ଦମ୍ପତିଙ୍କୁ ଗୁଳିମାଡ଼!

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ରେଢ଼ାଖୋଲ-ଡଇଁଚା ରାସ୍ତାର ମୁଟୁରୁମୁଣ୍ଡା ଘାଟିରେ ରବିବାର ସନ୍ଧ୍ୟାରେ ଜନୈକ ଶିକ୍ଷକ ଦମ୍ପତିଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ ଡଇଁଚା ଗ୍ରାମର ଶିକ୍ଷକ ଦମ୍ପତି କ୍ଷମାନିଧି ଧଳ ଓ ଟିକିନା ଧଳ ଆଜି ସନ୍ଧ୍ୟାରେ ବାଇକ୍‌ ଯୋଗେ ଗାଁ’କୁ ଫେରୁଥିଲେ। ସେମାନଙ୍କୁ ବହୁ ସମୟ ଧରି ଦୁଇ ଜଣ ଯୁବକ ଅନ୍ୟ ଏକ ବାଇକ୍‌ରେ ପିଛା କରୁଥିଲେ। ଶିକ୍ଷକ ଦମ୍ପତି ମୁଟୁରୁମୁଣ୍ଡା ଘାଟିରେ ପହଞ୍ଚିବା ପରେ ଉକ୍ତ ଯୁବକ ଦ୍ବୟ ପାଖକୁ ଚାଲି ଆସି ଚଳନ୍ତା ଗାଡ଼ିରୁ ହିଁ ସେମାନଙ୍କ ଉପରକୁ ଗୁଳି କରି ଫେରାର୍‌ ହେଇ ଯାଇଥିଲେ। ଏଥିରେ ଶିକ୍ଷକ ଦମ୍ପତି ଅଳ୍ପକେ ବର୍ତ୍ତି ଯାଇଥି‌ଲେ ହେଁ କ୍ଷମାନିଧିଙ୍କ ବେକରେ ସାମାନ୍ୟ ଆଘାତ ଲାଗିଛି। ଗୁଳିଟି ତାଙ୍କ ଜାକେଟ୍‌ରେ ଅଟକି ଯାଇଥିଲା। ଘଟଣା ପରେ ସେମାନେ ରେଢ଼ାଖୋଲ ଥାନାରେ ପହଞ୍ଚି ଏତଲା ଦେବା ସହ ଉକ୍ତ ଗୁଳିଟିକୁ ଜିମା ଦେଇଥିଲେ। ତେବେ ତାଙ୍କର କୌଣସି ଶତ୍ରୁ ନଥିବା ବେଳେ କିଏ ଓ କାହିଁକି ତାଙ୍କୁ ଗୁଳି କଲା ସେ ନେଇ କ୍ଷମାନିଧି ପ୍ରଶ୍ନ ଉଠାଇଥିବା ବେଳେ ସମ୍ବଲପୁରରୁ ଘରକୁ ଫେରିବା ବେଳେ ଘଟଣା ଘଟିଥିବା ସେ ଏତଲାରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର