ବୈଜୟନ୍ତ ବନ୍ଧୁଙ୍କ ବିଷୋଦଗାର ପ୍ରସଙ୍ଗ : ସ୍ୱତନ୍ତ୍ର ଗୃହ କମିଟି ବୈଠକରେ ତନାଘନା

ଡିଜି, ଗୁଇନ୍ଦା ନିର୍ଦେଶକଙ୍କୁ ହାଜର ପାଇଁ ନୋଟିସ, ଦୁଇ ଗଣମାଧ୍ୟମ ସଂସ୍ଥାକୁ ବି ନୋଟିସ କରାଗଲା

ଭୁବନେଶ୍ୱର : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ରଙ୍କ ବିରୋଧରେ ବିଧାନସଭାର ସ୍ୱତନ୍ତ୍ର ଗୃହ କମିଟି ଆଜି ବିଚାର ଆରମ୍ଭ କରିଛି।

ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦୁଇଟି ଗଣମାଧ୍ୟମ ସଂସ୍ଥାର ସଂପାଦକଙ୍କ ସମେତ ପୁଲିସ ମହାନିର୍ଦେଶକ ଓ ଗୁଇନ୍ଦା ନିର୍ଦେଶକଙ୍କୁ ହାଜର ହେବା ପାଇଁ ସମନ କରିଛି କମିଟି। ଆସନ୍ତା ୨୮ ତାରିଖ ଦିନ ପୂର୍ବାହ୍ନ ୧୧ଟାରେ ତଥ୍ୟ ପ୍ରମାଣ ସହିତ ଉପସ୍ଥିତ ହେବା ଲାଗି ନିର୍ଦେଶ ଦିଆଯାଇଛି।

ପୂର୍ବ ନିର୍ଧାରିତ ନିଷ୍ପତ୍ତି ଅନୁସାରେ, ଆଜି ଅପରାହ୍ନ ୪ଟାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ସ୍ୱତନ୍ତ୍ର ଗୃହ କମିଟିର ପ୍ରଥମ ବୈଠକ ବସିଥିଲା। ଏଥିରେ ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓଙ୍କୁ ଛାଡି ଦେଇ ଅନ୍ୟମାନେ ଉପସ୍ଥିତ ଥିଲେ।

ବୈଠକରେ ଗଣମାଧ୍ୟମକୁ କୁହାଯାଇଛି, ଅଭିଜିତଙ୍କ ସାକ୍ଷାତାକର, ବିଧାୟକଙ୍କୁ ବୋକା ବୋଲି ଛାପିଥିବା ଗଣମାଧ୍ୟମକୁ ତଥ୍ୟ ରଖିବା ପାଇଁ ହାଜର ହେବାକୁ ନିର୍ଦେଶ ଦିଆଯାଇଛି। ସାକ୍ଷାତକାର ସିଡି ମଧ୍ୟ ସେମାନେ ଉପସ୍ଥାପନ କରିବେ। ସେହିଭଳି ଅଭିଜିତଙ୍କ ଠିକଣା,ଟ୍ଵିଟ୍‌, ମାମଲା ଆଦି ସଂପର୍କରେ ତଥ୍ୟ ରଖିବା ଲାଗି ପୁଲିସ ବିଭାଗର ଦୁଇ ପଦାଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଏମାନେ ୨୮ ତାରିଖ ଦିନ ତଥ୍ୟ ରଖିବାପରେ କମିଟି ଏହାକୁ ତର୍ଜମା କରିବ ଓ ଆବଶ୍ୟକ ପଦକ୍ଷେପ ନେବ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅରୁଣ ସାହୁ, ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ସଂଜୟ ଦାସବର୍ମା ଉପସ୍ଥିତ ଥିଲେ। ଉଲ୍ଲେଖଥାଉକି, ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର, ଶ୍ରୀ ଜଗନ୍ନାଥ, ଓଡ଼ିଶାର କଳା, ଭାସ୍କର୍ଯ୍ୟ, ଐତିହ୍ୟ ସଂପର୍କରେ ଅପଶବ୍ଦ ପ୍ରୟୋଗ କରିଥିଲେ ଅଭିଜିତ। କେବଳ ସେତିକି ନୁହେଁ, ବିଧାୟକମାନେ ବୋକା ବୋଲି ମଧ୍ୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ବିଧାନସଭାରେ ଦଳ ମତ ନିର୍ବିଶେଷରେ ବିଧାୟକମାନେ ଏକାଠି ହୋଇଥିଲେ। ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ଗୃହରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଥିଲେ, ଯାହାକୁ ଗୃହ ତତ୍କାଳ ଗ୍ରହଣ କରି ଏହି ସ୍ୱତନ୍ତ୍ର କମିଟି ଗଠନ କରିଥିଲେ।

ସମ୍ବନ୍ଧିତ ଖବର