‘ସାଗରମାଳା’ ପ୍ରକଳ୍ପ ବୁଡ଼ାଇବ ମତ୍ସ୍ୟଜୀବୀଙ୍କ ଜୀବନଜୀବିକା!

ପ୍ରଭାବିତ ହେବ ହେନ୍ତାଳ ବଣ, ସମୁଦ୍ରର ଘରୋଇକରଣକୁ ବରଦାସ୍ତ କରାଯିବନି: ମତ୍ସ୍ୟଜୀବି ସଂଘ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ‘ସାଗରମାଳା’ ପ୍ରକଳ୍ପ ସାରା ଦେଶର ଲକ୍ଷାଧିକ ମତ୍ସ୍ୟଜୀବୀ ପରିବାରର ଜୀବନଜୀବିକା ବୁଡ଼ାଇବାକୁ ବସିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଦେଶରେ ବହୁ ସଂଖ୍ୟାରେ ବନ୍ଦର ଓ ଶିଳ୍ପକାରଖାନା ଗଢ଼ି ଉଠିବ ଓ ଉପକୂଳ ପରିବେଶ, ପରିସଂସ୍ଥା ଧ୍ବଂସ ପାଇବ। ବିଶେଷକରି ଉପକୂଳରେ ବସବାସ କରୁଥିବା ମତ୍ସ୍ୟଜୀବୀମାନେ ଜୀବିକା ହରାଇବେ। ମେରାଇନ୍‌ କୋଷ୍ଟାଲ୍‌ ରେଗୁଲେଶନ୍‌ ଜୋନ୍‌ରେ ବିଭ୍ରାଟ ସୃଷ୍ଟି ହେବା ସାଙ୍ଗକୁ ମତ୍ସ୍ୟ ସମ୍ପଦ ଓ ଉପକୂଳ ହେନ୍ତାଳ ଜଙ୍ଗଲ ମଧ୍ୟ ଧ୍ବଂସ ପାଇବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତବର୍ଷର ସାମୁଦ୍ରିକ ଜଳରାଶିରେ କୋଷ୍ଟଲାଇନ୍‌ଠାରୁ ୧୫ରୁ ୨୦ ନଟିକାଲ୍‌ ମାଇଲ୍‌ ପର୍ଯ୍ୟନ୍ତ ବ୍ୟାବସାୟିକ ଭିତ୍ତିରେ ଜାହାଜ ଚଳାଚଳ କରିବା ନେଇ ଡାଇରେକ୍ଟର ଜେନେରାଲ୍‌ ଅଫ୍‌ ସିପିଂ (ଡିଜିଏସ୍‌) ନୋଟିଫିକେସନ୍‌ ଜାରି କରିଛନ୍ତି। ଏହାଦ୍ବାରା ସମୁଦ୍ରର ଘରୋଇକରଣ ଆରମ୍ଭ କରାଯାଇଛି। ଆଉ ସମୁଦ୍ର ଭଳି ପ୍ରାକୃତିକ ସମ୍ବଳକୁ ଯଦି ଘରୋଇ କଂପାନୀମାନଙ୍କ ହାତରେ ଟେକି ଦିଆଯାଏ, ତେବେ ଏହା ଦ୍ବାରା ସୃଷ୍ଟି ହେବାକୁ ଥିବା ଭୟା‌ବହତା ଭୋଗିବାକୁ ସରକାର ପ୍ରସ୍ତୁତ ରହିବାକୁ ‘ଓଡ଼ିଶା ପାରମ୍ପରିକ ମତ୍ସ୍ୟଜୀବୀ ସଂଘ’ ଆହ୍ବାନ ଜଣାଇଛି। ଆଜି ଉତ୍କଳ ସାମ୍ବାଦିକ ଭବନ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମୁଦ୍ରର ଘରୋଇକରଣକୁ ତୀବ୍ର ବିରୋଧ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ସେହିଭଳି ମତ୍ସ୍ୟ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ରିହାତି ହାରରେ ଯୋଗାଇ ଦିଆଯାଉଥିବା ଏଫ୍‌.ଆର୍‌.ପି ବୋଟ୍‌, କାଠଡଙ୍ଗା, ଚିଲିକା ଡଙ୍ଗା, ଭୁଟୁଭୁଟି, ଇଞ୍ଜିନ ଆଦିକୁ ଅନ୍‌ଲାଇନ୍‌ ମାଧ୍ୟମରେ ଯୋଗାଇ ଦେବାର ବ୍ୟବସ୍ଥା କରିବାକୁ ସଂଘ ଦାବି କରିଛି। ଏଭଳି ହେଲେ ଦୁର୍ନୀତିକୁ ରୋକାଯାଇପାରିବ। ପୂର୍ବରୁ ଦିଆଯାଇଥିବା ଡଙ୍ଗା, ଇଞ୍ଜିନ ଓ ଜାଲରେ ବ୍ୟାପକ ଦୁର୍ନୀତି ହୋଇଥିବା ନଜରକୁ ଆସିଥିଲା। କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ଭୁଟୁଭୁଟି ଡଙ୍ଗା ଲାଇସେନ୍‌ସ ନବୀକରଣ କରାଯିବାରେ ମତ୍ସ୍ୟଜୀବୀଙ୍କଠାରୁ ବେଆଇନ୍‌ ଭାବେ ଟଙ୍କା ନିଆଯାଉଛି। ଏଭଳି ଦୁର୍ନୀତିକୁ ତୁରନ୍ତ ବନ୍ଦ କରାଯାଉ ବୋଲି ସଂଘ ଦାବି କରିଛି। କଇଁଛ ସୁରକ୍ଷା ପାଇଁ କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କୁ ରାଜ୍ୟ ସରକାର ୭,୫୦୦ ଟଙ୍କା ସହାୟତା ରାଶି ଯୋଗେଇ ଦେବା ନେଇ ଆଇନ୍‌ ପ୍ରଣୟନ କରିଛନ୍ତି। ମାତ୍ର ମତ୍ସ୍ୟଜୀବୀଙ୍କୁ ୫ ହଜାର ଟଙ୍କା ଯୋଗାଇ ଦିଆଯାଉଛି। ମତ୍ସ୍ୟଜୀବୀ ପିଲାମାନଙ୍କୁ ମିଳୁଥିବା ଛାତ୍ରବୃତ୍ତି ଠିକ୍‌ ସମୟରେ ପ୍ରଦାନ କରାଯାଉନାହିଁ। ପିଲାମାନଙ୍କ ସ୍କୁଲ୍‌ ପାଠପଢ଼ା ସରିଗଲା ପରେ ଛାତ୍ରବୃତ୍ତି ମିଳୁଛି। ଏସବୁ ସମସ୍ୟାର ସମାଧାନ କରା ନଗଲେ ଆଗାମୀ ଦିନରେ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ରାଜ୍ୟ ସଭାପତି ପ୍ରସନ୍ନ କୁମାର ବେହେରା, ସାଧାରଣ ସଂପାଦକ କେ. ଆଲେୟା, ନାରାୟଣ ଚନ୍ଦ୍ର ବେହେରା, ରତିକାନ୍ତ ମଲ୍ଲିକ, ଲକ୍ଷ୍ମୀକାନ୍ତ ହାଲ୍‌ଦାର, ପୁଷ୍ପଲତା ବେହେରା, ନାରାୟଣ ଚନ୍ଦ୍ର ହାଲ୍‌ଦାର, ଏ. ଗଣେଶ ରାଓ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର