ଘୋଷ ଯାତ୍ରା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ, ଜୁଲାଇ ୪ ସୁଦ୍ଧା ସରିବ ସବୁକାମ

ପୁରୀ : ଜୁଲାଇ ୪ ତାରିଖ ରଥଯାତ୍ରା ପୂର୍ବରୁ ସବୁ କାର୍ଯ୍ୟ ସରିଯିବ। ରାସ୍ତାଠାରୁ ପାନୀୟ ଜଳ, ବିଜୁଳିଠାରୁ ସ୍ବାସ୍ଥ୍ୟ ଭିତ୍ତିଭୂମି ସବୁ କିଛି ସଜଡ଼ା ହୋଇଯିବ। କୌଣସି କାମ ବାକି ରହିବନି। ରଥଯାତ୍ରା ପ୍ରସ୍ତୁତି ପାଇଁ ପ୍ରଥମ ବୈଠକରେ କେନ୍ଦ୍ରାଞ୍ଚଳ ଆରଡିସିଙ୍କୁ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ବିଭିନ୍ନ ବିଭାଗର ସରକାରୀ ପଦାଧିକାରୀ।

ବୁଧବାର ଆରଡିସି ଅନୀଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ୨୦୧୯ ରଥଯାତ୍ରା ପ୍ରସ୍ତୁତିର ପ୍ରଥମ ସମନ୍ବୟ ବୈଠକ। ଏହି ବୈଠକରେ ସବୁ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜର କାର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ବିଧି ମୁତାବକ ମେ ୭ ତାରିଖ ଅକ୍ଷୟତୃତୀୟାଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ସେଥି ପାଇଁ ପ୍ରସ୍ତୁତି ଆଗେଇ ଚାଲିଛି। ଏଥର ରଥ ପାଇଁ ମୋଟ ୬୭୦ ଖଣ୍ଡ କାଠର ଆବଶ୍ୟକତା ରହିଛି। ବର୍ତ୍ତମାନ ସୁଦ୍ଧା ରଥଖଳା ଓ କରତକଳକୁ ୩୨୩ ଖଣ୍ଡ କାଠ ପହଞ୍ଚି ସାରିଛି। ବଳକା କାଠ ଖୁବ୍‌ଶୀଘ୍ର ଆସିଯିବ ବୋଲି ବନଖଣ୍ଡ ଅଧିକାରୀ କହିଥିଲେ। ସେହିପରି ଡ୍ରେନ୍‌ କାମ ଧାର୍ଯ୍ୟ ସମୟ ପୂର୍ବରୁ ସରିଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଡ୍ରେନେଜ୍‌ ଅଧିକାରୀ। ସମାନ କଥା ଦୋହରାଇଥିଲେ ସ୍ବେରେଜ୍‌ ଅଧିକାରୀ।

ବୈଠକରେ ସହରର ରାସ୍ତା ଓ ବିକଳ୍ପ ରାସ୍ତା ସମ୍ପର୍କରେ ଆଲୋଚନା ହୋଇଥିଲା। ସେହିଭଳି, ଡ୍ରେନେଜ୍‌ ବ୍ୟବସ୍ଥା, ଆମ୍ବୁଲାନ୍ସ ସେବା, ଜଳଯୋଗାଣ, ଟ୍ରାଫିକ୍‌ ଓ ପାର୍କିଂ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଶେଷରେ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ କହିଲେ, ବିଭିନ୍ନ ବିଭାଗ ପକ୍ଷରୁ ଦିଆଯାଇଥିବା ତାଲିକା ଅନୁଯାୟୀ ନିର୍ଦ୍ଧାରିତ ସମୟରେ କାମ ସରିବା ଆବଶ୍ୟକ। ଯେଉଁ ଅଧିକାରୀ ବା ବିଭାଗ କାମରେ ଖିଲାପ କରିବ, ସେମାନେ ଉତ୍ତରଦାୟୀ ରହିବେ। କୌଣସି ସ୍ଥିତିରେ ରଥଯାତ୍ରା କାମରେ ଅବହେଳା, ବିଳମ୍ବ ବା ଖିଲାପକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ କହିଥିଲେ। ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର