ରାଜଧାନୀରେ ପ୍ରଥମ ଡେଙ୍ଗୁ ମୃତ୍ୟୁ : ଘରୋଇ ହସ୍ପିଟାଲ୍‌ରେ ପ୍ରାଣ ହରାଇଲେ ଚିକିତ୍ସାଧୀନ ମହିଳା

ଚନ୍ଦ୍ରଶେଖରପୁର : ରାଜଧାନୀରେ ଡେଙ୍ଗୁ ଚଳିତ ବର୍ଷ ପ୍ରଥମ ମୁଣ୍ଡ ନେଇଛି। ଡେଙ୍ଗୁରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ମହିଳାଙ୍କ ଆଜି ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ ହେଲେ, ଚନ୍ଦ୍ରଶେଖରପୁର ବିଡିଏ କଲୋନିର ପ୍ରତିମା ଦାସ (୪୫)। ଏନେଇ ହସ୍ପିଟାଲ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସ୍ୱୀକାର କରିଛି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ବ୍ରଜକିଶୋର ବ୍ରହ୍ମା ପ୍ରତିମାଙ୍କ ମୃତ୍ୟୁ ରାଜଧାନୀର ଚଳିତ ବର୍ଷର ପ୍ରଥମ ଡେଙ୍ଗୁଜନିତ ମୃତ୍ୟୁ ବୋଲି କହିଛନ୍ତି।

ମୃତ ମହିଳାଙ୍କ ସ୍ୱାମୀ ବିଜୟ ଦାସଙ୍କ କହିବା ଅନୁଯାୟୀ, ପ୍ରତିମାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ମଙ୍ଗଳବାର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ରକ୍ତନମୁନାରୁ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଥିଲା। ତେବେ ପ୍ରତିମା ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ ବୋଲି ହସ୍ପିଟାଲ୍‌ ପକ୍ଷରୁ କୁହାଯାଇଛି। ମହିଳାଙ୍କ ଯାଆ ମଧ୍ୟ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଉକ୍ତ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି।

ମୌସୁମୀ ଆସିବା ପୂର୍ବରୁ ରାଜଧାନୀରେ ଡେଙ୍ଗୁ କାୟା ମେଲାଉଥିବା ଖବର ପ୍ରଥମେ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ବିଡିଏ କଲୋନିର ଗୋଟିଏ ପରିବାରରୁ ଦୁଇଜଣଙ୍କୁ ପ୍ରଥମେ ଡେଙ୍ଗୁ ହୋଇଥିଲା। ମାତ୍ର ଏହା କଲୋନିର ଅନ୍ୟ ଲୋକମାନଙ୍କୁ ମଧ୍ୟ ବ୍ୟାପିଥିବା ନେଇ ଖବର ପ୍ରକାଶ ପାଇଥିଲା। ପ୍ରଥମେ ପ୍ରଶାସନ ଏହାକୁ ଅସ୍ୱୀକାର କରିଥିଲା। କିନ୍ତୁ ଆଜି ଡେଙ୍ଗୁରେ ଜଣଙ୍କ ପ୍ରାଣହାନି ଘଟିବା ପରେ ଡେଙ୍ଗୁ ଯେ ଧୀରେ ଧୀରେ ରାଜଧାନୀରେ କାୟା ବିସ୍ତାର କରୁଛି, ତାହା ପ୍ରମାଣିତ ହୋଇଛି।

ସରକାରୀ ତଥ୍ୟ ଅନୁସାରେ, ସାରାରାଜ୍ୟରେ ମୋଟ ୪୮ ଜଣଙ୍କ ରକ୍ତନମୁନାରୁ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏମାନଙ୍କ ମଧ୍ୟରୁ ଖୋର୍ଧା ଜିଲ୍ଲାରେ ସର୍ବାଧିକ ୮ ରୋଗୀ ଥିବା କୁହାଯାଉଛି। ରାଜଧାନୀରେ ଗତବର୍ଷ ଡେଙ୍ଗୁ ୪ମୁଣ୍ଡ ନେଇଥିବା ବେଳେ ଚଳିତ ବର୍ଷ ଏହା ପ୍ରଥମ ବୋଲି କୁହାଯାଉଛି। ଗତବର୍ଷ ସାଲିଆ ସାହିରେ ଡେଙ୍ଗୁ ତା’ର ପ୍ରକୋପ ଦେଖାଇଥିଲା। ଚଳିତ ବର୍ଷ କିନ୍ତୁ ବସ୍ତି ଅଞ୍ଚଳ ବାହାରେ ଡେଙ୍ଗୁ ବ୍ୟାପିବା ଚିନ୍ତାର ବିଷୟ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ତେବେ ଡେଙ୍ଗୁର ଭୟାବହତା ଓ କିପରି ଏହାକୁ ପ୍ରତିହତ କରାଯାଇପାରିବ, ସେ ସଂପର୍କରେ ପ୍ରଶାସନ ପକ୍ଷରୁ ନିକଟରେଏକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି।

ଅପରପକ୍ଷେ ସରକାରୀ ଭାବେ ଡେଙ୍ଗୁ ଚିହ୍ନଟ ନେଇ ଅବଲମ୍ବନ କରାଯାଉଥିବା ପ୍ରକ୍ରିୟା ହିଁ ସଠିକ୍‌ ବୋଲି ଡ. ବ୍ରହ୍ମା ପ୍ରକାଶ କରିଛନ୍ତି। ତେଣୁ ସମସ୍ତ ଘରୋଇ ହସ୍ପିଟାଲ୍‌ ଏବଂ ଡେଙ୍ଗୁରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତି ସରକାରୀ ବ୍ୟବସ୍ଥାର ସାହାଯ୍ୟ ନେବାକୁ କୁହାଯାଇଛି।

ଅପରପକ୍ଷେ ରାଜଧାନୀରେ ପ୍ରଥମ ଡେଙ୍ଗୁ ମୃତ୍ୟୁ ପରେ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ବିଜେପିର ଏକ ପ୍ରତିନିଧିଦଳ ବିଏମ୍‌ସି ଉତ୍ତର ଜୋନ୍‌ ଡେପୁଟି କମିସନର ଶୁଭ୍ରାଂଶୁ ମିଶ୍ରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି। ରାଜଧାନୀରେ ଡେଙ୍ଗୁ ଅନୁକୂଳ ପରିବେଶ ରହିଥିବା ବିଜେପି ଅଭିଯୋଗ କରିଛି। ଏନେଇ ବିଏମ୍‌ସି ପକ୍ଷରୁ ଉପଯୁକ୍ତ ପଦକ୍ଷେପ ତଥା ଲୋକଙ୍କୁ ସଚେତନ କରାଇବାକୁ ଦଳ ଦାବି କରିଛି। ମଶା ଧୂଆଁ, ମଶା ତେଲର ଉପଯୋଗ ସହିତ ପରିଷ୍କାର ପରିଚ୍ଛନ୍ନତା ଉପରେ ଯଥେଷ୍ଟ ଗୁରୁତ୍ୱ ଦେବାକୁ ବିଜେପି ପକ୍ଷରୁ ଦାବି ହୋଇଛି। ବିଜେପି ନେତ୍ରୀ ମାନସୀ ମଞ୍ଜରୀ ରାୟ, ସୁଶାନ୍ତ ସାବତଙ୍କ ନେତୃତ୍ୱରେ ଏହି ଦାବି କରାଯାଇଛି।

ସମ୍ବନ୍ଧିତ ଖବର