କଟାସ ନୁହେଁ, ବିରଳ ଫିସିଂ କ୍ୟାଟ୍‌

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ ହୁମ୍ମା ହାଟ ଛକ ଜାତୀୟ ରାଜପଥ-୧୬ରେ ଗତକାଲି ରାତିରେ ଟ୍ରକ ଧକ୍କାରେ ଏକ ବନ୍ୟ ପ୍ରାଣୀର ମୃତ୍ୟୁ ଘଟିଥିଲା। ବ୍ରହ୍ମପୁର ବନମଣ୍ଡଳ ଅର୍ନ୍ତଗତ ଖଲ୍ଲିକୋଟ ରେଞ୍ଜ ରମ୍ଭା ସେକ୍ସନ ପକ୍ଷରୁ ଉକ୍ତ ମୃତ ପଶୁର ଶବ ଜବତ କରାଯାଇ ପୋତାଯାଇଛି। ଏହା କଟାସ ନୁହେଁ, ବିରଳ ପିସିଂ କ୍ୟାଟ୍‌ ବୋଲି ବନବିଭାଗ ସ୍ପଷ୍ଟ କରିଛି। କଇଁଛ ପାଟ୍ରୋଲିଂ ବେଳେ ପୂର୍ବରୁ ସମୁଦ୍ର କୂଳ‌ ଅଞ୍ଚଳରେ ୨ ଥର ଫିସିଂ କ୍ୟାଟ୍‌ ଉକ୍ତ ଅଞ୍ଚଳରେ ଦେଖିଥିବା କହିଛନ୍ତି ରମ୍ଭା ଫରେଷ୍ଟର ସୋମନାଥ ମଲ୍ଲିକ। ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଏସିଆ ମହାଦେଶରେ ଏହି ଫିସଂ କ୍ୟାଟ୍‌ ଦେଖାଯାଆନ୍ତି। ଏମାନେ ଆର୍ଦ୍ରଭୂମି ଅଞ୍ଚଳ, ‌ହେନ୍ତାଳବଣ, ସନ୍ତସନ୍ତିଆ ସ୍ଥାନ, ନଦୀ ଓ ସମୁଦ୍ରକୁଳିଆ ଅଞ୍ଚଳରେ ରହିଥାନ୍ତି। ଏହା ପାଣିରେ ପହଁରି ପାରେ ଏବଂ ଡିଆଁ ବି ମାରିପାରେ। ଓଡିଶାର ଭିତରକନିକା ଅଭୟାରଣ୍ୟ ଓ ଚିଲିକାର ଆର୍ଦ୍ରଭୂମି ଅଞ୍ଚଳ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ଫିସିଂ କ୍ୟାଟ୍‌ ଦେଖାଯାଆନ୍ତି। ଏହା ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ପୂର୍ବରୁ ବହୁଳ ଭାବେ ଦେଖା ଯାଉଥିଲେ। ଆର୍ଦ୍ରଭୂମି ଅଞ୍ଚଳ ହ୍ରାସ ଓ ଶିକାର ଏହି ଜୀବ ବଂଶ ହ୍ରାସର ମୁଖ୍ୟ କାରଣ ବୋଲି କୁହାଯାଉଛି। ଦେଖିବାକୁ ପାଉଁଶିଆ ରଙ୍ଗର ହୋଇଥିବା ବେଳେ ବାଘ ଛୁଆର ଭ୍ରମ ସୃଷ୍ଟି କରେ। ୨୦୧୬ରେ ଏହାକୁ ବିରଳ ବନ୍ୟପ୍ରାଣୀ ତାଲିକାରେ ସ୍ଥାନିତ କରାଯାଇଛି। ଆୟୁସିଏନ୍ ରେଡ୍‌ ଲିଷ୍ଟରେ ମଧ୍ୟ ସ୍ଥାନିତ ହୋଇଛି। ଭାରତ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଅନୁଯାୟୀ ଏହି ପ୍ରାଣୀ ସେଡୁଲ ୧ (ପାର୍ଟ -୧) ଅନ୍ତର୍ଭୁକ୍ତ। ଏହି ପଶୁର ବେଆଇନ ଚାଲାଣ, ଶିକାର ଆଦି କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ କିମ୍ବା ୩ ବର୍ଷ ଜେଲ ସହ ୨୫ହଜାର ଜୋରିମାନା ବ୍ୟବସ୍ଥା ରହିଛି।

ସମ୍ବନ୍ଧିତ ଖବର