ସରିଲା ପ୍ରଥମ ପର୍ଯ୍ୟାୟ ମେଡିକାଲ ନାମଲେଖା : ସନ୍ଧ୍ୟା ସୁଦ୍ଧା ୯୭୨ ସିଟ୍‌ ପୂରଣ

ଏମ୍‌ବିବିଏସ୍‌ରେ ୯୨୮ ଓ ବିଡିଏସ୍‌ରେ ୪୪ ସିଟ୍‌ ପୂରଣ

ଭୁବନେଶ୍ବର : ରାଜ୍ୟରେ ଥିବା ୭ଟି ସରକାରୀ ଓ ଗୋଟିଏ ଘରୋଇ ମେଡିକାଲ କଲେଜର ଏମ୍‌ବିବିଏସ୍‌ ଓ ବିଡିଏସ୍‌ ସିଟ୍‌ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ଏହି କଲେଜଗୁଡ଼ିକରେ ଥିବା ମୋଟ ୧୪୦୦ ସିଟ୍‌ ମଧ୍ୟରୁ ରାଜ୍ୟ କୋଟାରେ ୧୨୧୮ ସିଟ୍‌ ପାଇଁ ଏବେ କାଉନସେଲିଂ କରାଯାଉଛି। ସନ୍ଧ୍ୟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ୮ଟି ମେଡିକାଲ କଲେଜର ୧୦୭୬ ଏମ୍‌ବିବିଏସ୍‌ ସିଟ୍‌ ମଧ୍ୟରୁ ୯୨୮ ସିଟ୍‌ ପୂରଣ ହୋଇଛି। କଟକ ଏସ୍‌ସିବିର ୪୨ଟି ଓ ଭୁବନେଶ୍ବର ହାଇଟେକ୍‌ ମେଡିକାଲ କଲେଜର ‌ଶହେ ବିଡିଏସ୍‌ ସିଟ୍‌ ମଧ୍ୟରୁ ମାତ୍ର ୪୪ଟି ସିଟ୍‌ ପୂରଣ ହୋଇଛି। ତେବେ ଚୂଡ଼ାନ୍ତ ସିଟ୍‌ ଆବଣ୍ଟନ ‌‌ନେଇ ଓଜେଇଇ ପକ୍ଷରୁ ସୂଚନା ଦିଆଯାଇନାହିଁ।

ମିଳିଥିବା ସୂଚନା ଅନୁଯାୟୀ, କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜର ରାଜ୍ୟ କୋଟାର ୨୧୨ଟି ସିଟ୍‌ ମଧ୍ୟରୁ ପ୍ରଥମ ଦିନରେ ୧୭୨ ସିଟ୍‌ ପୂରଣ ହୋଇଥିଲା। ସେହିପରି ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜର ରାଜ୍ୟ କୋଟାର ୨୧୨ ସିଟ୍‌ରୁ ୧୯୫, ବୁର୍ଲାସ୍ଥିତ ଭିଏସ୍‌ଏସ୍‌ ମେଡିକାଲ କଲେଜର ୧୭୦ ସିଟ୍‌ ମଧ୍ୟରୁ ୧୫୬ସିଟ୍‌ ପୂରଣ ହୋଇଛି। ଏଥିସହ ବାରିପଦା ମେଡ଼ିକାଲ କଲେଜର ୧୦୬ ସିଟ୍‌ ମଧ୍ୟରୁ ୯୮ ସିଟ୍‌ ପୂରଣ ହୋଇଛି। ସେହିପରି କୋରାପୁଟ ସରକାରୀ ମେଡିକାଲ କଲେଜ, ବଲାଙ୍ଗିର ସରକାରୀ ମେଡିକାଲ କଲେଜ ଓ ବାଲେଶ୍ବର ସରକାରୀ ମେଡିକାଲ କଲେଜରେ ଥିବା ମୋଟ ୨୭୬ ସିଟ୍‌ ମଧ୍ୟରୁ ୨୬୨ସିଟ୍‌ ପୂରଣ ହୋଇଛି। ସିଟ୍‌ ଆଲ୍‌ଟମେଣ୍ଟ ହୋଇଥିବା କେତେକ ଛାତ୍ରଛାତ୍ରୀ ଆଜି ସୁଦ୍ଧା ନାମ ଲେଖାଇଛନ୍ତି। ତେବେ ରାତି ସୁଦ୍ଧା ସେମାନଙ୍କ ତଥ୍ୟ ମିଳି ପାରିନାହିଁ।

ଅନ୍ୟପକ୍ଷରେ ଭୁବନେଶ୍ବରସ୍ଥିତ ହାଇଟେକ୍‌ ମେଡିକାଲ କଲେଜର ‌ଶହେ ଏମ୍‌ବିବିଏସ୍‌ ସିଟ୍‌ ମଧ୍ୟରୁ ୪୫ଟି ସିଟ୍‌ ପୂରଣ ହୋଇଛି। ଏଠାରେ ଥିବା ଶହେ ବିଡିଏସ୍‌ ସିଟ୍‌ ମଧ୍ୟରୁ ୫ରୁ ଅଧିକ ସିଟ୍‌ ପୂରଣ ହୋଇଛି। ତେବେ ରାତି ସୁଦ୍ଧା ସଠିକ୍‌ ସୂଚନା ମିଳି ପାରିନାହିଁ। ସେହିପରି ଏସ୍‌ସିବି ମେଡିକାଲ କଲେଜରେ ଥିବା ୪୨ଟି ସିଟ୍‌ ମଧ୍ୟରୁ ୩୯ସିଟ୍‌ ପୂରଣ ହୋଇଥିବା ଓଜେଇଇ ପକ୍ଷରୁ ସୂଚନା ମିଳିଛି। ହାଇଟେକ୍‌ ମେଡିକାଲ କଲେଜରେ ଥିବା ଏମ୍‌ବିବିଏସ୍‌ ଓ ବିଡିଏସ୍‌ର ୧୦୦ଟି ଲେଖାଏଁ ସିଟ୍‌ ମଧ୍ୟରୁ ୧୫ଟି ଏନ୍‌ଆରଆଇଙ୍କ ପାଇଁ ସଂରକ୍ଷିତ ରହିଛି। ଖୁବ୍‌ଶୀଘ୍ର ଦ୍ବିତୀୟ ପର୍ଯ୍ୟନ୍ତ ସିଟ୍‌ ଆଲଟ୍‌ମେଣ୍ଟ ହେବ।

ସମ୍ବନ୍ଧିତ ଖବର