୧୦ରେ ନିର୍ମଳ ବାୟୁ ନେଇ ପ୍ରଥମ ଷ୍ଟିଅରିଂ କମିଟି ବୈଠକ, ରାଜ୍ୟର ୬ଟି ପ୍ରଦୂଷିତ ସହର ପାଇଁ ଅର୍ଥ ବରାଦ ହେବ

ଭୁବନେଶ୍ବର : ବାୟୁ ପ୍ରଦୂଷଣ ଜଟିଳ ଓ ବହୁମୁଖୀ ସମସ୍ୟା ସୃଷ୍ଟି କରୁଛି। ସାରା ଦେଶର ୧୦୨ ସହରରେ ବାୟୁ ପ୍ରଦୂଷଣ ମାତ୍ରାଧିକ ବୋଲି ଚିହ୍ନଟ କରିଛି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି)। ଏଥିମଧ୍ୟରେ ଓଡ଼ିଶାର ୬ଟି ସହର ସାମିଲ ହୋଇଛି। ଏସବୁ ପ୍ରଦୂଷିତ ସହରରେ ପ୍ରଦୂଷଣ ନିରାକରଣ ପାଇଁ ପ୍ରସ୍ତୁତ ହୋଇସାରିଛି ଯୋଜନା। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପାଣ୍ଠି ବ୍ୟବସ୍ଥା କରାଯିବ। ଏ ନେଇ ଆସନ୍ତା ୧୦ ତାରିଖରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ଷ୍ଟିଅରିଂ କମିଟି ବୈଠକ ଡକାଯାଇଛି।

ସିପିସିବି ପକ୍ଷରୁ ରାଜ୍ୟର ୬ଟି ସର୍ବାଧିକ ବାୟୁ ପ୍ରଦୂଷଣଯୁକ୍ତ ସହର ଯଥା: ଭୁବନେଶ୍ବର, କଟକ, ରାଉରକେଲା, ତାଳଚେର, ଅନୁଗୁଳ ଓ ବାଲେଶ୍ବରକୁ ଅନ୍ତର୍ଭୁକ୍ତ। ଏଥିପାଇଁ କେନ୍ଦ୍ରୀୟ ବୋର୍ଡ ପ୍ରସ୍ତୁତ କରିଛି କାର୍ଯ୍ୟ ଯୋଜନା। ପ୍ରଥମ ଷ୍ଟିଅରିଂ କମିଟି ବୈଠକରେ ଏହି ଯୋଜନାର ବିଭିନ୍ନ ଦିଗ ସଂପର୍କରେ ବିଶଦ ଭାବେ ଆଲୋଚନା ହେବ। ପରିବହନ, ଶିଳ୍ପ, ସହରାଞ୍ଚଳ ସମ୍ପ୍ରସାରଣ, କ୍ରମବର୍ଧିଷ୍ଣୁ ଜନସଂଖ୍ୟା ଆଦି କ୍ଷେତ୍ର ଯୋଗୁଁ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଛି। ସେ ଯାହାହେଉ, ଆଲୋଚନା ଆଧାରରେ ପ୍ରତ୍ୟେକ ସହରର ବାୟୁ ପ୍ରଦୂଷଣ ହାର ହ୍ରାସ ପାଇଁ ଆବଶ୍ୟକ ବ୍ୟୟ ଅଟକଳ କରାଯିବ। ଏହା ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଉଛି। ଏଥିରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର