ପାରାଦୀପ ବନ୍ଦର ନୂତନ ଟର୍ମିନାଲରେ ପହଞ୍ଚିଲା ପ୍ରଥମ ଜାହାଜ

ପାରାଦୀପ : ୧୨୮କୋଟି ଟଙ୍କା ବ୍ୟୟରେ ନିର୍ମିତ ପାରାଦୀପ ଇଣ୍ଟରନ୍ୟାସନାଲ କଣ୍ଟେନର (ପିଆଇସିଟି) ଟର୍ମିନାଲରେ ଆଜି ପ୍ରଥମ ଜାହାଜ ପହଞ୍ଚିଛି। ଏହି ଜାହାଜର ନାଁ ହେଉଛି ଡିଏମ୍‌ସି ଜୁପିଟର। ଜାହାଜଟି ଟର୍ମିନାଲରେ ପହଞ୍ଚି ଲୋଡିଂ ଅନଲୋଡିଂ ଆରମ୍ଭ କରିଛି। ଏହି କାର୍ଯ୍ୟ ଆଗାମୀ ଦୁଇ ତିନି ଦିନ ପର୍ଯ୍ୟନ୍ତ ଚାଲିବ। ଏହା ପରେ ଜାହାଜଟି ବିଶାଖାପାଟଣାମ୍‌ ବନ୍ଦରକୁ ଯିବ। ଆଜି ଏହି ଜାହାଜକୁ ଟର୍ମିନାଲ ମୁଖ୍ୟ କ୍ୟାପଟେନ୍‌ ମନପ୍ରୀତ ଜଲି, ପ୍ରୋଜେକ୍ଟ ଉପସଭାପତି ଆର.ପି ସିଂଙ୍କ ସମେତ ସଂସ୍ଥାର ଅନ୍ୟ ଉଚ୍ଚ ପଦସ୍ଥ ଅଧିକାରୀମାନେ ସ୍ୱାଗତ କରିଥିଲେ। ଜେ.ଏମ୍‌ ବକ୍ସି ଗ୍ରୁପ୍‌ର ପାରାଦୀପ ଇଣ୍ଟରନେସନାଲ କାର୍ଗୋ ଟର୍ମିନାଲ ପାରାଦୀପ ବନ୍ଦରରେ ଏକ ବହୁମୁଖୀ ବର୍ଥ ନିର୍ମାଣ କରି ଉତ୍ପାଦିତ ସାମଗ୍ରୀକୁ କଣ୍ଟେନର ମାଧ୍ୟମରେ ଆମଦାନୀ ଓ ରପ୍ତାନି କରିବା ପାଇଁ ୩୦ ବର୍ଷ ନିମନ୍ତେ ଏକ ଚୁକ୍ତି କରିଛି। ଏହି ଟର୍ମିନାଲରେ କ୍ରେନ୍‌ ଯୋଗେ ଅତ୍ୟାଧୁନିକ ଲୋଡିଂ ଓ ଅନଲୋଡିଂର ବ୍ୟବସ୍ଥା ରହିଛି, ଯାହାକି ପଣ୍ୟ କାରବାର ପ୍ରକ୍ରିୟାକୁ ଆହୁରି ସୁଗମ କରିବ।

ସମ୍ବନ୍ଧିତ ଖବର