ବ୍ରହ୍ମପୁର-କଟକ ମେମୁ ଟ୍ରେନ୍‌ ଗଡ଼ିଲା : ସୋମରୁ ଶନିବାର ୬ ଦିନ ଚାଲିବ, ୧୨ଟି ବଗି ସହ ବାୟୋ ଟଏଲେଟ୍‌ ସୁବିଧା, ରଥ ପୂର୍ବରୁ ଦ୍ୱିତୀୟ ମେମୁ ଟ୍ରେନ୍‌

ବ୍ରହ୍ମପୁର/ଚନ୍ଦ୍ରଖେଖରପୁର : ପୂର୍ବତଟ ରେଳପଥ ପକ୍ଷରୁ ରାଜ୍ୟରେ ଗଡ଼ିଛି ପ୍ରଥମ ମେମୁ ଟ୍ରେନ୍‌। ସକାଳ ୭.୩୦ ମିନିଟ୍‌ରେ ବ୍ରହ୍ମପୁର ଷ୍ଟେସନ୍‌ରୁ ଏହି ଟ୍ରେନ୍‌ ଯାତ୍ରା ଆରମ୍ଭ କରିଥିଲା। ମେମୁ ଟ୍ରେନ୍‌ ସୋମବାରରୁ ଶନିବାର ସପ୍ତାହରେ ୬ଦିନ ବ୍ରହ୍ମପୁରରୁ କଟକ ମଧ୍ୟରେ ଚଳାଚଳ କରିବ। ଏହା ସହିତ ସଂଧ୍ୟାରେ ପୁଣିଥରେ କଟକରୁ ଫେରିବ। ରବିବାର ଦିନ ସଫାସୁତରା କାମ ପାଇଁ ମେମୁ ଟ୍ରେନ୍‌ ବନ୍ଦ କରାଯିବ। ଏହା ବଦଳରେ ରବିବାର ଦିନ ପୁରୁଣା ଫାଷ୍ଟ ପାସେଞ୍ଜର ବ୍ରହ୍ମପୁରରୁ କଟକ ଯାତାୟତ କରିବ ବୋଲି ସୂଚନା ଦିଆଯାଇଛି। ଖୋର୍ଧାରୋଡ୍‌ ଷ୍ଟେସନ୍‌ରେ ଡିଆର୍‌ଏମ୍‌ ବ୍ରିଜ୍‌ମୋହନ ଅଗ୍ରଓ୍ଵାଲ୍‌ ଏହାକୁ ସ୍ୱାଗତ କରିଥିଲେ।

ଏହି ସ୍ୱତନ୍ତ୍ର ଟ୍ରେନ୍‌ର ଚଳାଚଳ ଫଳରେ ରାଜ୍ୟରେ ଦ୍ରୁତଗାମୀ ଟ୍ରେନ୍‌ ଯାତ୍ରାର ଶୁଭାରମ୍ଭ ହୋଇଛି। ପୂର୍ବରୁ ପଲାସାରୁ କଟକ ଓ ବ୍ରହ୍ମପୁରରୁ ଭଦ୍ରକ ଦୁଇଟି ପାସେଞ୍ଜର୍‌ ଯାତ୍ରା କରୁଥିବା ବେଳେ ଯାତ୍ରୀଭିଡ଼କୁ ଦୃଷ୍ଟିରେ ରଖି ମେମୁ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। କ୍ଷୀପ୍ର ଗତିରେ ଯାତ୍ରା କରୁଥିବା ଏହି ଟ୍ରେନ୍‌ କପୁରଥାଲା ରେଳ କୋଚ୍‌ ଫ୍ୟାକ୍ଟରେ ସମ୍ପୂର୍ଣ୍ଣ ଭାବରେ ନୂଆ କରି ନିର୍ମିତ ହୋଇଛି। ଏହି ଲାଇନ୍‌ରେ ରବିବାର ଦିନ ସାଧାରଣ ପାସେଞ୍ଜର୍‌ ଟ୍ରେନ୍‌ ସେବା ପୂର୍ବଭଳି ନିର୍ଦ୍ଧାରିତ ସମୟରେ ଅବ୍ୟାହତ ରହିବା ନେଇ ପୂର୍ବତଟ ରେଳ ପକ୍ଷରୁ ସୂଚନା ମିଳିଛି। ସେହିପରି ପ୍ରତି ଶନିବାର ଏହି ଟ୍ରେନ୍‌ ବ୍ରହ୍ମପୁର-ଖୋର୍ଧା ଓ ରବିବାର ଦିନ ଏହା ଖୋର୍ଧା-ବ୍ରହ୍ମପୁର ମେମୁ ସ୍ପେସାଲ୍‌ ଭାବେ ଯାତ୍ରା କରିବ। ଚଳିତ ମାସ ୩୦ ଶନିବାର ଓ ଜୁଲାଇ ପହିଲା ରବିବାରରୁ ଏହା ଆରମ୍ଭ ହେବ। କଟକ, ଭୁବନେଶ୍ୱର ଓ ବ୍ରହ୍ମପୁରର ମଧ୍ୟରେ ଯାତ୍ରୀସେବା ଯୋଗାଇବାରେ ଏହା ଅତ୍ୟନ୍ତ ଫଳପ୍ରଦ ହେବାନେଇ ପୂର୍ବତଟ ରେଳ ପକ୍ଷରୁ କୁହାଯାଇଛି।

ଏହି ଟ୍ରେନ୍‌ରେ ୧୨ଟି ବଗି ରହିଥିବା ବେଳେ ବଗିର ଉଭୟ ପଟେ ବାୟୋଟଏଲେଟ୍‌ ବ୍ୟବସ୍ଥା କରାଯାଇଛି ବୋଲି ଖୋର୍ଦ୍ଧା ଡିଭିଜନ୍‌ର ଡିଭିଜନାଲ୍‌ ମେକାନିକାଲ୍‌ ଇଂଜିନିୟର୍‌ ସୁରେନ୍ଦ୍ର କୁମାର ପାଢ଼ୀ ସୂଚନା ଦେଇଛନ୍ତି। ଏହା ସହିତ ଟ୍ରେନ୍‌ର ମଧ୍ୟ ଭାଗରେ ଇଂଜିନ ରହିଥିବା ବେଳେ ଉଭୟ ମୁଣ୍ଡରେ କଣ୍ଟ୍ରୋଲ୍‌ ୟୁନିଟ୍‌ ରହିଛି।

ଅନ୍ୟପକ୍ଷରେ, ରାଜ୍ୟରେ ସଫଳତାର ସହିତ ପ୍ରଥମ ମେମୁ ଟ୍ରେନ୍‌ ଗଡ଼ିବା ପରେ ଖୁବ୍‌ଶୀଘ୍ର ଦ୍ୱିତୀୟ ମେମୁ ଟ୍ରେନ୍‌ ଚଳାଚଳ ଆରମ୍ଭ ହେବ। ରଥଯାତ୍ରା ପୂର୍ବରୁ ଏହି ମେମୁ ଟ୍ରେନ୍‌ ଅନ୍ୟ ଏକ ରୁଟ୍‌ରେ ଚଳାଚଳ କରିବ। ଯାତ୍ରୀଭିଡ଼କୁ କମ୍‌ କରିବା ଓ ଆରାମ୍‌ଦାୟକ ରେଳଯାତ୍ରା ନିମନ୍ତେ ପୂର୍ବତଟ ରେଳ ପକ୍ଷରୁ ଏହି ବ୍ୟବସ୍ଥା ଚୁଡ଼ାନ୍ତ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

କ’ଣ ଏହି ମେମୁ ଟ୍ରେନ୍‌?

ମେନ୍‌ଲାଇନ୍‌ ଇଲେକ୍ଟ୍ରିକ୍‌ ମଲ୍ଟିପଲ୍‌ ୟୁନିଟ୍‌ (ମେମୁ) ଟ୍ରେନ୍‌ ଭାରତୀୟ ରେଳ ପକ୍ଷରୁ ସେମିଅର୍ବାନ୍‌ ଓ ଗ୍ରାମୀଣ କ୍ଷେତ୍ରରେ ଚଳାଚଳ କରିବା ନିମନ୍ତେ ନିର୍ମିତ ହୋଇଛି। ଏହି ଟ୍ରେନ୍‌ରେ ଏୟାର୍‌ ସ୍ପ୍ରିଙ୍ଗ୍‌ ସହିତ ସେକେଣ୍ଡାରି ସସ୍ପେନସନ୍‌ ଲାଗିଥିବାରୁ ସାଧାରଣ ପାସେଞ୍ଜର୍‌ ଟ୍ରେନ୍‌ ଅପେକ୍ଷା ଏଥିରେ ଯାତ୍ରା କରିବା ଅଧିକ ସୁଖଦ ଓ ଆରାମଦାୟକ। ଡିଜେଲ୍‌ ଚାଳିତ ପାସେଞ୍ଜର୍‌ ଟ୍ରେନ୍‌ ତୁଳନାରେ ମେମୁ ଟ୍ରେନ୍‌ର ବଗି ଗୁଡ଼ିକ ଅଧିକ ପ୍ରଶସ୍ତ। ଏହି ଟ୍ରେନ୍‌ର ପ୍ରତି ବଗିରେ ୮୦ ଜଣ ଯାତ୍ରୀ ବସିପାରିବେ। ସେହିପରି ୧୬୦ ଜଣ ଯାତ୍ରୀ ଠିଆ ହୋଇ ଯାତ୍ରା କରିପାରିବା ଭଳି ବ୍ୟବସ୍ଥା ହୋଇଛି।

ଘଣ୍ଟାକୁ ୧୦୦ କିମି ବେଗରେ ଯାତ୍ରା କରିବାର କ୍ଷମତା
ସାଧାରଣ ପାସେଞ୍ଜର୍‌ ଟ୍ରେନ୍‌ ତୁଳନାରେ ମେମୁ ଟ୍ରେନ୍‌ କ୍ଷୀପ୍ର ଗତିରେ ଯାତ୍ରା କରିପାରିବ। ଏହା ଘଣ୍ଟାକୁ ୧୦୦କିମି ବେଗରେ ଗତି କରିପାରିବ। ଯାହାକି ପାସେଞ୍ଜର୍‌ ଟ୍ରେନ୍‌ ଅପେକ୍ଷା ଯଥେଷ୍ଟ ଅଧିକ। ସେହିପରି ମେମୁ ଟ୍ରେନ୍‌ ଖୁବ୍‌ କମ୍‌ ସମୟ ମଧ୍ୟରେ ପିକ୍‌ଅପ୍‌ ନେଇପାରିବ। ସାଧାରଣ ପାସେଞ୍ଜର୍‌ ଟ୍ରେନ୍‌ଗୁଡ଼ିକ ଷ୍ଟେସନ୍‌ରେ ରହିବା ନିମନ୍ତେ ଯଥେଷ୍ଟ ପୂର୍ବରୁ ବ୍ରେକ୍‌ ମାରିଥାଆନ୍ତି। ମାତ୍ର ମେମୁ ଟ୍ରେନ୍‌ର ବ୍ରେକ୍‌ ମାରିବା ଦୂରତା ଖୁବ୍‌ କମ୍‌। ଶୀଘ୍ର ବେଗକୁ ଆସୁଥିବାରୁ ଏହା ନିର୍ଦ୍ଧାରିତ ସମୟ ମଧ୍ୟରେ ଯାତ୍ରା କରିପାରିବାର କ୍ଷମତା ରଖୁଛି।

ପ୍ରତି କୋଚ୍‌ରେ ବାୟୋ ଟଏଲଟ୍‌ ବ୍ୟବସ୍ଥା
ସ୍ୱଚ୍ଛତାକୁ ଗୁରୁତ୍ୱ ଦେବା ସହିତ ମେମୁ ଟ୍ରେନ୍‌ର ପ୍ରତ୍ୟେକ କୋଚ୍‌ରେ ଦୁଇଟି ଲେଖାଏଁ ବାୟୋ ଟଏଲଟ୍‌ର ବ୍ୟବସ୍ଥା କରାଯାଇଛି। ଯାହାକି ପୂର୍ବର ସାଧାରଣ ପାସେଞ୍ଜର୍‌ ଟ୍ରେନ୍‌ଗୁଡ଼ିକରେ ନଥିଲା। ଏହା ଯାତ୍ରୀମାନଙ୍କୁ ବେଶ୍‌ ସହାୟକ ହେବ।

ଉଭୟ ଦିଗରୁ କାର୍ଯ୍ୟକ୍ଷମ ହୋଇପାରୁଥିବା ରେକ୍‌
୧୨ଟି ବଗି ବିଶିଷ୍ଟ ଏହି ମେମୁ ଟ୍ରେନ୍‌ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଛି। ରେକ୍‌ ଗୁଡ଼ିକ ଇଂଜିନ୍‌ ସହିତ ସଂଯୁକ୍ତ ହୋଇରହିଥିବାରୁ ଏହା ଉଭୟ ଦିଗରୁ ଯାତ୍ରା କରିପାରିବ। କେବଳ ଜଣେ ମୋଟରମ୍ୟାନ୍‌ ହିଁ ରେକ୍‌କୁ ଚଳେଇପାରିବେ, ଅତିରିକ୍ତ ମୋଟରମ୍ୟାନ୍‌ର ଆବଶ୍ୟକତା ନାହିଁ। ଏହା ଫଳରେ ଇଂଜିନ୍‌ ପରିବର୍ତ୍ତନର ଝିନ୍‌ଝଟ ରହିବ ନାହିଁ। ଏହା ସହିତ ସମୟ ଅପଚୟ ମଧ୍ୟ କମିଯିବ।

ସମ୍ବନ୍ଧିତ ଖବର