ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଲାଗି ଇଭିଏମ୍ ମେସିନ ସହ ବୁଥକୁ ବାହାରିଲେ ପୁଲିଂ କର୍ମଚାରୀ

ବ୍ରହ୍ମପୁର: ଆଗାମୀ ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଲାଗି ଆଜି ଓଡ଼ିଶାର ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ବିଭିନ୍ନ ବୁଥକୁ ଇଭିଏମ ମେସିନ ସହ ପୁଲିଂ କର୍ମଚାରୀମାନେ ଯାତ୍ରା କରିଛନ୍ତି।

ସେହି କ୍ରମରେ ଗଂଜାମ ଜିଲ୍ଲାର ପୁଲିଂ କର୍ମଚାରୀମାନେ ଇଭିଏମ ମେସିନ ସହ ନିଜ ନିଜ ବୁଥକୁ  ଯାତ୍ରା କରିଛନ୍ତି। ଆଜି ବ୍ରହ୍ମପୁର ଲୋକସଭା ଅଧିନରେ ଥିବା ୧୧୧୭ଟି ବୁଥକୁ ୬୯୭୩ଜଣ ପୁଲିଂ କର୍ମଚାରୀ ଯାଉଛନ୍ତି। ବ୍ରହ୍ମପୁର, ଗୋପାଳପୁର, ଚିକିଟି ଏବଂ ଦିଗପହଣ୍ଡି ଆଦି ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ନିୟୋଜିତ କର୍ମଚାରୀମାନେ ବ୍ରହ୍ମପୁରର ସରକାରୀ ଆଇଟିଆଇରୁ ବାହାରିଛନ୍ତି। ଠିକ୍ ସେହିପରି ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ନିୟୋଜିତ କର୍ମଚାରୀମାନେ ଅନସ୍ଲୋ ହାଇସ୍କୁଲ ପଡ଼ିଆରୁ ବାହାରୁଥିବା ଦେଖାଯାଉଛି।

ଏହି ନିର୍ବାଚନ ମଣ୍ଡଳୀମାନଙ୍କରେ ୧୦ ଲକ୍ଷ ୭୨ ହଜାର ୨୪୨ ଜଣ ଭୋଟର୍ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ଭିତରେ ୨୦, ୭୮୯ଜଣ ଦିବ୍ୟାଙ୍ଗ ଭୋଟର୍ ଅଛନ୍ତି। ସାଧାରଣତଃ ପୁଲିଂ କର୍ମଚାରୀମାନେ ବୁଥକୁ ଗୋଟିଏ ଦିନ ଆଗରୁ ଯାଇଥାନ୍ତି, ହେଲେ ଏଥର ଦୁଇ ଦିନ ଆଗରୁ ଏଥର ସେମାନେ ବୁଥକୁ ଯାଉଥିବା ଜଣାଯାଇଛି।

ଆଗାମୀ ୧୧ ତାରିଖରେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଗଜପତିରେ ନିର୍ବାଚନ ହିଂସା, ଅସାମାଜିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ସହ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ ସଜାଗ ରହିଛି । ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀ ପାରଳାଖେମୁଣ୍ଡି ଓ ମୋହନାର ମୋଟ ୫୭୩ଗୋଟି ବୁଥ୍ ପାଇଁ ୧୪ଜଣ ଡିଏସପି, ୧୨ଜଣ ଇନସ୍ପେକ୍ଟର, ୧୧୨ଜଣ ସବ୍ ଇନସ୍ପେକ୍ଟରଙ୍କ ସହ ୧୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିବେ । ଏଥିସହ ୪୨ ମୋବାଇଲ ପୋଲିସ ଟିମ୍, ୮୨ ଅତି ସମ୍ବେଦନଶୀଳ ବୁଥ ଉପରେ ନଜର ରଖାଯାଇଛି । ରାୟଗଡା ଓ କନ୍ଧମାଳ ଜିଲ୍ଲା ସୀମାବର୍ତ୍ତୀ ନକ୍ସଲ ପ୍ରଭାବିତ ଅଂଚଳରେ ୨ ପ୍ଲାଟୁନ ଡିଭିଏଫ ଫୋର୍ସ ମୁତୟନ ସହ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସମ୍ବନ୍ଧିତ ଖବର