ନର୍ସରିରେ ନିଆଁ, ଜଳିଗଲା ଆମ୍ବ ଚାରା

ମାଲକାନଗିରି : ମାଲକାନଗିରି ଷ୍ଟାଡିୟମ ନିକଟ ଉଦ୍ୟାନ ବିଭାଗ ତାଲିମ କେନ୍ଦ୍ର ପାର୍ଶ୍ୱରେ ଥିବା ନର୍ସରିରେ ଆଜି ନିଆଁ ଲାଗି ବହୁ ପରିମାଣର ଆମ୍ବ ଚାରା ନଷ୍ଟ ହୋଇଯାଇଛି। ପ୍ରାୟ ୧୩ ଏକର ଜାଗାରେ ଉଦ୍ୟାନ ବିଭାଗ ପକ୍ଷରୁ ବିଭିନ୍ନ ଚାରା ଲଗାଯାଇଛି। ଆଜି ଅପରାହ୍ନରେ ଅଚାନକ ନିଆଁ ଲାଗିଯିବା ଫଳରେ ନର୍ସରି ହୁତୁହୁତୁ ହୋଇ ଜଳି ଉଠିଥିଲା। ଅଗ୍ନିଶମ ଅଧିକାରୀ ସୀମାଞ୍ଚଳ ପାଢୀଙ୍କ ନେତୃତ୍ୱରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଚେଷ୍ଟା କରିବା ପରେ ନିଆଁକୁ ଆୟତ୍ତ କରାଯାଇପାରିଥିଲା।

ଏହି ନର୍ସରିରେ ଲଗା ଯାଇଥିବା ବହୁ ଆମ୍ବ ଚାରା ନିଆଁରେ ପୋଡି ପାଉଁଶ ହୋଇଥିବା ଦେଖିବାକୁ ମିଳିଛି। ଏନେଇ ଉଦ୍ୟାନ ବିଭାଗ ପିଡିଙ୍କୁ ପଚାରିବାରୁ ନର୍ସରିକୁ ଲାଗି ରହିଥିବା ଚାଷ ଜମିରେ ନିଆଁ ଲାଗିବା ଯୋଗୁଁ ନର୍ସରୀ ଆଡକୁ ମାଡି ଆସିଥିଲା। ତେବେ ନର୍ସରିର ଗଛଗୁଡିକର ଅଧିକ କିଛି କ୍ଷତି ହୋଇନଥିବା କହିଥିଲେ। ଅଗ୍ନିଶମ ଅଧିକାରୀ ଶ୍ରୀ ପାଢୀଙ୍କ କହିବା ଅନୁଯାୟୀ ନର୍ସରୀ ନିକଟରେ ବହୁ ଘାସ ରହିଛି, ଯାହକି ଭବିଷ୍ୟତରେ ବିପଦ ଆଣିପାରେ। ନିକଟରେ ଏକ ହସପିଟାଲ ରହିଥିବାରୁ ଯଦି ଘାସରେ ନିଆଁ ଲାଗେ, ତେବେ ହସପିଟାଲ ଉପରେ ଏହାର ପ୍ରଭାବ ପଡିବ। ତେଣୁ ବିଭାଗ ପକ୍ଷରୁ ତୁରନ୍ତ ଏହାର ସଫେଇ କରିବା ପାଇଁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର