ଆଳୁ ବଜାରରେ ନିଆଁ

ବର୍ଷ ଆରମ୍ଭରୁ କେଜି ୧୮ ଟଙ୍କା ଛୁଇଁଲାଣି, ଯୋଗାଣ ବିଭାଗ ବେଫିକର

ଭୁବନେଶ୍ୱର: ଅଳ୍ପ ଦିନ ତଳେ ଆଳୁ ଉତ୍ପାଦନ ସରିଛି। ସ୍ୱାଭାବିକ ଭାବେ ଖାଉଟି ଏହି ସମୟରେ ପ୍ରତିବର୍ଷ ଭଳି ଅପେକ୍ଷାକୃତ କମ୍‌ ଦରରେ ଆଳୁ ପାଇବେ ବୋଲି ଆଶା କରିଥାନ୍ତି। ମାତ୍ର ଚଳିତବର୍ଷ ଆରମ୍ଭରୁ ଆଳୁ ବଜାରରେ ନିଆଁ ଲାଗିଲାଣି। ଏମିତି ଯେ ଭୁବନେଶ୍ୱର ବଜାରରେ ଆଳୁ କେଜି ୧୮ ଟଙ୍କା ଛୁଇଁଛି। ଖୁଚୁରା ବଜାରରେ ୨୦ ଟଙ୍କାରେ ବିକ୍ରି ହେଲାଣି। ପିଆଜ ଦରକୁ ଆଳୁ ଟପିଯାଇଛି। ବ୍ୟବସାୟୀ ମହାସଂଘ ଚେତାଇ ଦେଲାଣି ଯେ ସ୍ଥିତି ଆଗକୁ ଆହୁରି ସାଂଘାତିକ ହେବ। ପାଇକାରୀ ବଜାରରେ ଆଳୁ ୧୮ରୁ ୨୦ ଟଙ୍କା ଛୁଇଁପାରେ। ଏଣୁ ଜୁନ୍‌-ଜୁଲାଇ ବେଳକୁ ଆଳୁ ଦର କେଜି ପ୍ରତି ୨୩ଟଙ୍କା ଛୁଇଁବା ବିଚିତ୍ର ନୁହେଁ। ସ୍ଥିତି ସଂପର୍କରେ ଆଗତୁରା ଜାଣିବା ପରେ ବ୍ୟବସାୟୀମାନେ ଆଳୁ ଆଣି ଗଚ୍ଛିତ କରି ରଖିବା ଆରମ୍ଭ କରିଦେଲେଣି। ଏଣୁ ବଜାର ଉପରେ ଏହାର ଜବରଦସ୍ତ ପ୍ରଭାବ ପଡୁଥିବା କୁହାଯାଉଛି।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଆଳୁ ଦର ବୃଦ୍ଧି ଘଟିବ ବୋଲି ପୂର୍ବରୁ ସୂଚନା ମିଳିଥିଲା। କାରଣ ପୂର୍ବ ବର୍ଷ ତୁଳନାରେ ଆଳୁ ଉତ୍ପାଦନ ୧୦ରୁ ୧୨ ପ୍ରତିଶତ କମିଛି। ଯଦିଓ ପଶ୍ଚିିମବଙ୍ଗରେ ଏହାର ବଡ଼ ଧରଣର ପ୍ରଭାବ ପଡିନାହିଁ, କିନ୍ତୁ ଉତ୍ତର ଭାରତ ଓ ପଞ୍ଜାବ ଆଦି ରାଜ୍ୟରେ ଆଳୁ ଚାଷ ଗଭୀର ଭାବେ ପ୍ରଭାବିତ ହୋଇଛି। ପୂର୍ବବର୍ଷ କ୍ଷତି ସହିଥିବାରୁ ଏସବୁ ଅଞ୍ଚଳର ଅଧିକାଂଶ ଚାଷୀ ଆଳୁ ଚାଷରୁ ମୁହଁ ଫେରାଇ ନେଇଛନ୍ତି। ଏହାର ପ୍ରଭାବ ଏବେ ବଜାର ଉପରେ ପଡିବା ଆରମ୍ଭ କଲାଣି। ପୂର୍ବରୁ ଓଡ଼ିଶା ଚାଷୀ ମଧ୍ୟ ଅନୁରୂପ ପରିସ୍ଥିତିକୁ ସାମ୍ନା କରିଥିଲେ। ଦୁଇବର୍ଷ ତଳେ ଯେଉଁ ଚାଷୀମାନେ ଆଳୁ ଚାଷ କରିଥିଲେ, ସେମାନଙ୍କୁ ବଜାର ଯୋଗାଇ ଦେବାରେ ସରକାର ବିଫଳ ହେବା କାରଣରୁ ଚାଷୀ କ୍ଷତି ସହିଥିଲା। ଏଣୁ ଆଳୁ ଉତ୍ପାଦନ ଚଳିତବର୍ଷ ବର୍ଷ ୬୦ହଜାରରୁ ୭୦ ହଜାର ଟନ୍‌ ମଧ୍ୟରେ ହୋଇଥିବା ସୂଚନା ମିଳୁଛି। ଏହା ଓଡ଼ିଶା ବଜାରର ଚାହିଦା (ଆନୁମାନିକ ୧୦ଲକ୍ଷ ଟନ୍‌) ଆଦୌ ମେଣ୍ଟାଇ ପାରିବ ନାହିଁ।

ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁସାରେ, ପଶ୍ଚିମବଙ୍ଗରେ ଫି ବର୍ଷ ୧୧୫ଲକ୍ଷ ଟନ୍‌ ଆଳୁ ଉତ୍ପାଦନ ହୋଇଥାଏ। ଚଳିତବର୍ଷ ମଧ୍ୟ ୧୧୦ ଲକ୍ଷ ଟନ୍‌ରୁ ଅଧିକ ଆଳୁ ଉତ୍ପାଦନ ହୋଇଥିବା ଖବର ଆସୁଛି। ପଶ୍ଚିମବଙ୍ଗର ପ୍ରାୟ ପ୍ରତି ଆଳୁ ଶୀତଳଭଣ୍ଡାରର ୯୫% ପୂର୍ଣ୍ଣ ହୋଇସାରିଲାଣି। ହେଲେ, ଆଳୁ ଦର ଉଚ୍ଚା ରହିବାର କାରଣ ହେଉଛି, ଉତ୍ତର ଭାରତ ଓ ପଞ୍ଜାବ ଆଦି ଅଞ୍ଚଳକୁ ଏଠାରୁ ଆଳୁ ଯିବା ଆରମ୍ଭ କରିଛି। ଯେତେ ଅଧିକ ଆଳୁ ସେସବୁ ଅ଼ଞ୍ଚଳକୁ ଯିବ, ବଜାର ଉପରେ ସେତିକି ଅଧିକ ପ୍ରଭାବ ଅନୁଭୂତ ହେବ। ଆଜିର ବଜାର ଚିତ୍ର କହୁଛି ଯେ ପଶ୍ଚିମ ବଙ୍ଗରେ ଆଳୁ କ୍ୱିଣ୍ଟାଲ ପିଛା ୧୩୦୦ ଟଙ୍କା କିଣାଯାଉଛି। ଏଣୁ ସ୍ୱାଭାବିକ ଭାବେ ବଜାରରେ ଆଳୁ ଦାମ ୧୪ ଟଙ୍କା ୫୦ କିମ୍ବା ୬୦ ପଇସା ହେବା କଥା। ମାତ୍ର ଭୁବନେଶ୍ୱର ବଜାରରେ ଆଳୁ ଗତକାଲି ଠାରୁ ୧୮ ଟଙ୍କାରେ ବିକ୍ରି ହେଲାଣି। ଏହାକୁ ନେଇ ଲୋକଙ୍କ ଭିତରେ ନାହିଁ ନଥିବା ପ୍ରତ୍ରିକ୍ରିୟା ସୃଷ୍ଟି ହୋଇଛି। ବ୍ୟବସାୟୀମାନେ ଆଳୁ କିଣି ମହଜୁଦ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ହେଲେ ରାଜ୍ୟ ସରକାର କିନ୍ତୁ ନିର୍ବିକାର। ରାଜ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ନା ବଜାରରେ ହସ୍ତକ୍ଷେପ କରୁଛନ୍ତି ନା ଆଳୁ ଦର କିଭଳି ନିୟନ୍ତ୍ରଣରେ ସେ ନେଇ କିଛି ଉଦ୍ୟମ କରୁଛନ୍ତି। ବ୍ୟବସାୟୀ ସଂଘ ପକ୍ଷରୁ ସୁଧାକର ପଣ୍ଡା କହିଛନ୍ତି, ଦର ବଢିବ ଏକଥା ସରକାରଙ୍କୁ ଆଗତୁରା ଜଣାଇ ଦିଆଯାଇଥିଲା। କେବଳ ସେତିକି ନୁହେଁ, ସରକାରଙ୍କୁ ପରାମର୍ଶ ଦିଆଯାଇଥିଲା ଯେ ବେଶୀ ନ ହେଲେ ନାହିଁ, ଅତି କମ୍‌ରେ ୧ଲକ୍ଷ ଟନ୍‌ ଆଳୁ ଆଗୁଆ କିଣି ମହଜୁଦ୍‌ କରନ୍ତୁ। ତା ହେଲେ ତିରୋଟ ସମୟରେ ସରକାର ବଜାରରେ ହସ୍ତକ୍ଷେପ କରିପାରିଥାନ୍ତେ ଓ ଦର ନିୟନ୍ତ୍ରଣ ରହିଥାନ୍ତା। ମାତ୍ର ଏମିତି କିଛି ହେଲାନି। ଯାହା ସୂଚନା ମିଳୁଛି, ମେ’ ଦ୍ୱିତୀୟ ସପ୍ତାହ ବେଳକୁ ଆଳୁ ଉପରମୁଣ୍ଡରେ କ୍ୱିଣ୍ଟାଲ ପ୍ରତି ୧୭୦୦-୧୮୦୦ ହୋଇଯିବ। ଏହା ହେଲେ ଖାଉଟି ପାଇବା ବେଳକୁ ଦର ୨୩ ଟଙ୍କା ଛୁଇଁଯିବ। ଯଦିଓ ଶୀତଳଭଣ୍ଡାରରେ ଆଳୁ ମହଜୁଦ ଥିବା କାରଣରୁ ଦର ଏହା ଠାରୁ ବଢିବା ସମ୍ଭାବନା କମ୍‌, ତଥାପି ଏ ସୀମା ଛୁଇଁବା ସମ୍ଭାବନାକୁ ଏଡାଇ ଦେଇ ହେଉନାହିଁ।

ଏଠାରେ ପ୍ରକାଶଥାଉକି, ପିଆଜ ମୂଲ୍ୟ କମୁଥିଲେ ହେଁ, ବ୍ୟବସାୟୀମାନେ ତଳମୁଣ୍ଡରେ ତଥାପି ଉଚ୍ଚା ଦରରେ ବିକ୍ରି କରୁଛନ୍ତି। ଆଜି ପାଇକାରୀ ବଜାରରେ ପିଆଜ କ୍ୱିଣ୍ଟାଲ ୯୫୦ରୁ ୧୦୫୦ ଟଙ୍କା ରହିଛି। ଅତି ଭଲ ପିଆଜ ୧୧୦୦ ଟଙ୍କା ରହିଛି। ମାତ୍ର ଖୁଚୁରା ବଜାରରେ କିନ୍ତୁ ଦର କେଜି ୧୫ରୁ ୧୬ ଟଙ୍କା ରହିଛି। ଏ କ୍ଷେତ୍ରରେ ମଧ୍ୟ ବ୍ୟବସାୟୀମାନେ ମନଇଚ୍ଛା ଅର୍ଥ ନେଉଥିବା ଅଭିଯୋଗ ବଢିବାରେ ଲାଗିଲାଣି।

ସମ୍ବନ୍ଧିତ ଖବର