ପୂର୍ବତନ ମେୟରଙ୍କ ଗାଡ଼ିକୁ ଗୁଳିମାଡ଼! : ବିଜେଡି ସଂପୃକ୍ତି ଦର୍ଶାଇ ଏତଲା

ଘଟଣାର ରାଜନୈତିକ ମୋଡ଼

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ଶିବଶଙ୍କର ଦାଶ ଓରଫ୍‌ ପିଣ୍ଟୁଙ୍କ ଗାଡ଼ି ଉପରକୁ ଗୁରୁବାର ଗୁଳିମାଡ଼ ହୋଇଥିବା ଚାରିଆଡ଼େ ଚର୍ଚ୍ଚା ହୋଇଥିଲା। ସେ ବ୍ୟାପକ ଖୋଳତାଡ଼ ଚାଲିଲା। ଘଟଣା ଦିନ ପିଣ୍ଟୁ ମଧ୍ୟ ଏଭଳି କିଛି ଘଟି ନଥିବା ପ୍ରତିକ୍ରିୟାରେ କହିଥିଲେ। ସେ ପୁଲିସରେ ଅଭିଯୋଗ ମଧ୍ୟ କରି ନଥିଲେ। ପୁଲିସ ନିଜ ଆଡ଼ୁ ତଦନ୍ତ କରି ଏଭଳି କିଛି ଘଟି ନଥିବା ସ୍ପଷ୍ଟ କରିଥିଲା। ତେବେ ଘଟଣାର ଦୁଇ ଦିନ ପରେ ଆଜି ହଠାତ୍‌ ଥାନାରେ ଏତଲା ଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଶାସକ ଦଳ ବିଜେଡି ଇଙ୍ଗିତରେ ନିର୍ଦ୍ଦିଷ୍ଟ କେତେ ଜଣ ବିଲଡର୍‌ ଓ ତାଙ୍କ ଲୋକଙ୍କୁ ଏତଲାରେ ଅଭିଯୁକ୍ତ ଦର୍ଶାଯିବା ଉକ୍ତ ଘଟଣାକୁ ରାଜନୈତିକ ମୋଡ଼ ଦେଇଛି। ବ୍ରହ୍ମପୁର ଉପକଣ୍ଠ କନିଷି ହାଟର ସୁରେଶ କୁମାର ପାତ୍ର ଓ ଆଇନଜୀବୀ ପ୍ରଭାକର ସାବତଙ୍କ ନେତୃତ୍ୱରେ କିଛି ବିଜେପି କର୍ମୀ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଛନ୍ତି। ଶିବଶଙ୍କରଙ୍କ ତରଫରୁ ଏହି ଏତଲା ଲେଖିଥିବା ସୁରେଶ ଏତଲା କପିରେ ଦର୍ଶାଇଛନ୍ତି।

ଏତଲାରେ ଦର୍ଶାଯାଇଛି, ଗୋସାଇଁନୂଆଗାଁ ଥାନା ଅନ୍ତର୍ଗତ ନୀଳକଣ୍ଠେଶ୍ୱର ମନ୍ଦିରରେ ରଂଜନ ସାହୁ ନାମକ ଜଣେ ଯୁବକଙ୍କ ମା’ଙ୍କ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେବା ପାଇଁ ପୂର୍ବତନ ମେୟର ତଥା ବିଜେପି ନେତା ଶିବଶଙ୍କରଙ୍କୁ ନିମନ୍ତ୍ରଣ ହୋଇଥିଲା।

ହେଲେ ନିଜ ଗାଡ଼ି ନଥିବାରୁ ଶିବଶଙ୍କର ଭୋଜିରେ ଯୋଗଦେଇ ପାରିବେ ନାହିଁ ବୋଲି କହିଥିଲେ। ଏହାପରେ ରଂଜନ ଶିବଶଙ୍କରଙ୍କ ନିକଟକୁ ଏକ ଗାଡ଼ି ପଠାଇ ଭୋଜିକୁ ଆସିବାକୁ ଅନୁରୋଧ କରିଥିଲେ। ଶିବଶଙ୍କର ଗାଡ଼ି ଡ୍ରାଇଭର୍‌ ଓ ଅନ୍ୟ ଦୁଇଜଣ ଯୁବକଙ୍କ ସହିତ ନୀଳକଣ୍ଠନଗର ମନ୍ଦିରରେ ପହଞ୍ଚିଥିଲେ। ଭୋଜିରେ ଯୋଗଦେଇ ଅପରାହ୍ନ ପ୍ରାୟ ୩ଟା ୪୫ମିନିଟରେ ସେହି ଗାଡ଼ିରେ ଫେରୁଥିବା ବେଳେ ଝାମି ମନ୍ଦିର ନିକଟରେ ସମ୍ମୁଖରୁ ୬ଜଣ ଯୁବକ ୩ଟି ବାଇକ୍‌ରେ ଆସି ସେଠାରେ ପହଞ୍ଚିଥିଲେ। ସେମାନେ ଶିବଶଙ୍କରଙ୍କୁ ଗାଳି ଗୁଳଜ କରିବା ସହିତ କିଛି ନିର୍ଦ୍ଦିଷ୍ଟ ବିଲ୍‌ଡର୍‌ ଓ ଏକ ରାଜନୈତିକ ଦଳ ବିରୋଧରେ ଯାଉଛୁ ବୋଲି କହି ପିଣ୍ଟୁଙ୍କ ଗାଡ଼ି ଉପରକୁ ଲକ୍ଷ୍ୟ କରି ଦୁଇ ରାଉଣ୍ଡ ଗୁଳି ମାଡ଼ କରିଥିଲେ ବୋଲି ଏତଲାରେ ଦର୍ଶାଯାଇଛି।

ଏହା ଦେଖି ପିଣ୍ଟୁ ଭୟଭୀତ ହୋଇ ଗାଡ଼ିରୁ ଓହ୍ଲାଇ ଭୋଜି ସ୍ଥଳକୁ ଦୌଡ଼ି ପଳାଇଥିଲେ। ଏପରିକି ଗତ କିଛିମାସ ତଳେ ପିଣ୍ଟୁଙ୍କ ଘର ଉପରକୁ ବୋମାମାଡ଼ ହୋଇଥିଲା। ପିଣ୍ଟୁ ଓ ତାଙ୍କର ପରିବାର ବର୍ଗଙ୍କ ଜୀବନ ପ୍ରତି ଭୟ ରହିଛି। ତେଣୁ ପିଣ୍ଟୁ ଓ ତାଙ୍କର ପରିବାର ବର୍ଗଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଏତଲାରେ ଅନୁରୋଧ କରାଯାଇଛି। ଏ ନେଇ ଏସ୍‌ଡିପିଓ ପ୍ରଭାତ ଚନ୍ଦ୍ର ରାଉତରାୟଙ୍କୁ ପଚାରିବାରୁ ସେ କୌଣସି କାମରେ ବାହାରେ ଥିବା ଯୋଗୁଁ ଏତଲା ଦେବା ସମ୍ପର୍କରେ କିଛି ସ୍ପଷ୍ଟ ଜାଣି ନଥିବା କହିଛନ୍ତି।

ସମ୍ବନ୍ଧିତ ଖବର