ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ନିର୍ଦେଶାଳୟରେ ନିଆଁ

ଭୁବନେଶ୍ୱର : ୟୁନିଟ୍‌-୮ ସ୍ଥିତ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ନିର୍ଦେଶାଳୟ(ଏନ୍‌ଏଚ୍‌ଏମ୍‌) କାର୍ଯ୍ୟାଳୟରେ ସନ୍ଧ୍ୟା ପ୍ରାୟ ୫ଟା ୩୦ରେ ନିଆଁ ଲାଗିଯାଇଥିଲା। ତଳମହଲାର ଏକ କୋଠରିର ପ୍ରଥମେ ନିଆଁ ଲାଗିଥିଲା। ପରେ ହା ସଂପୂର୍ଣ୍ଣା କୋଠାକୁ ବ୍ୟାପୀ ଯାଇଥିଲା। ତଳ ମହଲାର ପାଖାପାଖି ୬ଟି ରୁମ୍‌ରେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ିଯାଇଛି। ଅନ୍ୟପକ୍ଷରେ ଅଗ୍ନିକାଣ୍ଡ ଖବର ପାଇ କର୍ମଚାରୀମାନେ ବାହାରକୁ ପଳାଇ ଆସିଥିଲେ। ଫଳରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି। ଉପର ମହଲାରେ କିଛି କ୍ଷୟକ୍ଷତି ହେବା ପୂର୍ବରୁ ଅଗ୍ନିଶମ ସଂସ୍ଥାର କର୍ମଚାରୀମାନେ ନିଆଁକୁ ଆୟତ୍ତ କରି ନେଇଥିଲେ। ୩ଟି ଦମକଳ ଗାଡ଼ିକୁ ନିଆଁ ଲିଭାଇବାରେ ନିୟୋଜିତ କରାଯାଇଥିଲା। ତେବେ ନିଆଁ କେଉଁ କାରଣରୁ ଲାଗିଲା ତାହା ଜଣା ପଡ଼ି ନଥି‌ଲେ ମଧ୍ୟ ସର୍ଟ ସର୍କିଟରୁ ଏପରି ହୋଇଥିବା ଆଶଙ୍କା କରାଯାଇଛି। ଖବର ପାଇ ନୟାପଲ୍ଲୀ ଥାନା ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି।

ସବୁଠାରୁ ବଡ଼କଥା ହେଉଛି ଏହି କାର୍ଯ୍ୟାଳୟରେ କୌଣସି ପ୍ରକାର ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିଲା। ଏପରିକି କୋଠାର କୌଣସି ସ୍ଥାନରେ ନିଆଁ ଲିଭା ଯନ୍ତ୍ର ଲାଗି ନଥିଲା।
କେମିତି ଓ କାହିଁକି: କାର୍ଯ୍ୟାଳୟର ତଳ ମହଲାରେ ପ୍ରଥମେ ଧୂଆଁ ଦେଖି ସେଠାରେ କାମ କରୁଥିବା ଟେକ୍ନିକାଲ ଅଫିସର ମମତା ମଞ୍ଜରୀ କାର୍ଯ୍ୟାଳୟ ବାହାରକୁ ପଳାଇ ଆସିଥିଲେ। ସେତେବେଳକୁ କରିଡର୍‌ରେ ଧୂଆଁ ଭର୍ତ୍ତି ହୋଇ ଯାଇଥିଲା। ସେ କିଛି ବାଟ ନ ପାଇ ପ୍ରଥମେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ପାଇଁ ମେନ୍‌ ସୁଇଚ୍‌ ବନ୍ଦ କରିଥିଲେ। ସମସ୍ତଙ୍କୁ ଡାକି ବାହାରକୁ ଚାଲି ଆସିଥିଲେ। ହୋ ହଲ୍ଲା ଶୁଣି ସିନେମା ଅପରେଟର ଜଗବନ୍ଧୁ ଘଡ଼ାଇ ବାହାରକୁ ଆସିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। କିଛି ସମୟ ପରେ ଫାୟାର ବ୍ରିଗେଡ୍‌ ପହଞ୍ଚିଥିଲେ ମଧ୍ୟ ସେତେବେଳକୁ କାଗଜପତ୍ର ଜଳିବା ଆରମ୍ଭ କରିଥିଲା। ତଳମହଲାରେ ଲାଗିଥିବା ନିଆଁ ଉପର ମହଲାକୁ ମାଡ଼ି ଯାଇଥିଲା। ସେଣ୍ଟର ଫର ଏକ୍ସଲେନ୍ସ ସହ ଆଇଇସି ଡେଭଲପ୍‌ମେଣ୍ଟ ଓ ବିଜ୍ଞାପନ ପାଇଁ ରହିଥିବା ଗୁରୁତ୍ବପୂର୍ଣ୍ଣ କାଗଜ ଜଳି ଯାଇଥିଲା। ନିଆଁ ଲାଗିବା ଫଳରେ ତଳ ମହଲାରେ ଥିବା ୬ଟି ରୁମ୍‌ ପ୍ରଭାବିତ ହୋଇଛି। ଏହି କାର୍ଯ୍ୟାଳୟ ବିଜ୍ଞାପନ ସହ ଆଇଇସି ଡେଭଲପ୍‌ମେଣ୍ଟ ଭଳି ସ୍ବାସ୍ଥ୍ୟ ବିଭାଗର ଗୁରୁତ୍ବପୂର୍ଣ୍ଣ ବିଭାଗ ଡିଲ୍‌ କରେ। କିଛିମାସ ତଳେ ସମଗ୍ର କୋଠାରେ ନୂଆ ୱେୟାରିଂ(ବିଦ୍ୟୁତୀକରଣ) କରାଯାଇଥିଲା। ହେଲେ ସର୍ଟ ସର୍କିଟ ହେଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ‘ନୂଆ ୱେୟାରିଂରେ କେଉଁଠି ଫଲ୍ଟ ଥାଇପାରେ’ ବୋଲି ସିନେମା ଅପରେଟର‌୍ ଆଶଙ୍କା କରୁଛନ୍ତି।

ଜଳୁଛି ଆଲମାରି: ଦୀର୍ଘ ଦୁଇଘଣ୍ଟାର ପରିଶ୍ରମ ପରେ ନିଆଁକୁ କାବୁ କରିଥିଲା ଅଗ୍ନିଶମ ବିଭାଗ। ପ୍ରଥମ ମହଲାରେ ଗୁରୁତ୍ବପୂର୍ଣ୍ଣ (ଫାଇନାନ୍ସ୍) ବିଭାଗକୁ ଡିଲ କରାଯାଉଥିବାରୁ ସେ ସବୁ କାଗଜପତ୍ର ବଞ୍ଚାଇବା ପାଇଁ ପ୍ରଥମେ ଉଦ୍ୟମ କରାଯାଇଥିଲା। ତଳମହଲାରେ ଧୂଆଁ ଭର୍ତ୍ତି ହେବା ସହ ନିଆଁ ଜଳୁଥିବାରୁ କର୍ମଚାରୀମାନେ ସିଡିରେ ଚଢ଼ି ଉପର ମହଲା ‌କରିଡର୍‌ କାଚ ଭାଙ୍ଗି ଭିତରେ ପଶିଥିଲେ। ହେଲେ ସୌଭାଗ୍ୟ ବଶତଃ ସେଠାରେ ସମସ୍ତ କାଗଜପତ୍ର ସୁରକ୍ଷିତ ଥିଲା। ତେଣୁ କର୍ମଚାରୀମାନେ ତଳମହଲାକୁ ଆସି ସମସ୍ତ ଝରକା ଭାଙ୍ଗି ଧୂଆଁ ବାହାରକୁ ବାହାର କରିବା ପାଇଁ ଉଦ୍ୟମ କରିଥିଲେ। ତେବେ ଦୁଇଟି ଆଲମାରି ଭିତରେ ଥିବା କାଗଜପତ୍ର ଜଳୁଥିଲା। ଚାବି ନ ଥିବାରୁ ଏହାକୁ ଖୋଲି ନିଆଁ ଲିଭାଇବା ସମ୍ଭବ ହୋଇ ନଥିଲା। ଆଲମାରିକୁ ବାହାରକୁ ଅଣାଯାଇଥିଲେ ମଧ୍ୟ ସେଥିରୁ ଧୂଆଁ ବାହାରିବା ଜାରି ରହିଥିଲା।

କାର୍ଯ୍ୟାଳୟରେ ମଦ ବୋତଲ: ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀ ଭିତରେ ପହଞ୍ଚିବା ପରେ ତଳ ମହଲାର ଏକ କୋଠରିରେ ମଦ ବୋତଲ ଗଦା ହୋଇଥିବା ଦେଖିଥିଲେ। କୋଠରିରେ ଯେତିକି ମଦ ବୋତଲ ଗଦା ହୋଇଥିଲା, ଦୀର୍ଘ ଦିନରୁ ଏଠାରେ ମଦର ଆସର ଜମୁଥିଲା ବୋଲି ଆଲୋଚନା ହେଉଛି। ‘ମଦ ନିଶାରେ କିମ୍ବା ମଦ ସହ ସିଗାରେଟ୍‌ ପିଇବା ବେଳେ ଅସାବଧାନତାରୁ ଏପରି ଅଗ୍ନିକାଣ୍ଡ ଘଟିଥାଇ ପାରେ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର