ଅଗ୍ନିଶମ କର୍ମଚାରୀଙ୍କ ଦରମା ଅସଙ୍ଗତି ବିବାଦ : ୨ମାସ ଅପେକ୍ଷା ପରେ ପୁଣି କାର୍ଯ୍ୟବନ୍ଦ ଚେତାବନୀ

କଟକ : ରାଜ୍ୟ ଅଗ୍ନିଶମ ବିଭାଗରେ ଦରମା ପ୍ରଦାନରେ ଥିବା ଅସଙ୍ଗତିକୁ ନେଇ ପୁଣି ଥରେ ଅସନ୍ତୋଷ ସୃଷ୍ଟି ହୋଇଛି। ଜୁଲାଇ ୧୦ ତାରିଖରୁ କାର୍ଯ୍ୟବନ୍ଦ ପାଇଁ କର୍ମଚାରୀମାନେ ଚେତାବନୀ ଦେଇଥିଲେ। ହେଲେ ଜରୁରିକାଳୀନ ସେବା ପ୍ରଭାବିତ ହେବାକୁ ଥିବାରୁ ସରକାର ଦାବି ଉପରେ ବିଚାର କରିବାକୁ ମାସେ ସମୟ ନେଇଥିଲେ। ଫଳରେ କର୍ମଚାରୀମାନେ ଆନ୍ଦୋଳନ ନିଷ୍ପତ୍ତିରୁ ଓହରି ଯାଇଥିଲେ। କିନ୍ତୁ ଇତିିମଧ୍ୟରେ ଦୁଇ ମାସ ବିତିବାକୁ ବସିଲାଣି, ହେଲେ ବର୍ଦ୍ଧିତ ଦରମା ନେଇ କୌଣସି ନିଷ୍ପତ୍ତି ଆଗେଇ ପାରୁନଥିବା ଅଭିଯୋଗ ହୋଇଛି। ଆସନ୍ତା ସେପ୍ଟେମ୍ବର ୧୦ ତାରିଖ ସୁଦ୍ଧା ଯଦି ସରକାର କୌଣସି ସ୍ପଷ୍ଟ ନିଷ୍ପତ୍ତି ନ ନିଅନ୍ତି, ତାହେଲେ ପୁଣି ଥରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି।

ସୂଚନା ଅନୁଯାୟୀ ବିଭିନ୍ନ ଉଦ୍ଧାର କାର୍ଯ୍ୟ, ଜରୁରିକାଳୀନ ପରିସ୍ଥିତିରେ ଅଗ୍ନିଶମ କର୍ମଚାରୀମାନେ ନିୟୋଜିତ ହେଉଛନ୍ତି। ପୁଲିସ୍‌ ପରି ଏମାନଙ୍କୁ ଦରମା ଓ ଗ୍ରେଡ୍‌ ପେ’ ପ୍ରଦାନ କରାଯାଉଥିଲା। ୨୦୧୦ ମସିହା ପରଠାରୁ ପୁଲିସ୍‌ କର୍ମଚାରୀମାନେ ବର୍ଦ୍ଧିତ ଦରମା ଓ ଗ୍ରେଡ୍‌ ପେ’ ପାଇ ଆସୁଥିଲେ ବି ଅଗ୍ନିଶମ କର୍ମଚାରୀଙ୍କ ଦରମା ବୃଦ୍ଧି କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବା ଅଭିଯୋଗ ହୋଇଛି। ସମାନ ପଦବିରେ କାମ କରୁଥିଲେ ବି ଦରମା ଓ ଗ୍ରେଡ୍‌ ପେ’ରେ ପାତର ଅନ୍ତର କରାଯାଉଛି। ଏ ସଂକ୍ରାନ୍ତରେ ଅନେକ ଥର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ବି କୌଣସି ସମାଧାନ ବାହାରି ପାରି ନାହିଁ। ତେଣୁ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଅଗ୍ନିଶମ କର୍ମଚାରୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର