ବିଜୁ ଯୁବ ବାହିନୀ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା : ଏ ବର୍ଷ ରାଜ୍ୟରେ ଲାଗିବ ୫ କୋଟି ଗଛ

ଭୁବନେଶ୍ୱର : ଚଳିତ ବର୍ଷ ସାରା ରାଜ୍ୟରେ ୫ କୋଟି ଗଛ ଲଗାଯିବ। କେବଳ ସୁବଜ ମହାନଦୀ ମିସନ କାର୍ଯ୍ୟକ୍ରମରେ ୨ କୋଟି ଗଛ ଲଗାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଆଜି କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ବିିଜୁ ଯୁବ ବାହିନୀର ସବୁଜ ଓଡ଼ିଶା କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗଛ ଲଗାଇ ଉଦ୍‌ଘାଟନ କରିଥିଲେ। ସବୁଜ ଓଡ଼ିଶା ମିସନକୁ ସେ ସ୍ୱାଗତ କରିବା ସହିତ ରଥଯାତ୍ରା ସମୟରେ ଏବଂ ପରେ ପୁରୀ ସମୁଦ୍ର କୂଳ ପରିଷ୍କାର କରିବା କ୍ଷେତ୍ରରେ ବିଜୁ ଯୁବ ବାହିନୀର କାର୍ଯ୍ୟ ପ୍ରଶଂସନୀୟ ବୋଲି କହିଥିଲେ। ‘‘ଆପଣ ଭଲ କାମ କରନ୍ତୁ, ମୁଁ ଆପଣଙ୍କ ସାଥିରେ ଅଛି,’’ କହି ସେ ସେମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ଯେ ପରିବେଶର ସୁରକ୍ଷା ପାଇଁ ଗଛର ମହତ୍ୱ ଅଧିକ। ତେଣୁ ରାଜ୍ୟ ସରକାର ପରିବେଶ ସୁରକ୍ଷା ପାଇଁ ବନୀକରଣ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇଛନ୍ତି। ଖାଲି ଏତିକି ନୁହେଁ, ପରିବେଶ ସୁରକ୍ଷା, ବନୀକରଣ, ପ୍ଲାଷ୍ଟିକ ପ୍ରଦୂଷଣ ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଜୁ ଯୁବ ବାହିନୀର ଏକ ସ୍ୱତନ୍ତ୍ର ମୋବାଇଲ୍‌ ଆପ୍‌ର ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ଚନ୍ଦ୍ରସାରଥି ବେହେରା, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେଶ ମହାପାତ୍ର, କ୍ରୀଡ଼ା ବିଭାଗ ସଚିବ ବିଶାଳ ଦେବ, ବିଜୁ ଯୁବ ବାହିନୀ ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର