ଜଳିଗଲା ରୋହିତ ଫେରୋଟେକ୍‌

୬ କୋଟି ଟଙ୍କାର ଯନ୍ତ୍ରାଂଶ ପୋଡ଼ି ପାଉଁଶ

କଳିଙ୍ଗନଗର : କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ରୋହିତ ଫେରୋଟେକ୍‌ କାରଖାନାରେ ଗତକାଲି ବିଳମ୍ବିତ ରାତିରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ପ୍ରାୟ ୬ କୋଟି ଟଙ୍କାର ଯନ୍ତ୍ରାଂଶ ପୋଡ଼ି ପାଉଁଶ ହୋଇଯାଇଛି। ଏକ ନମ୍ବର ଫର୍ଣ୍ଣେସଟି ପୂରା ଜଳିଯାଇଛି। ବିଭିନ୍ନ ସ୍ଥାନରୁ ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ କଲା ବେଳକୁ କାରଖାନାର ଅନେକ ଯନ୍ତ୍ରାଂଶ ପୋଡ଼ି ଯାଇଥିଲା। ପରେ ଅଗ୍ନିଶମ ବଭାଗ କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। ତେବେ ବିଳମ୍ବିତ ରାତିରେ ହୋଇଥିବାରୁ ଏଥିରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ ରାତି ପାଖାପାଖି ସାଢ଼େ ଗୋଟାଏ ବେଳେ ଏଭଳି ଅଗ୍ନିକାଣ୍ଡ ଘଟିଛି। ତଳ ମହଲାରେ ନିରାପତ୍ତା ରକ୍ଷୀ ରହୁଥିବା ବେଳେ ଉପର ମହଲାରେ ନିଆଁ ଲାଗି ଯାଇଥିଲା। ତେବେ ନିଆଁ କେମିତି ଲାଗିଛି ତାର କୌଣସି ସୂଚନା ମିଳିପାରିନାହିଁ। ମାତ୍ର ତେଲ ବହୁଥିବା ଦେଖି ଜଣେ ଡ୍ରାଇଭର ଏବଂ ନିରାପତ୍ତା ରକ୍ଷୀ ଉପର ମହଲା ଆଡକୁ ଯିବା ବେଳେ ନିଆଁ ଲାଗି ଥିବା ଦେଖିଥିଲେ। ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ପରେ ଦମକଳ ବାହିନୀକୁ ଖବର ଦିଆଯାଥିଲା। ପର୍ଣ୍ଣେସର ଟ୍ରାନ୍‌ସଫରର୍ମର ଫ୍ଲୋର କିମ୍ବା ହାଇଡ୍ରୋଲିକ୍‌ ଫ୍ଲୋର୍‌ରୁ ଅଗ୍ନିକାଣ୍ଡର ସୂତ୍ରପାତ ହୋଇଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡର ଅଳ୍ପ ସମୟ ମଧ୍ୟରେ ଫର୍ଣ୍ଣେସର ୫ଟି ଯାକ ଫ୍ଲୋରକୁ ନିଆଁ ମାଡ଼ି ଯାଇଥିଲା।

ନିଆଁର ପ୍ରକୋପ ଏତେ ଥିଲା ଯେ ଲୁହାବିମ୍‌ଗୁଡ଼ିକ ବଙ୍କା ହୋଇଥିବାରୁ ଫ୍ଲୋରଗୁଡ଼ିକ ଦବି ଯାଇଥିବା ଜଣାପଡ଼ିଛି। ଫର୍ଣ୍ଣେର୍ସର ତିନିଟି ଟ୍ରାନ୍‌ସଫରର୍ମର ମଧ୍ୟରୁ ଗୋଟିଏ ଟ୍ରାନ୍‌ସଫରର୍ମର ସଂପୂର୍ଣ ଜଳିଯାଇଛି। ଭିସାଷ୍ଟିଲ୍‌ରୁ ଦୁଇଟି, ଜିନ୍ଦଲରୁ ଗୋଟିଏ, ମେସ୍କୋ ଷ୍ଟିଲ୍‌ର ଗୋଟିଏ, ଟାଟାଷ୍ଟିଲ୍‌ର ଦୁଇଟି, ଦାନଗଦୀ ଦମକଳ କେନ୍ଦ୍ରରୁ ଗୋଟିଏ ଏବଂ ଯାଜପୁରରୋଡ଼ ଦମକଳ କେନ୍ଦ୍ରରୁ ଗୋଟିଏ ମୋଟ୍‌ ୮ ଗୋଟି ଦମକଳ ଗାଡ଼ି ନିଆଁକୁ ଆୟତ୍ତ କରିବାକୁ ଦୁଇ ଘଣ୍ଟାରୁ ଊର୍ଧ୍ୱ ସମୟ ଲାଗି ଯାଇଥିଲା। ରାତି ସିଫ୍‌ଟରେ ସେ ସ୍ଥାନରେ କୌଣସି ଶ୍ରମିକ ବା କର୍ମଚାରୀ କାର୍ଯ୍ୟରତ ନଥିବାରୁ ଧନଜୀବନ କ୍ଷୟକ୍ଷତି ଘଟି ନାହିଁ। ନିଆଁ ତାପରେ ଟ୍ରାନ୍‌ସଫରର୍ମର ଅଏଲ ଏବଂ ହାଇଡ୍ରୋଲିକ୍‌ ଅଏଲ ପାଇପ୍‌ଗୁଡ଼ିକ ଫାଟି ଯିବା ପରେ ନିଆଁକୁ ଆୟତ୍ତ କରିବା କଷ୍ଟସାଧ୍ୟ ହୋଇ ପଡ଼ିଥିଲା।

ପ୍ରଥମେ ମାନ୍ଦାବସ୍ଥା, କେତେବେଳେ କଞ୍ଚାମାଲର ଅଭାବ ଏବଂ ଶେଷରେ ମାତ୍ରାଧିକ ଋଣ ଭାର ଯୋଗୁ ରୁଗ୍‌ଣ ହୋଇ ପଡ଼ିଥିବା ରୋହିତ ଫେରୋଟେକ୍‌ କାରଖାନା ଅଣ୍ଟା ସଳଖି ଚାଲିବା ପାଇଁ ସଂଘର୍ଷ କରୁଥିବା ବେଳେ ଏପରି ଦୁର୍ଘଟଣା କାରଖାନା ପାଇଁ ଏକ ବଡ଼ ଝଟ୍‌କା ବୋଲି କୁହାଯାଉଛି। ଅଗ୍ନିକାଣ୍ଡ ଖବର ଶୁଣି କାରଖାନାର ସମସ୍ତ ବିଭାଗୀୟ ମୁଖ୍ୟ କାରଖାନାରେ ପହଞ୍ଚି ଥିଲେ। ଆଜି ସକାଳୁ ସମସ୍ତ ବିଭାଗୀୟ ମୁଖ୍ୟ କାରଖାନା ମୁଖ୍ୟଙ୍କ ସହ ଆଲୋଚନାକରି ଆଗାମୀ ଦୁଇ ଦିନ ମଧ୍ୟରେ ଫର୍ଣ୍ଣେର୍ସର ମରାମତି କାର୍ଯ୍ୟ ଆରମ୍ଭ କରି ତୁରନ୍ତ ଫର୍ଣ୍ଣେସ୍‌କୁ କାର୍ଯ୍ୟକ୍ଷମ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।

ଏ ସଂପର୍କରେ କାରଖାନାର ମାନବସମ୍ବଳ ବିଭାଗ ମୁଖ୍ୟ ଭରତ ମହାନ୍ତି କହିଛନ୍ତି ଯେ ସର୍ଟ ସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ୬ କୋଟି ଟଙ୍କାର ସମ୍ପତ୍ତି ପୋଡ଼ି ଯାଇଛି। ପ୍ରାୟ ଦୁଇ ମାସ ପର୍ଯ୍ୟନ୍ତ କାରଖାନାରେ ଉତ୍ପାଦନ ବନ୍ଦ ରହିବ। ଫର୍ଣ୍ଣେସ ମରାମତି ପରେ ଉତ୍ପାଦନ ଆରମ୍ଭ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର