ଧାମରା ମୁହାଣରୁ ଧରାହେଲା ୩୦ କିଲୋର ବଡ଼ ମାଛ, ଲକ୍ଷେ ୮୦ ହଜାର ଟଙ୍କାରେ ହେଲା ବିକ୍ରି

ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ବଙ୍ଗୋପସାଗର ଧାମରା ମୁହାଣ ଠାରୁ ୧୦ କିଲୋମିଟର ଗଭୀର ସମୁଦ୍ର ମଧ୍ୟରୁ ଗୁରୁବାର ଏହି ଅଂଚଳର ମତ୍ସଜୀବୀ ମାନେ ଭୋରରୁ ବିରଳ ପ୍ରଜାତିର ମାଛ ‘ତେଲି ମାଛ’ ଧରିଛନ୍ତି। ଏକ ୩୦ କିଲୋର ବଡ଼ ମାଛ ୧,୮୦,୦୦୦ ଟଙ୍କାରେ ବିକ୍ରି ହୋଇଛି। ଏହି ପ୍ରଜାତିର ମାଛର ଓଜନ ପାଖାପାଖି ୧୪ରୁ ୩୦ କିଲୋ ମଧ୍ୟରେ ଥିବା ବେଳେ ଆଜି ଧୀବର ମାନେ କିଛି ବଡ଼ ବଡ଼ ମାଛ କଣ୍ଟାରେ ନିଲାମ ଡାକିଥିଲେ। ନିଲାମଧାରୀମାନେ କିଲୋ ପିଛା ୬୦୫୦ ଟଙ୍କା ପର୍ଯ୍ୟନ୍ତ ମାଛକୁ କିଣିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଏହି ଧରଣର ମାଛ ଜୁନ୍‌-ଜୁଲାଇ ମାସରେ ୩ରୁ ୫ କିଲୋ ସାଇଜ ରହୁଥିବା ବେଳେ କିଲୋ ପ୍ରତି ୩୦୦ ରୁ ୫୦୦ ଟଙ୍କା ମଧ୍ୟରେ ନିଲାମ ଡକାଯାଇଥାଏ। ହେଲେ ଏତେ ଓଜନ ବିଶିଷ୍ଟ ବଡ଼ ମାଛ ପ୍ରଥମ ଥର ଧରାଯାଇଥିବାରୁ କୋଲକାତାର କେତେକ ନିଲମାଧାରୀ ଫୋନ ଯୋଗେ ଏହି ମାଛର ଦର ବୃଦ୍ଧି କରି ୬୦,୫୦ ଟଙ୍କା ଯାଏଁ ଯାଇଥିଲେ।

ନିଲାମଧାରୀଙ୍କ କହିବା ଅନୁସାରେ ଏହି ମାଛରେ ‘ଓମିନ’ର ପରିମାଣ ସର୍ବାଧିକ ଥିବା ବେଳେ କୁଣ୍ଟାରେ ଫୋଟକା ରହିଛି, ଯାହା ବହୁତ ବଡ଼ ବଡ଼ ଔଷଧ କମ୍ପାନୀର କ୍ୟାପସୁଲ ତିଆରି କାମରେ ଲାଗିଥାଏ। ତେବେ ଆଜି ସକାଳୁ ନାରାୟଣ ଜେନା ନାମକ ବୋଟରେ ଏହି ମାଛ ଲାଗିଥିବା ବେଳେ, ଏହି ମାଛକୁ ଗୌତମ ଜେନା ନାମକ କଣ୍ଟା (ମାଛଗଦି) ସାହାଯ୍ୟରେ କୋଲକାତାର ବ୍ୟବସାୟୀ ଶଙ୍କର ଗିରି ନିଲାମ ଧରିଥିଲେ। ଶଙ୍କର ଗିରି ୪ଟି ମାଛ କିଣିଥିଲେ। ଏହି ମାଛ ଗୁଡ଼ିକର ଓଜନ ଯଥାକ୍ରମେ ୩୦, ୨୮, ୨୬ ଓ ୨୫ କିଲୋ ଥିଲା। ସବୁଠାରୁ ବଡ଼ ମାଛକୁ ଶଙ୍କର ୧,୮୦,୦୦୦ ଟଙ୍କାରେ କିଣିଥିଲେ।

ସମ୍ବନ୍ଧିତ ଖବର