ଯୁବକଙ୍କୁ ଗୁଳି କରି ହତ୍ୟା ଘଟଣା: ପ୍ରତିବାଦରେ ବ୍ରଜରାଜନଗର ବନ୍ଦ

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୁରୁଣା ବସ୍‌ଷ୍ଟାଣ୍ଡରେ ବଜରଙ୍ଗ ଦଳର ପୂର୍ବ ସଭାପତି ଅମିତ ଧଳଙ୍କୁ ହତ୍ୟା ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ୧୪ ଦିନ ଭିତରେ ଦୁଇ ଦୁଇଟି ଗୁଳିକାଣ୍ଡ ସହରର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦର୍ଶାଉଥିବା ଲୋକେ ଅଭିଯୋଗ କରି ଏହାର ପ୍ରତିବାଦରେ ମଙ୍ଗଳବାର ବ୍ରଜରାଜନଗର ବନ୍ଦ ପାଳନ କରାଯାଇଥିଲା। ତେବେ ବନ୍ଦ ସମ୍ପୂର୍ଣ ଶାନ୍ତି ପୂର୍ଣ୍ଣ ଥିବା ବେଳେ ଲୋକଙ୍କ ପୂର୍ଣ୍ଣ ସମର୍ଥନ ଥିବା ଦେଖିବାକୁ ମିଳିଥିଲା। ତେଣେ ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ରକ୍ଷା ପାଇଁ ୩ ଜଣ ଡିଏସ୍‌ପି, ୨ ଜଣ ଏସ୍‌ଡିପିଓ ଓ ୬ ଜଣ ଆଇଆଇସିଙ୍କ ନେତୃତ୍ବରେ ୪ ପ୍ଲାଟୁନ୍‌ ୨ ସେକ୍‌ସନ୍‌ ଫୋର୍ସ ମୁତୟନ କରାଯାଇଥିବାରୁ ସମଗ୍ର ବ୍ରଜରାଜନଗର ସହର ଏକ ପ୍ରକାର ପୁଲିସ୍‌ ଛାଉଣି ପାଲଟିଛି। ଅନ୍ୟପକ୍ଷରେ ଗୁଳିକାଣ୍ଡ ମାମଲାରେ ୩ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।

ବାପ ଛେଉଣ୍ଡ ହୋଇ ଜନ୍ମ ନେଲା ଝିଅ
ଗୁଳିକାଣ୍ଡ ସହ ଯୋଡ଼ି ହୋଇଛି ଆଉ ଏକ ଦୃଦୟ ବିଦାରକ ଘଟଣା। ଅମିତଙ୍କ ଶବ ଉଠି ନଥିବା ବେଳେ ଭୂଇଁରେ ପାଦ ଦେଇଥିଲା ନବଜାତ କନ୍ୟା ସନ୍ତାନ। ମଂଗଳବାର ସକାଳେ ଅମିତଙ୍କ ପତ୍ନୀଙ୍କୁ ପ୍ରସବ ବେଦନା ହେବା ପରେ ଟିଆର୍‌ଏଲ୍‌ ହସ୍‌ପିଟାଲ୍ ନିଆଯାଇଥିଲା। ସେଠାରେ ସେ ଅପରାହ୍ନରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।

ସମ୍ବନ୍ଧିତ ଖବର