ଓଲଟିଲା ମାଛଧରା ଡଙ୍ଗା : ସମୁଦ୍ରରେ ଧୀବର ନିଖୋଜ

ଅସ୍ତରଙ୍ଗ : ସମୁଦ୍ର ଅଶାନ୍ତ ଥିବାବେଳେ ମାଛ ଧରି ଅସ୍ତରଙ୍ଗ କୂଳକୁ ଫେରୁଥିବା ଏକ ମଟର୍‌ ଚାଳିତ ମାଛଧରା ଡଙ୍ଗା ସମୁଦ୍ର ମଝିରେ ଓଲଟି ପଡ଼ିଛି। ଫଳରେ ସେଥିରେ ଥିବା ଜଣେ ଧୀବର ନିଖୋଜ ହୋଇ ଯାଇଥିବା ଖବର ମିଳିଛି। ଏହି ଦୁର୍ଘଟଣାରେ ଅନ୍ୟ ୪ ଜଣ ଧୀବର ଅଳ୍ପକେ ବର୍ତି ଯାଇଛନ୍ତି। ନିଖୋଜ ଥିବା ଧୀବର ହେଉଛନ୍ତି ନଗର ପଞ୍ଚାୟତର ନୂଆ କାଳିଆକଣର ନିରଞ୍ଜନ ବେହେରା (୫୦)। ଦେବୀ ନଦୀ ମୁହାଣ ଦେଇ ଏହି ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥାନ୍ତି। ଗତକାଲି ଇଲିସ୍‌ ମାଛ ଅଧିକ ଆସିଥିବା ଖବର ପାଇ କେତେକ ମତ୍ସ୍ୟଜୀବୀ ସମୁଦ୍ର ଅଶାନ୍ତ ଥିବା ସତ୍ତ୍ୱେ ମାଛ ଧରିବାକୁ ଯାଇଥିଲେ। ତେବେ ଫେରୁଥିବା ବେଳେ ତିନୋଟି ଡଙ୍ଗା ଦେବୀ ମୁହାଣ ନିକଟବର୍ତ୍ତୀ ପ୍ରାୟ ୨୦୦ ମିଟର ଦୂରରେ ଓଲଟି ପଡିଥିଲା। ଦୁଇଟି ଡଙ୍ଗାର ମତ୍ସ୍ୟଜୀବୀମାନେ କୌଣସି ମତେ ରକ୍ଷା ପାଇଯାଇଥିଲେ। କିନ୍ତୁ ଅନ୍ୟଟିରେ ଥିବା ୫ ଜଣ ଧୀବରଙ୍କ ମଧ୍ୟରୁ ୪ ଜଣ ଅଳ୍ପକେ ବଞ୍ଚି ଯାଇଥିବା ବେଳେ ନିରଞ୍ଜନ ସମୁଦ୍ରରେ ନିଖୋଜ ହୋଇ ଯାଇଥିଲେ। ଓଡ୍ରାଫ୍‌ ଟିମ୍‌ ପକ୍ଷରୁ ଖୋଜାଖୋଜି ଜାରି ରହିଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ ନିରଞ୍ଜନଙ୍କ ପତ୍ତା ମିଳିନଥିଲା।

ସମ୍ବନ୍ଧିତ ଖବର