ଜାଲ ଟିଡିଆର ମାମଲା: ବଣ୍ଟି ଅଗ୍ରଓ୍ଵାଲ ସହ ବାପା ଓ ପତ୍ନୀକୁ ନେଇ ନୂଆପଡ଼ାରେ ପହଞ୍ଚିଲା ପୁଲିସ

୫ଟି ଜିଲ୍ଲାରେ ୨୫କୋଟି ୩୭ଲକ୍ଷ ଟଙ୍କାର ଠକେଇ

ନୂଆପଡ଼ା: ବ୍ୟାଙ୍କ ଡିଡିଆର ଜମାରେ ଚଞ୍ଚକତା କରି ପୂର୍ତ୍ତ ଓ ଗ୍ରାମ ଉନ୍ନୟନ ବିଭାଗରୁ କୋଟି କୋଟି ଟଙ୍କାର ଠିକା କାମ ହାତେଇଥିବା କଳାହାଣ୍ଡିର ସୁପରକ୍ଲାସ ଠିକାଦାର ବଣ୍ଟି ଅଗ୍ରଓ୍ଵାଲ, ବାପା ରାଜେନ୍ଦ୍ର ଅଗ୍ରଓ୍ଵାଲ ଓ ପତ୍ନୀ ସବିତା ଦେବୀଙ୍କୁ ହରିଆଣା ରାଜ୍ୟ ଭିବାନୀ ଜିଲ୍ଲା ହୁଡସିଟି ସେକ୍ଟର ନଂ୩ ଠାର ଏକ ଭଡ଼ା ଘରୁ ଗିରଫ କରି ମଙ୍ଗଳବାର ନୂଆପଡ଼ା ଆଣିଛି। ବୁଧବାର ସମସ୍ତ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ନୂଆପଡ଼ା ଏସ୍‌ପି ସୂଚନା ଦେଇଛନ୍ତି।

ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ଏସ୍‌ପି ସ୍ମିତ ପି. ପରମାର କହିଛନ୍ତି ଯେ, ଟିଡିଆର୍‌ ଠକେଇ ନେଇ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନାରେ ବଣ୍ଟି ଅଗ୍ରଓ୍ଵାଲଙ୍କ ନାମରେ ୨ଟି ମାମଲା ରୁଜୁ ହୋଇଥିବା ବେଳେ ନୂଆପଡ଼ାରେ ଗୋଟିଏ, ନବରଙ୍ଗପୁରରେ ୨ଟି, ଧର୍ମଗଡ଼ରେ ଗୋଟିଏ, ଭବାନୀପାଟଣାରେ ୨ଟି, କେସିଙ୍ଗା ଓ ବରଗଡ଼ରେ ଗୋଟିଏ ଲେଖାଏଁ ସର୍ବମୋଟ ୧୦ଟି ମାମଲା ରୁଜୁ ହୋଇଛି। ତାଙ୍କ ପତ୍ନୀ ସବିତା ଦେବୀଙ୍କ ନାମରେ ଖଡିଆଳ ଥାନାରେ ୨ଟି ମାମଲା ରୁଜୁ ହୋଇଥିବା ବେଳେ ତାଙ୍କ ପିତା ରାଜେନ୍ଦ୍ର ପ୍ରସାଦ ଅଗ୍ରଓ୍ଵାଲଙ୍କ ନାମରେ ଖଡିଆଳ ଥାନାରେ ୩ଟି, କଣ୍ଟାବାଞ୍ଜିି, ଧର୍ମଗଡ଼ ଓ ଭବାନୀପାଟଣାରେ ଗୋଟିଏ ଲେଖାଏଁ ସର୍ବ ମୋଟ ୬ଟି ମାମଲା ରୁଜୁ ହୋଇଛି। ଗୃହ ଓ ପୂର୍ତ୍ତ ନିର୍ମାଣ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ବିଭିନ୍ନ ଥାନାରେ ୧୮ ଟି ମାମଲା ରୁଜୁ ହୋଇଥିବା ବେଳେ ନୂଆପଡ଼ା ଜିଲ୍ଲାରେ ସର୍ବାଧିକ ୮ଟି ମାମଲାରେ ୧୨କୋଟି ୧୪ଲକ୍ଷ ୫୮ହଜାର ୭୦୦ଟଙ୍କାର ଟିଡିଆର ଠକେଇ ଅଭିଯୋଗରେ ମାମଲା ରୁଜୁ ହୋଇଛି। ସେହିପରି କଳାହାଣ୍ଡି ଜିଲ୍ଲାରେ ୬ଟି ମାମଲାରେ ୫ କୋଟି ୧୭ଲକ୍ଷ ୧୪ହଜାର ୫୦୦, ବଲାଙ୍ଗୀର ଜିଲ୍ଲାରେ ୧କୋଟି ୩୫ଲକ୍ଷ ୩୦ହଜାର, ବରଗଡ ଜିଲ୍ଲାରେ ୨କୋଟି ୯୫ଲକ୍ଷ ୮୦ହଜାର ଓ ନବରଙ୍ଗପୁର ଜିଲ୍ଲାରେ ୩କୋଟି ୭୪ଲକ୍ଷ ୮ହଜାର ଠକେଇ ହୋଇଥିବା ନେଇ କେଶ ରୁଜୁ ହୋଇଛି।

ନୂଆପଡ଼ା ଜିଲ୍ଲାରେ ଅଧିକ ମାମଲା ରୁଜୁ ହୋଇଥିବାରୁ ଏହି ମାମଲାକୁ ଅଧିକ ଗୁରୁତ୍ୱ ଦେଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ନୂଆପଡ଼ା ଏସପି ଶ୍ରୀ ପରମାର ଏକ ସ୍ୱତନ୍ତ୍ର ପୁଲିସ ଦଳ ଗଠନ କରି ହରିଆଣା ଅଭିମୁଖେ ପଠାଇଥିଲେ। ହରିଆଣା ପୁଲିସ ସହଯୋଗରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତମାନେ ଗିରଫ ହୋଇଥିବା ସଂର୍ପକରେ ସେମାନଙ୍କ ନାମରେ ମାମଲା ରୁଜୁ ହୋଇଥିବା ଜିଲ୍ଲାଗୁଡିକକୁ ସୂଚନା ଦିଆଯାଇଥିବା ବେଳେ ଅଧିକ ତଦନ୍ତ ପାଇଁ ଆବଶ୍ୟକ ସ୍ଥଳେ ରିମାଣ୍ଡରେ ଅଣାଯିବ ବୋଲି କହିଥିଲେ। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଗଠିତ ସ୍ୱତନ୍ତ୍ର ଦଳରେ ଧରମବନ୍ଧା ଆଇଆଇସି ବିବେକାନନ୍ଦ ମହନ୍ତ, ଖରିଆର ରୋଡ ଆଇଆଇସି ସତ୍ୟ ରଞ୍ଜନ ପ୍ରଧାନ, ହାବିଲଦାର ସୂଯ୍ୟର୍କାନ୍ତ ଦାସ, ଥବିର ବେହେରା ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର