ଅଗ୍ନିଶମ ବିଭାଗର ବର୍ଷା କସରତ୍‌ : ୨୨ସ୍ଥାନରୁ ୪୭୩ ଜଣଙ୍କୁ ଉଦ୍ଧାର

କଟକ : ଲଗାଣ ବର୍ଷା ଯୋଗୁଁ ଜଳବନ୍ଧୀ ଥିବା ରାଜ୍ୟର ବିଭିନ୍ନ ସ୍ଥାନରୁ ଦୁଇ ଦିନ ମଧ୍ୟରେ ୪୭୩ଜଣଙ୍କୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ୨୨ଟି ସ୍ଥାନରେ ଏହି ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ସେଗୁଡ଼ିକ ମଧ୍ୟରୁ ଭୁବନେଶ୍ୱରରୁ ୯ଟି ସ୍ଥାନରୁ ସର୍ବାଧିକ ୩୪୧ ଜଣଙ୍କୁ ଉଦ୍ଧାର କରାଯାଇଥିଲାବେଳେ ୧୪୫ ଜଣ ଅଗ୍ନିଶମ କର୍ମଚାରୀ ଏଥିପାଇଁ ନିୟୋଜିତ ଥିଲେ। ପୁରୀରୁ ୧୦ଜଣ, ସମ୍ବଲପୁରରୁ ୯୯ଜଣ, କଳାହାଣ୍ଡିରୁ ୧୮ଜଣ, ବୌଦ୍ଧରୁ ୨ଜଣଙ୍କୁ ପାଣିରୁ ଉଦ୍ଧାର କରାଯାଇଥିଲା। ଅନୁରୂପ ଭାବେ ଖୋର୍ଦ୍ଧା ବାଣପୁର, ଯାଜପୁର କିଆପଦା ପ୍ରକଳ୍ପ ଅଞ୍ଚଳ ଓ କଟକର ମହାନଦୀରେ ବୁଡ଼ି ପ୍ରାଣ ହରାଇଥିବା ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ ଦେହକୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିଥିବା ଏକ ରିପୋର୍ଟରେ ଦର୍ଶାଯାଇଛି। ସେହିପରି ଜଳ ନିଷ୍କାସନ ପାଇଁ ପୁରୀରେ ୨୮, କଟକରେ ୨୫, ଭୁବନେଶ୍ୱରରେ ୨୩, କେନ୍ଦ୍ରାପଡ଼ାରେ ୧, ଯାଜପୁରରେ ୨, ସମ୍ବଲପୁରରେ ୩, ବରଗଡ଼ରେ ୧, ଗଞ୍ଜାମରେ ୨ଟି ଫାୟାର ପମ୍ପ ଲଗାଯାଇଥିଲା। ମୋଟ ୯୧ଟି ସ୍ଥାନରୁ ଜଳ ନିଷ୍କାସନ ହୋଇଥିଲାବେଳେ ୧୯ଟି ସ୍ଥାନରେ ରାସ୍ତା ଅବରୋଧ କରିଥିବା ଭଙ୍ଗା ଗଛକୁ କଟାଯାଇଛି। ସାରା ରାଜ୍ୟରେ ୭୦୯ ଜଣ କର୍ମଚାରୀ ଏସବୁ କାର୍ଯ୍ୟରେ ନିୟୋଜିତ ଥିବା ଅଗ୍ନିଶମ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର