ଚଳନ୍ତା ଟ୍ରେନ୍‌ରେ ନିଆଁ : ପାର୍ସର୍ଲ୍‌ ବଗି ଜଳିଗଲା, ଯାତ୍ରୀ ସୁରକ୍ଷିତ, ସିଆର୍‌ପିଏଫ୍‌ ଯବାନଙ୍କ ସାମଗ୍ରୀ ଭସ୍ମୀଭୂତ

ହରିଚନ୍ଦନପୁର : କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର୍‌ ଟ୍ରେନ୍‌ରେ ଆଜି ଅଗ୍ନିକାଣ୍ଡ ଘଟିଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ର ଚିଲିକିଧରା ଷ୍ଟେସନ୍‌ ନିକଟରେ ଟ୍ରେନ୍‌ଟି ଅଟକିବା ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ହଠାତ୍‌ ଘଟିଥିବା ଏହି ଘଟଣାଟି ଯାତ୍ରୀଙ୍କ ଭିତରେ ଭୟ ଖେଳାଇ ଦେଇଥିଲା ଏବଂ ଯିଏ ଯୁଆଡ଼େ ପାରିଲେ ଦୌଡ଼ିଥିଲେ। ପାର୍ସଲ ବଗିରେ ନିଅାଁ ଲାଗିଥିବା ଜଣାପଡ଼ିବା ପରେ ଯାତ୍ରୀମାନେ ଆଶ୍ୱସ୍ତ ହୋଇଥିଲେ। ତେବେ, ବଗି ଏବଂ ସେଥିରେ ଥିବା ବହୁ ସାମଗ୍ରୀ ଜଳିଯାଇଛି। ନିଅାଁ ଲିଭାଯିବା ପରର ୭ ଘଣ୍ଟା ବିଳମ୍ବରେ ଟ୍ରେନ୍‌ଟି ଚିଲିକିଧରା ଷ୍ଟେସନ୍‌ ଛାଡ଼ିଥିଲା।

ସୂଚନା ଅନୁସାରେ, ସକାଳ ପ୍ରାୟ ୮ଟା ବେଳେ ଟ୍ରେନ୍‌ଟି ଚିଲିକିଧରା ଷ୍ଟେସନ୍‌ରେ ପହଞ୍ଚିଥିଲା। କୌଣସି କାରଣରୁ ଟ୍ରେନ୍‌ର ଇଞ୍ଜିନ ନିକଟ ପାର୍ସଲ ବଗିରେ ନିଅାଁ ଲାଗିଯାଇଥିଲା। କିଛି ସମୟ ଭିତରେ ଟ୍ରେନ୍‌ ହୁତହୁତ୍‌ ଜଳିବା ସହ ପ୍ରବଳ ଧୂଅାଁ ଉଠିଥିଲା। ଯାତ୍ରୀ ବଗି ସୁରକ୍ଷିତ ଥିବାରୁ ହଠାତ୍‌ କିଛି ଜଣାପଡ଼ିନଥିଲା। ତେବେ, ଏହି ଘଟଣା ଜାଣିବା ପରେ ଟ୍ରେନ୍‌ ଡ୍ରାଇଭର ତୁରନ୍ତ ପାସେଞ୍ଜର ବଗିକୁ ଅଲଗା କରିବା ସହ ପାର୍ସର୍ଲ୍‌ ବଗିକୁ ୧୦୦ ମିଟର ଆଗକୁ ନେଇଯାଇଥିଲେ। ଖବର ପାଇ ହରିଚନ୍ଦନପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି କିଛି ଘଣ୍ଟାର କସରତ ପରେ ନିଅାଁକୁ ସମ୍ପୂର୍ଣ୍ଣ ଆୟତ୍ତକୁ ଆଣିଥିଲେ।

ମିଳିଥିବା ସୂଚନା ଅନୁସାରେ, ଏହି ପାର୍ସଲ୍‌ ବଗିରେ ସିଆର୍‌ପିଏଫ୍‌ ୬୪ ବାଟାଲିଅନ ଯବାନଙ୍କ ବାକ୍ସ, କାଗଜପତ୍ର କେନ୍ଦୁଝରରୁ ଭୁବନେଶ୍ୱର ଯାଉଥିଲା। ଏହାର ପଛ ବଗିରେ ସିଆରପିଏଫ୍‌ ଯବାନମାନେ ବସିଥିିଲେ। ଏହି ଅଗ୍ନିକାଣ୍ଡ କେଉଁ କାରଣରୁ ଘଟିଲା ତାହା ଜଣାପଡିନଥିଲା। ତେବେ, ନିଅାଁ ଲିଭିଥିଲେ ମଧ୍ୟ ଦୀର୍ଘ ୭ ଘଣ୍ଟା ବିଳମ୍ବରେ ଅର୍ଥାତ୍‌ ଅପରାହ୍ନ ୩ଟା ୧୫ ମିନିଟ୍‌ରେ ଟ୍ରେନ୍‌ଟି ଷ୍ଟେସନ୍‌ ଛାଡିଥିଲା। ଏହି ସମୟରେ, କେତେକ ଯାତ୍ରୀ ଅଟକି ରହିଥିବାବେଳେ ଷ୍ଟେସନ ପକ୍ଷରୁ କୌଣସି ବ୍ୟବସ୍ଥା କରାନଯିବାରୁ ହଇରାଣ ହୋଇଥିଲେ। ସେହିପରି ଏହି ଅଗ୍ନିକାଣ୍ଡ ଯୋଗୁୁ ପୁରୀ-ଚକ୍ରଧରପୁର ଏକ୍ସପ୍ରେସ ୪ ଘଣ୍ଟା ବିଳମ୍ବରେ ହରିଚନ୍ଦନପୁର ଷ୍ଟେସନରେ ପହଞ୍ଚିଥିଲା।

ସମ୍ବନ୍ଧିତ ଖବର