ଦୁଇଟି ଫ୍ୟାନ୍ ମଧ୍ୟ ଜଳିଥିଲା। ଫଳରେ ରୋଗୀ ଓ ସମ୍ପର୍କୀୟମାନେ ଭୟରେ ଏଣେତେଣେ ଧାଁ ଧପଡ଼ କରିଥିଲେ। କେତେଜଣ ରୋଗୀ ଜୀବନବିକଳରେ ତଳକୁ ଚାଲି ଆସିଥିଲେ। ହେଲେ ସିଜରାଇନ୍‌ କରାଯାଇଥିବା ପ୍ରସୂତି ଏବଂ ନବଜାତକଙ୍କୁ ନେଇ ଚିନ୍ତା ବଢ଼ି ଯାଇଥିଲା। ନିକଟରେ ଥିବା କେତେଜଣ ଲୋକ ପ୍ରାଣମୂର୍ଚ୍ଛା ଉଦ୍ୟମ କରି ସେମାନଙ୍କୁ ଟେକିଟେକି ତଳକୁ ନେଇ ଆସିଥିଲେ। ଷ୍ଟ୍ରେଚର ନଥିବାରୁ ସିଜରାଇନ୍‌ ହୋଇଥିବା ପ୍ରସୂତିଙ୍କୁ ଆଣିବାବେଳେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସମ୍ପର୍କୀୟମାନେ ସମସ୍ୟାକୁ ନେଇ ଧୈର୍ଯ୍ୟହରା ହେଉଥିବାବେଳେ ୱାର୍ଡ‌୍ରେ କୌଣସି ଡାକ୍ତର ଦେଖିବାକୁ ମିଳିନଥିଲେ।

କିଛି ସମୟ ପରେ ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ଗୁଞ୍ଜର ଚନ୍ଦ୍ର ମହନ୍ତ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ହେଲେ, ରାତି ତମାମ ପ୍ରସୂତି ଓ ନବଜାତକମାନେ ଖୋଲା ଆକାଶ ତଳେ ପଡ଼ି ରହିଥିଲେ। ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

ସୂଚନାଯୋଗ୍ୟ, ପ୍ରତି ବର୍ଷ ମେଡିକାଲର ବିଦ୍ୟୁତ୍ ମେଣ୍ଟେନାନ୍ସରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ବି ରୋଗୀମାନଙ୍କୁ ବର୍ଷତମାମ୍ ଠିକ୍ ଭାବେ ବିଦ୍ୟୁତ୍ ସେବା ମିଳୁନାହିଁ। ଗତକାଲି ରାତିରେ ଅଗ୍ନିକାଣ୍ଡ ସମୟରେ ଡ୍ୟୁଟିରେ ଥିବା ଲାଇନ୍ମ୍ୟାନ୍ କାହିଁକି ଅନୁପସ୍ଥିତ ଥିଲେ, ତାକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର