ଗୃହ ବିଭାଗକୁ ସ୍ୱାସ୍ଥ୍ୟ ସଚିବଙ୍କ ଚିଠି : ଅଗ୍ନି ସୁରକ୍ଷା ନିୟମରେ ଡାକ୍ତରୀ ପ୍ରତିଷ୍ଠାନକୁ ବର୍ଗୀକରଣ କର

ଭୁବନେଶ୍ୱର : ରାଜ୍ୟରେ ଥିବା ଡାକ୍ତରୀ ପ୍ରତିଷ୍ଠାନଗୁଡ଼ିକୁ ଅଗ୍ନି ସୁରକ୍ଷା ନିୟମରେ କୋହଳ ମନୋଭାବ ଦେଖାଇବାକୁ ଗୃହ ବିଭାଗକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା। ଅଗ୍ନି ସୁରକ୍ଷା ସାର୍ଟିଫିକେଟ୍‌ ପାଇଁ ହୋଟେଲ, ଲଜିଂ, ଗେଷ୍ଟ ହାଉସ, ସପିଂ ମଲମାନଙ୍କ କ୍ଷେତ୍ରରେ କରାଯାଇଥିବା ବର୍ଗୀକରଣ ଭଳି ଡାକ୍ତରୀ ପ୍ରତିଷ୍ଠାନଗୁଡ଼ିକୁ ବର୍ଗୀକରଣରେ ସାମିଲ କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ଡା.ମେହେର୍ଦା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟରେ ୧୭ଶହରୁ ଅଧିକ ପଞ୍ଜୀକୃତ ଡାକ୍ତରୀ ପ୍ରତିଷ୍ଠାନ ରହିଛି। ସେମାନଙ୍କ ମଧ୍ୟରୁ ୭୦ପ୍ରତିଶତ ହେଉଛନ୍ତି ପାଥୋଲୋଜି, ପଲି କ୍ଲିନିକ, ଡେଣ୍ଟାଲ କ୍ଲିନିକ, ଏକ୍ସ-ରେ ଓ ୟୁଏସ୍‌ଜି ୟୁନିଟ୍‌। ଏସବୁ ପ୍ରତିଷ୍ଠାନଗୁଡ଼ିକ ବହୁତ ଛୋଟ ଘରେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ଶଯ୍ୟା କିମ୍ବା ଆଇସିୟୁ ନାହିଁ। ତେଣୁ ନିଅାଁ ପ୍ରତି ଏସବୁ ପ୍ରତିଷ୍ଠାନଗୁଡ଼ିକରେ ବିଶେଷ ବିପଦ ନାହିଁ। ଏହାକୁ ନଜରରେ ରଖି ଅଗ୍ନିସମ ଡିଜି ଡାକ୍ତରୀ ପ୍ରତିଷ୍ଠାନଗୁଡ଼ିକ ଦୁଇ ଭାଗରେ ବିଭକ୍ତ କରିଛନ୍ତି।

ରାଜ୍ୟ ଡାକ୍ତରୀ ପ୍ରତିଷ୍ଠାନ(ନିୟନ୍ତ୍ରଣ ଓ ପରିଚାଳନା) ଆଇନ ୧୯୯୦ ମସିହାରେ ପ୍ରଣୟନ ହୋଇଥିବା ବେଳେ ଏଥିରେ ଡାକ୍ତରୀ ପ୍ରତିଷ୍ଠାନୁଗୁଡ଼ିକର ପଞ୍ଜୀକରଣ ଓ ନବୀକରଣ କରାଯାଉଛି। ୨୦୧୫ ମସିହା ପର୍ଯ୍ୟନ୍ତ ବାଧ୍ୟତାମୂଳକ ଅଗ୍ନି ସୁରକ୍ଷା ବ୍ୟବସ୍ଥା ନ ଥିଲା। ତେବେ ୨୦୧୧ରେ କୋଲକାତାସ୍ଥିତ ଆମ୍ରି ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ଅଗ୍ନିସେବା ଡିଜି ଡାକ୍ତରୀ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ସୁରକ୍ଷା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ଡିଏମ୍‌ଇଟିଙ୍କୁ ଚିଠି ଲେଖିଥିଲେ। ପରେ ଏଥିପାଇଁ ଏକ କମିଟି ଗଠନ କରାଯିବା ସହିତ ଡାକ୍ତରୀ ପ୍ରତିଷ୍ଠାନଗୁଡ଼ିକ ପାଇଁ ଅଗ୍ନି ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ କମିଟି ପ୍ରସ୍ତାବ ଦେଇଥିଲେ। ଏଥିରେ ଡାକ୍ତରୀ ପ୍ରତିଷ୍ଠାନଗୁଡ଼ିକୁ ୨ଭାଗରେ ବିଭକ୍ତ କରାଯିବା ଏବଂ ଅଗ୍ନି ସୁରକ୍ଷା ସାର୍ଟିଫିକେଟ୍‌ ହାସଲ କରିବା ସହିତ ଅନ୍ୟ ସମସ୍ତ ଆବଶ୍ୟକତାକୁ ଆତ୍ମଘୋଷିତ ଆଫିଡାଭିଟ ୍‌ଜରିଆରେ ଦେବାକୁ କୁହାଯାଇଥିଲା।

ମାତ୍ର ଗତବର୍ଷ ସେପ୍ଟେମ୍ବର ୨୬ତାରିଖରେ ଅଗ୍ନି ସୁରକ୍ଷା ନିୟମ ଧାରା ୯(ଇ)ରେ ସମସ୍ତ ଡାକ୍ତରୀ ପ୍ରତିଷ୍ଠାନଗୁଡ଼ିକୁ ଗୋଟିଏ ବିଭାଗରେ ସାମିଲ କରାଯାଇଥିଲା। ଯାହାଫଳରେ ଅଗ୍ନି ସୁରକ୍ଷା ସାର୍ଟିଫିକେଟ୍‌ ହାସଲ କରିବା ପାଇଁ ସମସ୍ତଙ୍କ ପାଇଁ ଗୋଟିଏ ନିୟମ ଲାଗୁ ହୋଇଛି। ତେଣୁ ଅନ୍ୟ କ୍ଷେତ୍ରରେ ଲାଗୁ ହୋଇଥିବା ବର୍ଗୀକରଣ ଭଳି ଡାକ୍ତରୀ ପ୍ରତିଷ୍ଠାନଗୁଡ଼ିକୁ ଏଥିରେ ସାମିଲ କରାଯାଉ। ଯାହାଫଳରେ ଡାକ୍ତରୀ ପ୍ରତିଷ୍ଠାନଗୁଡ଼ିକ ପାଇଁ ସାଧାରଣ ଭାବେ ଅଗ୍ନି ସୁରକ୍ଷା ନିୟମ ରହିବା ସହିତ ଅନ୍ୟାନ୍ୟ ଆବଶ୍ୟକତାକୁ ଆତ୍ମଘୋଷିତ ସାର୍ଟିଫିକେଟ୍‌ରେ ପ୍ରଦାନ କରିପାରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର