ଜୁନ୍‌ ସୁଦ୍ଧା ଆଉ ୫ଜିଲ୍ଲା ହେବ ବାହ୍ୟ-ଶୌଚ ମୁକ୍ତ

ଭୁବନେଶ୍ୱର : ଏବେ ଦେବଗଡ଼ ବାହାରେ ମଳତ୍ୟାଗ ମୁକ୍ତ ଅଞ୍ଚଳ (ଓଡିଏଫ୍‌) ଜିଲ୍ଲା ଘୋଷଣା ହୋଇଥିବାବେଳେ ଆସନ୍ତା ମାର୍ଚ୍ଚରୁ ଜୁନ୍‌ ସୁଦ୍ଧା ଆଉ ୫ଟି ଜିଲ୍ଲାକୁ ଓଡିଏଫ୍‌ ଜିଲ୍ଲାରେ ପରିଣତ କରାଯିବ। ଏହି ୫ଟି ଜିଲ୍ଲା ହେଲେ ଝାରସୁଗୁଡ଼ା, ବାଲେଶ୍ୱର, ଗଜପତି, ସମ୍ବଲପୁର, ସୋନପୁର ପ୍ରମୁଖ। ଏଥିପାଇଁ ଏହି ଜିଲ୍ଲାରେ ପ୍ରତି ଘରେ ପାଇଖାନା ନିର୍ମାଣ ସହ ସଚେତନତାକୁ ଗୁରୁତ୍ୱ ଦେବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଏବଂ ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟର ସଚିବ ପରମେଶ୍ୱର ଆୟାର ମିଳିତ ଭାବେ ରାଜ୍ୟର ପରିମଳ ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି। ଏଥିରୁ ଜଣାପଡ଼ିଛି ଯେ, ରାଜ୍ୟରେ ଚାଲିଥିବା ସ୍ୱଚ୍ଛ ଭାରତ ମିସନ ଅନ୍ତର୍ଗତ ଗ୍ରାମୀଣ ପରିମଳ ଅଭିଯାନ କାର୍ଯ୍ୟାନ୍ଵୟାନରେ ଦ୍ରୁତ ଅଗ୍ରଗତି ହୋଇଛି। ଘରୋଇ ପାଇଖାନା ହାର ୫୬%ରେ ପହଞ୍ଚିଛି। ୨୦୧୪ ଅକ୍ଟୋବର ମାସରେ ଏହା ୧୨% ଥିବାବେଳେ ଏଥିରେ ଦ୍ରୁତ ଅଗ୍ରଗତି ଘଟିଛି। ଆସନ୍ତା ମାର୍ଚ୍ଚ ମଧ୍ୟରେ ଏହାକୁ ୬୫%ରେ ପହଞ୍ଚାଇବାକୁୁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗ୍ରାମୀଣ ଆବାସ ଯୋଜନାରେ ନିୟୋଜିତ କର୍ମଚାରୀଙ୍କୁ ପାଇଖାନା ନିର୍ମାଣ କାର୍ଯ୍ୟ ଦିଆଯିବ। ଗ୍ରାମୀଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ସହ ତିଆରି ହେଉଥିବା ପାଇଖାନା ନିର୍ମାଣ ନିମନ୍ତେ ନରେଗା ପାଣ୍ଠିର ବିନିଯୋଗ ହେବ। ସମୀକ୍ଷା ବୈଠକରେ କେନ୍ଦ୍ର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅକ୍ଷୟ ରାଉତ, ଓଡ଼ିଶା ପାନୀୟ ଜଳ ଓ ପରିମଳ ମିସନ ନିର୍ଦ୍ଦେଶକ ରୂପା ମିଶ୍ର, ସର୍ବୋଚ୍ଚ ଯନ୍ତ୍ରୀ ଭଗବାନ ସାହୁ, ଅଧିକ୍ଷଣ ଯନ୍ତ୍ରୀ ଅଭୟ କୁମାର ବିଶ୍ୱାଳଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର