କଂଗ୍ରେସ ପ୍ରାର୍ଥୀଙ୍କୁ ଗୁଳିମାଡ଼
ଭୁବନେଶ୍ବରରୁ ଫେରୁଥିଲେ, ବ୍ରହ୍ମପୁରରେ ଟାର୍ଗେଟ୍
ବ୍ରହ୍ମପୁର/ଗୋଳନ୍ଥରା : ସକାଳୁ ଭୋଟ ଗଣତି। ଏହା ପୂର୍ବରୁ ବ୍ରହ୍ମପୁରରେ ଗଞ୍ଜାମ ଜିଲ୍ଲା ଆସିକା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ମନୋଜ କୁମାର ଜେନାଙ୍କୁ କେତେକ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି। ୧୬ ନମ୍ବର ଜାତୀୟ ରାଜପଥରୁ ସହରକୁ ମୁଖ୍ୟ ପ୍ରବେଶ ପଥ ଲାଞ୍ଜିପଲ୍ଲୀ ବାଇପାସ୍ରେ ଦୁଇଟି ବାଇକ୍ରେ ଥିବା ୬ ଜଣ ଦୁର୍ବୃତ୍ତ ରାତି ପ୍ରାୟ ୯ଟାରେ ମନୋଜଙ୍କ ଉପରକୁ ତିନି ରାଉଣ୍ଡ୍ ଗୁଳି କରିଛନ୍ତି। ଏଥି ସହ ତାଙ୍କ ତଣ୍ଟିକୁ ଛୁରିରେ କାଟି ଦେଇଛନ୍ତି। ମନୋଜଙ୍କ ପେଟରେ ତିନି ରାଉଣ୍ଡ ଗୁଳି ଲାଗିଛି। ଶରୀର ବିଭିନ୍ନ ସ୍ଥାନକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହୋଇ ଯାଇଛନ୍ତି। ଗୁରୁତର ଅବସ୍ଥାରେ ମନୋଜଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ରାତି ୧୦ଟାରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ବଡ ମେଡିକାଲରେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ପହଁଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଦୁବୁର୍ତ୍ତଙ୍କୁଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢାଉ ଚାଲିଥିବା ସୂଚନା ଦେଇଛନ୍ତି। ଏଣେ ଘଟଣା ସ୍ଥଳରୁ ୧୫ କିଲୋମିଟର ଦୂର ଗୋଳନ୍ଥରା ନିକଟରେ ଦୁର୍ବୃତ୍ତମାନେ ଆନ୍ଧ୍ର ଦିଗରେ ଇଚ୍ଛାପୁର ଆଡ଼କୁ ଦ୍ରୁତ ଗତିରେ ଫେରାର ହେଉଥିବା ବେଳେ ଗୋଟିଏ ବାଇକ୍ ଜଣେ ବାଳକକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବାଳକ ଗୁରୁତର ଥିବା ବେଳେ ଲୋକ ଜମା ହୋଇ ଯାଇଥିଲେ। ତେବେ ସମସ୍ତ ଅପରାଧୀଙ୍କ ପାଖରେ ମାଉଜର୍ଥିବା ଓ ସେମାନେ ମାଉଜର୍ ଦେଖାଇ ଲୋକଙ୍କୁ ଭୟଭିତ କରି ବାଇକ୍ ନେଇ ଫେରାର ହେବାରେ ସକ୍ଷମ ହୋଇଥିଲେ। ଘଟଣା ସ୍ଥଳରେ ଖସି ପଡ଼ିଥିବା ଏକ ମାଉଜର୍ ପୁଲିସ ଜବତ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମନୋଜ ଭୁବନେଶ୍ବରରୁ ଏକ ଏସ୍ୟୁଭି କାର ଯୋଗେ ବ୍ରହ୍ମପୁର ଆସୁ୍ଥିଲେ। ତାଙ୍କ ସହିତ ଡ୍ରାଇଭର ଏବଂ ତାଙ୍କର ଦୁଇଜଣ ସହଯୋଗୀ ଥିଲେ। ରାତି ପ୍ରାୟ ୯ଟା ବେଳେ ଜାତୀୟ ରାଜପଥ ଲାଞ୍ଜିପଲ୍ଲୀ ବାଇପାସ ନିକଟ ଇସ୍କନ ମନ୍ଦିର ପାଖରେ ଗାଡି ରଖି ସମସ୍ତେ ପରିଶ୍ରା କରୁଥିଲେ। ଏହି ସମୟରେ ୨ଟି ବାଇକରେ ୬ଜଣ ଯୁବକ ଆସି ସେଠାରେ ପହଁଞ୍ଚି ଅଚାନକ ମନୋଜଙ୍କ ଉପରକୁ ଅତର୍କିତ ଗୁଳି ଚଳାଇଥିଲେ। ଏହାପରେ ଛୁରୀରେ ତାଙ୍କ ତଣ୍ଟି କାଟିବା ସହିତ ତାଙ୍କ ଶରୀର ବିଭିନ୍ନ ଅଙ୍ଗକୁ ଖଣ୍ଡାରେ ହାଣିଥିଲେ। ଏହା ଦେଖି ତାଙ୍କ ଡ୍ରାଇଭର ଓ ଦୁଇ ସହଯୋଗୀ ଭୟଭିତ ହୋଇ ପଡିଥିଲେ। ଏ ସବୁ ସତ୍ତ୍ବେ ତାଙ୍କର ଜଣେ ସହଯୋଗୀ ଅନୀଲ ସ୍ବାଇଁ ଯାଇ ଦୁର୍ବୃତ୍ତଙ୍କ ପ୍ରତିରୋଧ କରିଥିଲେ। ଦୁର୍ବୃର୍ତ୍ତ ଅନୀଲଙ୍କୁ ମଧ୍ୟ ଆକ୍ରମଣ କରି ଫେରାର ହୋଇ ଯାଇଥିଲା। ମନୋଜଙ୍କ ସହିତ ଥିବା ସହଯୋଗୀ ଏବଂ ଡ୍ରାଇଭର ମିଶି ତାଙ୍କ ଏସ୍ୟୁଭି କାର ଯୋଗେ ତାଙ୍କୁ ଏମ୍କେସିଜି ମେଡିକାଲକୁ ଆଣିଥିଲେ। ଖବର ପାଇ ଗୋଳନ୍ଥରା ପୁଲିସ ଘଟଣା ସ୍ଥଳରେ ପହଁଞ୍ଚିଥିଲା। ସେଠାରେ ପଡିଥିବା ମାଉଜର ଜବତ କରିଛି। ଉକ୍ତ ନାବାଳକଙ୍କ କାନରୁ ରକ୍ତ ବାହାରୁଥିବା ବେଳେ ସେ ଗୁରୁତର ଆହତ ହୋଇଛନ୍ତି।
ସୂଚନାଯୋଗ୍ୟ, ମନୋଜଙ୍କ ବିରୋଧରେ ମଧ୍ୟ ଆସିକା ଥାନାରେ ଏକାଧିକ ଅପରାଧ ମାମଲା ରହିଛି। ଆସିକା ପୁଲିସ ପକ୍ଷରୁ ଦୁଇଟି ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ଜଣାପଡିଛି।