ସମ୍ବଲପୁର ବଜାରରେ ପୋକ ସାଲୁବାଲୁ ମାଛ : ଅଭିଯୋଗ ପରେ ଚଢ଼ଉ, ୨ ନମୁନା ଭୁବନେଶ୍ବର ଗଲା

ଗୋଦାମରେ ହେବ ଚଢ଼ଉ, ପୋକକୁ ଚ‌ାଉଳ କହି ଫାଙ୍କିଦେଲେ

ସମ୍ବଲପୁର : ସମ୍ବଲପୁର ବଜାରରେ ପୋକ ସାଲୁବାଲୁ ମାଛ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଉପରକୁ ମାଛଗୁଡ଼ିକ ସତେଜ ଦେଖା ଯାଉଥି‌ବା ସମୟରେ କାଟିବା ସମୟରେ ରକ୍ତ ଭଳି ନାଲି ରଙ୍ଗର ପାଣି ବି ବାହାରୁଛି। ମାତ୍ର ତେଲ କଡ଼େଇରେ ପକେଇବା ମାତ୍ରେ ପୋକଗୁଡ଼ିକ ସାଲୁବାଲୁ ହେବା ସହ ସ୍ପଷ୍ଟ ଭାବେ ବାରି ମଧ୍ୟ ହେଉଛି। ଏନେଇ ସମ୍ବଲପୁର ମହାନଗର ନିଗମ କମିସନରଙ୍କ ନିକଟରେ ଅଭିଯୋଗ ହେବା ପରେ ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତାପ ରୁଦ୍ର ମଣ୍ଡଳଙ୍କ ନେତୃତ୍ବରେ ଏକ ଟିମ୍‌ ଅଇଁଠାପାଲି ପିଏଚ୍‌ଡି ପଡ଼ିଆ ନିକଟସ୍ଥ ମାଛ ବଜାରରେ ଚଢ଼ଉ କରିଛନ୍ତି। ପୋକ ସାଲୁବାଲୁ ହେଉଥିବା ଭଜା ମାଛ ଓ କଞ୍ଚା ମାଛର ନମୁନା ସଂଗ୍ରହ କରାଯାଇ ସେଗୁଡ଼ିକ ପରୀକ୍ଷଣ ପାଇଁ ଭୁବନେଶ୍ବର ପଠାଯାଇଛି। ତେବେ ସେଠାରୁ ରିପୋର୍ଟ ଆସିବା ପରେ ମାଛ ବେପାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ବୋଲି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ସେପଟେ, ମାଛ ବିକାଳୀ ମାଛ ଆଣିଥିବା ମୋତିଝରନ୍‌ର ଏକ ଗୋଦାମରେ ମଧ୍ୟ ଶନିବାର ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ଉ କରାଯିବ ବୋଲି ସୁଚନା ପ୍ରଦାନ କରାଯାଇଛି।

ଅଭିଯୋଗ ମୁତାବକ, କାଇଁଶିର ଅଞ୍ଚଳର ଶଙ୍କର ବହିଦାର ଶୁକ୍ରବାର ଅଇଁଠାପାଲି ପିଏଚ୍‌ଡି ପଡ଼ିଆ କଡ଼ରେ ଲାଗୁଥିବା ଅସ୍ଥାୟୀ ମାଛ ବଜାରରୁ ୧ କିଲୋ ରୋହୀ ମାଛ ନେଇଥିଲେ। ଦୋକାନରୁ ନେବା ସମୟରେ ମାଛଗୁଡ଼ିକ ସେ କାଟି ବାଛି ନେଇଥିଲେ। ମାତ୍ର ଘରେ ଯାଇ ସେଗୁଡ଼ିକୁ ତେଲ କଡ଼େଇରେ ପକାଇବା ମାତ୍ରେ ପୋକଗୁଡ଼ିକ ସାଲୁବାଲୁ ହୋଇଥିଲେ ଓ କିଛି ପୋକ ମାଛରେ ମଧ୍ୟ ଲାଗି ରହିଥିଲେ। ଏନେଇ ଶ୍ରୀ ବହିଦାର ସମ୍ବଲପୁର ମହାନଗର ନିଗମ କମିସନରଙ୍କ କାର୍ଯ୍ୟାଳୟରେ ଆସି ଅଭିଯୋଗ କରିବା ପରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ମାତ୍ର ମାଛ ଦୋକାନୀ ପୋକ ସାଲୁବାଲୁ ହେବା ଘଟଣାକୁ ମନା କରୁଥିବା ସମୟରେ ସେଗୁଡ଼ିକୁ ଚାଉଳ ବୋଲି କହି ଫାଙ୍କି ଦେଇଥିଲେ।

ସମ୍ବନ୍ଧିତ ଖବର