ଭିତରକନିକାରେ ପାଟ୍ରୋଲିଂ ଟିମ୍‌କୁ ସଂଘବଦ୍ଧ ଆକ୍ରମଣ

ଜାଲ, ଡଙ୍ଗା ଛଡ଼ାଇନେଲେ; ବନ କର୍ମଚାରୀ ଆହତ

ରାଜନଗର : ଭିତରକନିକାରେ ବନ ବିଭାଗ ପାଟ୍ରୋଲିଂ ଟିମ୍‌କୁ ମତ୍ସ୍ୟଜୀବୀମାନେ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ବନବିଭାଗ କର୍ମଚାରୀ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା। ଆଜି ମଧ୍ୟ ମତ୍ସ୍ୟଜୀବୀମାନେ ସମାନ ଢଙ୍ଗରେ ବନ କର୍ମଚାରୀଙ୍କୁ ଘେରିଥିବା ଜଣାପଡ଼ିଛି।

ଜାତୀୟ ଉଦ୍ୟାନ ଭିତରେ ପ୍ରବାହିତ ନଦୀନାଳରେ ମାଛ ମାରିବା ଏବଂ ବିନାନୁମତିରେ ପ୍ରବେଶ ଉପରେ କଟକଣା ରହିଛି। କିଛି ମତ୍ସ୍ୟଜୀବୀ କଟକଣାକୁ ନମାନି ବେଢାଜାଲ ଓ ବୁଣାଜାଲ ମାଧ୍ୟମରେ ମାଛ ମାରୁଛନ୍ତି। ଗତକାଲି ବିଳମ୍ବିତ ରାତିରେ ବନବିଭାଗର ଦୁଇଟି ଟିମ୍‌ ପାଟ୍ରୋଲିଂ କରୁଥିବାବେଳେ ସେମାନେ ଧରାପଡ଼ି ଯାଇଥିଲେ। ମିଳିଥିବା ସୂଚନା ଅନୁସାରେ, ବନବିଭାଗ କର୍ମଚାରୀମାନେ ପାଟ୍ଟଶାଳା ନଦୀର କୋଠିଘାଟ ନିକଟରେ ମତ୍ସ୍ୟଜୀବୀମାନେ ଦୁଇଟି ଡଙ୍ଗାରେ ମୁଣାଜାଲ ବସାଇ ମାଛ ମାରୁଥିବା ଦେଖିବାକୁ ପାଇଥିଲେ। ମତ୍ସ୍ୟଜୀବୀମାନେ ପାଟ୍ରୋଲିଂ ଟିମ୍‌କୁ ଦେଖି ସରୁନାଳ ମଧ୍ୟରେ ଲୁଚି ଯାଇଥିଲେ। ମାତ୍ର, ପାଟ୍ରୋଲିଂ ଟିମ୍‌ ପିଛା କରି ସେମାନଙ୍କୁ ଧରିବା ସହିତ ଡଙ୍ଗା, ଜାଲକୁ ଜବତ କରିଥିଲେ।

ଏହି ସମୟରେ ଡଙ୍ଗାରେ ଥିବା ୧୫/୨୦ ଜଣ ମତ୍ସ୍ୟଜୀବୀ ବନ କର୍ମଚାରୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ପାଟ୍ରୋଲିଂ ବୋଟ୍‌କୁ ଠେଙ୍ଗା, କାଠଫାଳିଆରେ ବାଡାବାଡ଼ି କରିବା ସହିତ ଜବତ ଡଙ୍ଗା ଓ ଜାଲକୁ ଛଡ଼ାଇ ନେଇଥିଲେ। ଆକ୍ରମଣ ଯୋଗୁ ପାଟ୍ରୋଲିଂ ବୋଟ୍‌ରେ ଥିବା ବନକର୍ମଚାରୀ ବିକ୍ରମ ସାହୁ ଆହତ ହୋଇଛନ୍ତି । ବିକ୍ରମଙ୍କ ହାତ ଓ ପିଠିରେ ଜୋର୍‌ରେ ମାଡ ବାଜିଥିବା ଜଣାପଡିଛି।

ଏହି ଘଟଣାପରେ ପାଟ୍ରୋଲିଂ ଟିମ୍‌ ହବାଳି ଖଟି ଚାଲିଯାଇଥିଲେ। ଆଜି ଭୋର୍‌ରୁ ପାଟ୍ରୋଲିଂ ଟିମ୍‌ ଗୁପ୍ତି ଫେରୁଥିବା ବେଳେ ସେହି କୋଠିଘାଟଠାରେ ମତ୍ସ୍ୟଜୀବୀମାନେ ୬ଟି ଡଙ୍ଗାକୁ ଆଡପକାଇ ଅଟକାଇଥିଲେ। ପୁଣିଥରେ ପାଟ୍ରୋଲିଂ ବୋଟ୍‌କୁ ବାଡ଼ାବାଡ଼ି କରିବା ସହିତ ବନକର୍ମଚାରୀଙ୍କୁ ଭୟଭୀତ କରିବା ପାଇଁ ଉଦ୍ୟମ କରିଥିଲେ। ପାଖାପାଖି ଅଧଘଣ୍ଟା ଧରି ଅଟକି ରହିବା ପରେ କର୍ମଚାରୀମାନେ ମୁକୁଳିବା ପାଇଁ ସକ୍ଷମ ହୋଇଥିଲେ।

ଗତରାତି ଓ ଆଜି ଭୋର୍‌ ସମୟରେ କୁହୁଡ଼ି ହୋଇଥିବାରୁ ଆକ୍ରମଣକାରୀ ମତ୍ସ୍ୟଜୀବୀଙ୍କ ସମ୍ପର୍କରେ ଜାଣିବା ବନବିଭାଗ ପକ୍ଷେ ସମ୍ଭବ ହୋଇନାହିଁ। ତେବେ, ବେଆଇନ୍‌ ଭାବେ ମାଛ ମାରୁଥିବା ଓ ସଂଘବଦ୍ଧ ଆକ୍ରମଣ କରିଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜନଗର ରେଞ୍ଜ ଅଫିସର ଅମରେଶନାଥ ପ୍ରଧାନ କହିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ, ଏସିଏଫ୍‌ ପ୍ରଦୋଷ କୁମାର ପଟ୍ଟନାୟକ, ଫରେଷ୍ଟର ନବୀନ ମଲ୍ଲିକ ଓ ପ୍ରଦୀପ କୁମାର ସ୍ୱାଇଁ ପ୍ରମୁଖ ପାଟ୍ରୋଲିଂ ଟିମ୍‌ରେ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର