ସଙ୍କଟରେ ଦେଶର ପ୍ରଥମ ସ˚ସ୍କୃତି ବିଶ୍ବବିଦ୍ୟାଳୟ

ଗୋଟିଏ କୋଠାରେ ହଷ୍ଟେଲ, କ୍ଲାସରୁମ୍‌, ଦୁଇ ଥର ବାତିଲ୍‌ ହେଲାଣି ନିଯୁକ୍ତି ପ୍ରକ୍ରିୟା

ଭୁବନେଶ୍ବର : ଦେଶର ପ୍ରଥମ ସଂସ୍କୃତି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାକୁ ୧୮ ବର୍ଷ ବିତିଲାଣି। ଆଜି ପର୍ଯ୍ୟନ୍ତ ଠିକ୍‌ ହୋଇପାରିନି ଭିତ୍ତିଭୂମି। ଆବଶ୍ୟକ ସଂଖ୍ୟକ ଅଧ୍ୟାପକ କି କର୍ମଚାରୀ ନାହାନ୍ତି। କ୍ଲାସ ରୁମ୍‌ ବି ହୋଇପାରିନି। ଯେଉଁ କୋଠାରେ ଛାତ୍ର ରହୁଛନ୍ତି ସେଠାରେ ପଢ଼ୁଛନ୍ତି। ସେଇଠି ବି ଖାଉଛନ୍ତି।

ଦୁଇ ବର୍ଷ ହେଲା ଜଟଣୀ ମଦନପୁରସ୍ଥିତ ସ୍ଥାୟୀ କ୍ୟାମ୍ପସକୁ ବିଶ୍ବ ବିଦ୍ୟାଳୟ ସ୍ଥାନାନ୍ତରିତ ହୋଇଛି। ନୂତନ କ୍ୟାମ୍ପସକୁ ଯିବା ପରେ କିଛିଟା ପରିବର୍ତନ ହେବ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ରୂପ ତ ବଦଳିଲାନି, ବରଂ ଦିନକୁ ଦିନ ଖରାପ ହେବାରେ ଲାଗିଛି।

ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଏକାଡେମିକ୍‌ ବିଲ୍‌ଡି˚ କାମ ଆଜି ପର୍ଯ୍ୟନ୍ତ ଶେଷ ହୋଇପାରିନି। ଯେଉଁଥିପାଇଁ ପ୍ରଶାସନିକ କୋଠା ଓ ହଷ୍ଟେଲ ଭିତରେ ବିଭିନ୍ନ ବିଭାଗର କ୍ଲାସ୍‌ ହେଉଛି। ହଷ୍ଟେଲ୍‌ରେ ରହୁଥିବା ଛାତ୍ରଛାତ୍ରୀଙ୍କ ଚିକିତ୍ସା ସୁବିଧା ପାଇଁ କିଛି ବି ବ୍ୟବସ୍ଥା ନାହିଁ। ରାତିରେ ଦେହ ଖରାପ ହେଲେ ମେଡିକାଲ ନେବାକୁ କେହି ନାହାନ୍ତି। କୌଣସି ବରିଷ୍ଠ ଅଧିକାରୀ ବି କ୍ୟାମ୍ପସ୍‌ରେ ରହୁନାହାନ୍ତି। ସୁରକ୍ଷା କର୍ମୀ, ପିଅନଙ୍କ ହାତରେ ପିଲାଙ୍କ ଭବିଷ୍ୟତ। କ୍ୟାମ୍ପସ୍‌ରେ ୩ଟି ବିଲ୍‌ଡି˚ର କାମ ୧୦ ବର୍ଷ ଧରି ଇଡ୍‌କୋ କରୁଥିଲେ ମଧ୍ୟ ତାହା ସରୁନି।

ଏ ତ ଗଲା ପାଠପଢ଼ା କଥା। ପ୍ରଶାସନିକ କ୍ଷେତ୍ରରେ ବି ସଙ୍କଟ ଦେଖାଦେଇଛି। ୪ ମାସ ହେଲା ପରୀକ୍ଷା ନିୟନ୍ତ୍ରକ ନାହାନ୍ତି। ବିତ୍ତ ନିୟନ୍ତ୍ରକଙ୍କର ବଦଳି ହୋଇଯାଇଛି। ଉଚ୍ଚଶିକ୍ଷା ବିଭାଗରୁ ଡେପୁଟେସନ୍‌ରେ ଆସି କୁଳସଚିବ ଥିବା ସୁମନ୍‌ ଦାସ ଆସନ୍ତା ୬ ତାରିଖରେ ନିଜ ବିଭାଗକୁ ଫେରିଯିବା ପାଇଁ ଆବେଦନ କରିସାରିଛନ୍ତି। ଏବେ କେବଳ ରହିଲେ କୁଳପତି ଓ ପିଜି କାଉନସିଲ୍‌ ଅଧ୍ୟକ୍ଷ।

ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ପାଇଁ ଅଧ୍ୟାପକଙ୍କ ଅଭାବ ଲାଗିରହିଛି। ନୂତନ ନିଯୁକ୍ତି ପାଇଁ ଗତ ୪ ବର୍ଷ ମଧ୍ୟରେ ଦୁଇ ଦୁଇ ଥର ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ତାହା ସଫଳ ହୋଇପାରୁନି। ନିଯୁକ୍ତି ପ୍ରକ୍ରିୟା ଅଧାରୁ ବନ୍ଦ ହୋଇଯାଉଛି। ଖାଲିପଡ଼ିଥିବା ପଦବି ପୂରଣ ପାଇଁ ୨୦୧୪ରେ ପ୍ରଥମ ଥର ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା। କ’ଣ ହେଲା କେଜାଣି ପ୍ରକ୍ରୟା ଅଧାରୁ ବନ୍ଦ ହୋଇଗଲା। ଗତବର୍ଷ ପୁଣିଥରେ ଆବେଦନ ପ୍ରକ୍ରିୟା ହୋଇଥିଲା। ଶେଷ ମୁହୂର୍ତ୍ତରେ ତାହା ବି ବାତିଲ୍‌ ହୋଇଗଲା। ଅସ୍ଥାୟୀ କର୍ମଚାରୀରେ ଚାଲିଛି ଦେଶର ଏହି ପ୍ରଥମ ସ˚ସ୍କୃତି ବିଶ୍ବବିଦ୍ୟାଳୟ।

କୁଳସଚିବ ସୁମନ୍‌ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏକାଡେମିକ ବିଲ୍‌ଡି˚ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଇଡ୍‌କୋ ପକ୍ଷରୁ ଖୁବ୍‌ଶୀଘ୍ର କୋଠା ହସ୍ତାନ୍ତର ହେବ। ଏହାପରେ ସେଠାରେ ବିଭିନ୍ନ ବିଭାଗ ଛାତ୍ରଛାତ୍ରୀଙ୍କ କ୍ଲାସ ହେବ। ନିଯୁକ୍ତି ପ୍ରକ୍ରିୟା ଏବେ ବନ୍ଦ ରହିଛି। ପୁଣିଥରେ ବିଜ୍ଞପ୍ତି ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର