ମେ ୨୬ରେ ବାରିପଦାରେ ପହଁଞ୍ଚିବ ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଆସୁଥିବା ଦୁଇଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ

କୋଭିଡ଼-୧୯ ସଂକ୍ରମଣ, ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲାପାଳଙ୍କ ପକ୍ଷରୁ ୧୪୪ ଧାରା ପ୍ରୟୋଗ
ଭଞ୍ଜପୁର ଷ୍ଟେସନର ୫୦୦ ମିଟର ପରିସୀମା ମଧ୍ୟରେ ମେ ୨୬ ମଙ୍ଗଳବାର ସକାଳ ୮ରୁ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର
ଅମାନ୍ୟ କଲେ ଧାରା ୧୩୪/୫୨ସିଆର. ପିସି ଆଧାରରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାକୁ ପ୍ରଥମ ଥର କେବଳ ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ଧରି ଦୁଇଟି ସ୍ୱତନ୍ତ୍ର ଟ୍ରେନ ଆସି ପହଁଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଭାରତର ତାମିଲନାଡ଼ୁ ରାଜ୍ୟର ସାଲେମ ଓ ତିରୁନେଲଭେଲିରୁ ଏହି ଦୁଇ ଟ୍ରେନ ପ୍ରାୟ ହଜାରେରୁ ଅଧିକ ଶ୍ରମିକମାନଙ୍କୁ ଧରି ବାରିପଦା ଭଞ୍ଜପୁର ଷ୍ଟେସନରେ ମେ ୨୬ରେ ପହଁଞ୍ଚିବ । ତେଣୁ ସ୍ୱତନ୍ତ୍ର ଟ୍ରେନରେ ଆସୁଥିବା ଯାତ୍ରୀମାନଙ୍କ ସୁରକ୍ଷା ସହିତ କୋଭିଡ଼-୧୯ ସଂକ୍ରମଣର ସମ୍ଭାବନା , ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ନିଜ ନିଜ ଅଞ୍ଚଳର ସଂଗରୋଧ କେନ୍ଦ୍ରଗୁଡ଼ିକୁ ସ୍ଥାନାନ୍ତରିତ କରାଯିବା, ଲ-ଆଣ୍ଡ ଅର୍ଡ଼ର ପରିସ୍ଥିତି ଆଦିକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ୧୯୭୩ ସିଆରପିସି ଧାରା ଅଣ୍ଡର ସେକ୍ସନ ୧୪୪କୁ ପ୍ରୟୋଗ କରିଛନ୍ତି ।

ମେ ୨୬ ପୂର୍ବାହ୍ନ ୮ରୁ ବାରିପଦା ସହରର ଭଞ୍ଜପୁର ରେଳ ଷ୍ଟେସନଠାରୁ ୫ ଶହ ମିଟର ପରିସୀମା ମଧ୍ୟରେ ଏବଂ ଭଞ୍ଜପୁର ଛକରୁ ମୁର୍ଗାବାଡ଼ି ଛକ ପର୍ଯ୍ୟନ୍ତ ଏହି ୧୪୪ ଧାରାକୁ ଜାରି କରାଯାଇଛି ଏବଂ ଏହା ପରବର୍ତ୍ତି ଆଦେଶନାମା ଜାରି ହେବା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଉକ୍ତ ୧୪୪ ଧାରା ଲାଗୁ ହେବାର ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଭଞ୍ଜପୁର ରେଳ ଷ୍ଟେସନ ନିକଟରୁ ୫ଶହ ମିଟର ପରିସୀମା ମଧ୍ୟରେ ଜନସାଧାରଣଙ୍କ ଚଳପ୍ରଚଳକୁ ନିଷେଧ କରାଯାଇଛି । କୌଣସି ବ୍ୟକ୍ତି ବିଶେଷ ଏହାକୁ ଅବମାନନା କଲେ ସେମାନଙ୍କ ବିରୋଧରେ ସିଆରପିସି ଧାରା ୧୩୪/୫୨ ଅନୁସାରେ ତତ୍‌କ୍ଷଣାତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାରଙ୍କୁ ପରାମର୍ଶ ଦେବା ସହିତ ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ କାର୍ଯ୍ୟରତ ପୁଲିସ କର୍ମଚାରୀ, ମେଡ଼ିକାଲ ଷ୍ଟାଫ, ଅଗ୍ନିଶମ ବିଭାଗର କର୍ମଚାରୀ, ଡ଼ିଉଟିରେ ଥିବା ସରକାରୀ କର୍ମଚାରୀ, ଶ୍ରମିକମାନଙ୍କୁ ସ୍ଥାନ୍ତରିତ କରାଯିବା ନିମନ୍ତେ ନିୟୋଜିତ ଯାନବାହାନ ସହିତ ଚାଳକମାନଙ୍କ କ୍ଷେତ୍ରରେ ଏହି ୧୪୪ ଧାରା କୋହଳ କରାଯାଇଛି ।

ସୂଚନା ଯୋଗ୍ୟ ଯେ, ମେ ୨୬ ଅପରାହ୍ନ ପ୍ରାୟ ୧.୨୫ ମିନିଟ ସମୟରେ ୦୬୧୮୧ ନମ୍ବର ବିଶିଷ୍ଟ ୨୪ଟି ବଗି ଥିବା ସ୍ୱତନ୍ତ୍ର ଟ୍ରେନ ତାମିଲନାଡ଼ୁ ରାଜ୍ୟର ତିରୁନେଲଭେଲିରୁ ମୟୂରଭଞ୍ଜଜିଲ୍ଲାର ବିଭିନ୍ନ ଅଞ୍ଚଳର ଶତାଧିକ ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ଧରି ବାରିପଦା ଭଞ୍ଜପୁର ଷ୍ଟେସନରେ ପହଁଞ୍ଚିବ । ଅନୁରୂପ ଭାବେ ସେହି ତାମିଲନାଡ଼ୁ ରାଜ୍ୟର ସଲେମରୁ ୦୬୧୧୩ ନମ୍ବର ବିଶିଷ୍ଟ ଅନ୍ୟ ଏକ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଶ୍ରମିକମାନଙ୍କୁ ଧରି ବାରିପଦା ଭଞ୍ଜପୁର ଷ୍ଟେସନରେ ପ୍ରାୟ ସନ୍ଧ୍ୟା ୬.୨୫ରେ ପହଁଞ୍ଚିବା ନିମନ୍ତେ ରେଳ ବିଭାଗର ସହଯୋଗରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରମିକମାନଙ୍କୁ ଧରି ଟ୍ରେନ ଷ୍ଟେସନରେ ପହଁଞ୍ଚିବା ପରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତ କର୍ମଚାରୀମାନଙ୍କ ଦ୍ୱାରା ଶୃଙ୍ଖଳାର ସହିତ ସେମାନଙ୍କର ନାମ, ଠିକାଣା ଆଦିକୁ ପଞ୍ଜିକରଣ କରାଯିବା ସଂଗେସଂଗେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହାପରେ ସେମାନଙ୍କୁ ନିଜ ନିଜ ଅଞ୍ଚଳର କ୍ୱାରେଣ୍ଟାଇନ କେନ୍ଦ୍ରକୁ ଗାଡ଼ିରେ ପଠାଇ ଦିଆଯିବ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳାର ସହିତ ପରିଚାଳନା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ପ୍ରଶାସନିକ ଅଧିକାରୀ, ପୁଲିସ ବିଭାଗର ବରିଷ୍ଠ ପଦାଧିକାରୀ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ରେଳ ବିଭାଗର କର୍ମଚାରୀ ଓ ସୁରକ୍ଷା କର୍ମଚାରୀ ଆଦିଙ୍କୁ ନେଇ ଏକ ସୁରକ୍ଷା ବଳୟ ପ୍ରସ୍ତୁତ କରାଯାଇ ଥିବାର ସୂଚନା ମିଳିଛି।

ସମ୍ବନ୍ଧିତ ଖବର