ମଝି ସମୁଦ୍ରରେ ବୁଡ଼ିଲା ଗିଲ୍‌ନେଟର : ୩ ଘଣ୍ଟା ଫସିଲେ ୫ ମତ୍ସ୍ୟଜୀବୀ

ଧକ୍କାଦେଲା ଟ୍ରଲର

ରାଜନଗର/ମହାକାଳପଡା : ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ମାଦଳି ମାଉଥ୍‌ଠାରୁ ୭କିମି ଦୂର ସମୁଦ୍ର ଭିତରେ ଗତକାଲି ରାତି ପ୍ରାୟ ୨ଟାରେ ଅଘଟଣ ଘଟିଛି। ଟ୍ରଲର୍‌ ଧକ୍କା ଦେବାରୁ ଏକ ଗିଲନେଟର ମଝି ସମୁଦ୍ରରେ ବୁଡ଼ି ଯାଇଛି। ଏଥିରେ ଥିବା ୫ ଜଣ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ସମୁଦ୍ର ମଝିରେ ୩ ଘଣ୍ଟା ଫସି ରହିଥିଲେ। ପରେ ସେମାନଙ୍କୁ ଉଦ୍ଧାର କରାଯାଇଛି। ଅନ୍ଧାର ଓ କୁହୁଡିି ଯୋଗୁଁ ଏଭଳିି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁସାରେ, ଖରନାସୀ ଜେଠିରୁ ଶୁକ୍ରବାର ଅପରାହ୍ଣରେ ୫ ଜଣ ମତ୍ସ୍ୟଜୀବୀ ‘ଗଙ୍ଗା’ ନାମକ ଗିଲନେଟରରେ ମାଛ ମାରିବାକୁ ସମୁଦ୍ରକୁ ଯାଇଥିଲେ। ସମୁଦ୍ରକୂଳରୁ ୭ କିମି ଦୂରରେ ରାତି ପ୍ରାୟ ୨ଟାରେ ସେମାନେ ମାଛ ମାରୁଥିଲେ। ଏହି ସମୟରେ ଏକ ଟ୍ରଲର ଧକ୍କା ଦେବାରୁ ଗିଲ୍‌ନେଟରଟି ବୁଡ଼ି ଯାଇଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରଲରଟି ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ନ କରି ସେଠାରୁ ପଳାଇଥିଲା। ମାତ୍ର ଦୁର୍ଘଟଣା ସମୟରେ ଗିଲ୍‌ନେଟ୍‌ର ଡ୍ରାଇଭର ଫିରୋଜ୍‌ ଖାନ୍‌ ମା’ ରାମଚଣ୍ଡୀ ବୋଟ୍‌ ମାଲିକ ସଂଘକୁ ୱେର୍‌ଲେସ୍‌ ଯୋଗେ ଖବର ଦେଇଥିଲେ। ଗିଲ୍‌ନେଟରଟି ସମ୍ପୂର୍ଣ୍ଣ ବୁଡିଯିବାରୁ ଏଥିରେ ଥିବା ୫ ଜଣ ମତ୍ସ୍ୟଜୀବୀ ପ୍ଲାଷ୍ଟିକ୍‌ ଡ୍ରମ୍‌, ଗାଡି ଟ୍ୟୁବ୍‌, ଓ ସୋଲପେଟିକୁ ଆଶ୍ରା କରି ସମୁଦ୍ରରେ ଭାସିଥିଲେ। ରାତି ୨ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଦୀର୍ଘ ୩ ଘଣ୍ଟା ଧରି ଅଥଳ ଜଳରେ ରାମନଗର ଅଞ୍ଚଳର ଫିରୋଜଙ୍କ ସମେତ ପ୍ରଭାସ ସିଲ୍‌, ଜୟଦେବ ମଣ୍ଡଳ, ସୀତିଶ୍‌ ରାୟ, ସୁବଳ ଦେବନାଥ ପ୍ରମୁଖ ମତ୍ସ୍ୟଜୀବୀ ସମୁଦ୍ରରେ ଭାସିଥିଲେ।

ଶୀତରାତିରେ ପ୍ରବଳ ଥଣ୍ଡା ସାଙ୍ଗକୁ ସମୁଦ୍ରର ଢେଉମାଡ ଖାଇ ଏହି ମତ୍ସ୍ୟଜୀବୀମାନେ ବଞ୍ଚିବାକୁ ସଂଘର୍ଷ ଚଳାଇଥିଲେ। ଘଟଣା ଘଟିଥିବା ସ୍ଥାନଠାରୁ ୨ଶହ ୩ ଶହ ମିଟର ଦୂରରେ ଟ୍ରଲର ଚଳାଚଳ କରୁଥିଲେ ମଧ୍ୟ ଅନ୍ଧାର ଓ କୁହୁଡି ଯୋଗୁଁ ସେମାନଙ୍କୁ କେହି ଦେଖିପାରି ନ ଥିଲେ। ଭୋର୍‌ ୫ଟାରେ ରାମଚଣ୍ଡୀ ବୋଟ୍‌ ମାଲିକ ସଂଘଠାରୁ ଖବର ପାଇ ପାର୍ବତୀ ଓ ଧର୍ମେଶ୍ୱର ନାମକ ଦୁଇଟି ବୋଟ୍‌ ସେଠାରେ ପହଞ୍ଚି ୫ଜଣଙ୍କୁ ସମୁଦ୍ର ମଧ୍ୟରୁ ଉଦ୍ଧାର କରିଥିଲେ। ବୁଡିଯାଇଥିବା ଗିଲ୍‌ନେଟରକୁ ଗୋଟିଏ ବୋଟ୍‌ ଟାଣି ଟାଣି କୂଳକୁ ଆଣିଥିଲା।

ଉଦ୍ଧାର ପାଇଥିବା ମତ୍ସ୍ୟଜୀବୀଙ୍କ କହିବା ମୁତାବକ, ଅନ୍ଧାର ଓ କୁହୁଡି ରାତିରେ ସିଗ୍‌ନାଲ୍‌ ଦେବା ସତ୍ତ୍ୱେ ଏକ ଟ୍ରଲର ଜାଣି ନପାରି ସେମାନଙ୍କ ଗିଲ୍‌ନେଟରକୁ ଧକ୍କା ଦେଇଥିଲା। ଧକ୍କା ଦେବା ପରେ ଟ୍ରଲରରେ ଥିବା ମତ୍ସ୍ୟଜୀବୀ ଉଦ୍ଧାର ନ କରି ପଳାଇଯାଇଥିଲେ।

ସମ୍ବନ୍ଧିତ ଖବର