ମାଛକୁଣ୍ଡ ଜଳ ବିଦ୍ୟୁତ କେନ୍ଦ୍ରରେ ଅଗ୍ନିକାଣ୍ଡ

0 86

ଲମତାପୁଟ : କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ରହିଥିବା ମାଛକୁଣ୍ଡ ଜଳ ବିଦ୍ୟୁତ କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟିଛି। ସଟ୍‌ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିବାରୁ ୫ ନମ୍ବର ଟର୍ବାଇନର୍‌ ପାନେଲ୍‌ ବୋର୍ଡ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ବିଦ୍ୟୁତ ଉତ୍ପାଦନ ବନ୍ଦ ଯୋଗୁଁ ମାଛକୁଣ୍ଡ, ଅନକାଡେଲୀ ଓ ଜଲ୍ଲାପୁଟ ଅଞ୍ଚଳ ଅନ୍ଧାର ହୋଇଯାଇଛି।

ଘଟଣାରୁ ପ୍ରକାଶ ଯେ ଅପରାହ୍‌ଣ ସାଢେ ୫ଟା ବେଳେ ମାଛକୁଣ୍ଡ ଜଳ ବିଦ୍ୟୁତ କେନ୍ଦ୍ରର ୩ଟି ଟର୍ବାଇନ୍‌ ଚାଲୁ ରହିଥିଲା। ଏହି ସମୟରେ ୫ ନମ୍ବର ଟର୍ବାଇନ୍‌ରେ ସଟ୍‌ସର୍କିଟ ହୋଇ ନିଆଁ ଲାଗି ଯାଇଥିଲା। ପାନେଲ୍‌ ବୋର୍ଡ ଜଳି ଯାଇଥିଲା। ଫଳରେ ପ୍ରାୟ ୫୦ଲକ୍ଷ ଟଙ୍କାର କ୍ଷତି ଘଟିଥିବା ଅନୁମାନ କରାଯାଉଛି। ଏହି ଜଳ ବିଦ୍ୟୁତ କେନ୍ଦ୍ରରେ ୬ଟି ଟର୍ବାଇନ୍‌ ରହିଥିବା ବେଳେ ପୂର୍ବରୁ ୩ଟି ବନ୍ଦ ପଡିଥିଲା କେବଳ ୩ଟି ଚାଲୁଥିଲା। ସେଥିରୁ ଆଜି ଗୋଟିଏରେ ଅଗ୍ନିକାଣ୍ଡ ଘଟିବାରୁ ଏହା ମଧ୍ୟ ବନ୍ଦ ହୋଇଯାଇଛି।

ପୂର୍ବରୁ ମଧ୍ୟ ଏଠାରେ ବହୁବାର ଅଗ୍ନିକାଣ୍ଡ ଘଟି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ଘଟିଥିଲା। କର୍ମଚାରୀଙ୍କ ଅବହେଳାରୁ ଏଭଳି ଅଗ୍ନିକାଣ୍ଡ ଘଟୁଥିବା ଅଭିଯୋଗ ହୋଇ ଆସୁଛି। ଆଜି ଅଗ୍ନିକାଣ୍ଡ ଘଟିବା ଖବର ପାଇ ଜୟପୁରରୁ ଦମକଳ ଯାଇଥିଲା। ତେବେ ଦମକଳ ପହଞ୍ଚିବା ପୂର୍ବରୁ ନିଆଁକୁ ଆୟତ୍ତ କରାଯାଇଥିଲା। ମାଛକୁଣ୍ଡ ଜଳ ବିଦ୍ୟୁତ କେନ୍ଦ୍ରର ସହକାରୀ ଯନ୍ତ୍ରୀ ଉଦୟ କୁମାର କହିଛନ୍ତି ଯେ କେବଳ ୫ନଂ ଟର୍ବାଇନ୍‌ର ପାନେଲ୍‌ ବୋର୍ଡ ଜଳି ନଷ୍ଟ ହୋଇଯାଇଛି। ନିଆଁକୁ ତୁରନ୍ତ ଆୟତ୍ତ କରାଯିବାରୁ ଅଧିକା କିଛି ନଷ୍ଟ ହୋଇ ନଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.