ସ୍କୁଲ୍‌ ପିଲାଙ୍କୁ ଦଳିଦେଲା ଟ୍ରକ୍‌ : ୫ ମୃତ, ୫ ଗୁରୁତର, ଭଦ୍ରକରେ ତୀବ୍ର ଉତ୍ତେଜନା

ଟ୍ରକ୍‌ ଜାଳିଦେଲେ,୫ ଘଣ୍ଟା ରାସ୍ତା ଅବରୋଧ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ସମବେଦନ, ୪ ଲକ୍ଷକୁ ବଢ଼ିଲା ସହାୟତା ରାଶି

ଭଦ୍ରକ : ସ୍କୁଲ ଛୁଟିପରେ ସମସ୍ତେ ଖୁସି ମନରେ ଘରକୁ ଫେରୁଥିଲେ। ଆଉ ଅଳ୍ପବାଟ ଯାଇଥିଲେ ସେମାନେ ଘରେ ପହଞ୍ଚି ଯାଇଥାନ୍ତେ। ମାତ୍ର ମୁହୂର୍ତ୍ତକରେ ମିଳାଇଗଲା ଖୁସି। ହଠାତ ଜାତୀୟ ରାଜପଥରେ ମାଡ଼ି ଆସିଲା ଏକ ୧୦ ଚକିଆ ଟ୍ରକ୍‌। ଆଉ ଲୌହଦାନବ ଭଳି ଦଳି ଦେଇଗଲା ଧାଡ଼ି ବାନ୍ଧି ସାଇକେଲରେ ଯାଉଥିବା ପିଲାଙ୍କୁ। ଜଣକ ପରେ ଜଣେ ଏମିତି ପ୍ରାୟ ୧୦/୧୧ ଜଣ ପିଲା ଟଳି ପଡ଼ିଲେ ରାସ୍ତା ଉପରେ। କାହା ଅଣ୍ଟା ଉପର ଦେଇ ଟ୍ରକ୍‌ ଚଢ଼ି ଯାଇଥିଲା କିଏ ଟ୍ରକ୍‌ ଧକ୍କାରେ ଛିଟିକି ପଡ଼ିଥିଲେ ରାସ୍ତା କଡ଼କୁ। ଫୁଲ କଢ଼ ଭଳି ଝଡ଼ିଗଲା ପାଞ୍ଚଟି କଅଁଳ ଜୀବନ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ଆଖି ବୁଜି ଦେଇଥିଲେ ୪ ଜଣ ଛାତ୍ରଛାତ୍ରୀ। ଅନ୍ୟ ଗୁରୁତରମାନେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ି ଆର୍ତ୍ତ ଚିତ୍କାର କରୁଥିଲେ। ସାଇକେଲଗୁଡ଼ିକ ଭାଙ୍ଗି ଚୂରମାର୍‌ ହୋଇ ଯାଇଥିଲା। ଖବର ପାଇ ପୁଲିସ ଓ ଆମ୍ବୁଲାନ୍ସ ଯୋଗେ ସମସ୍ତ ୬ ଆହତଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ଅଳ୍ପ ସମୟ ଭିତରେ ସେଠାରେ ମଧ୍ୟ ଜଣେ ଛାତ୍ରୀ ଆଖି ବୁଜି ଦେଇଥିଲା। ସଙ୍କଟାପନ୍ନ ଅବସ୍ଥାରେ ଅନ୍ୟ ଜଣେ ଛାତ୍ରୀକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇବା ବେଳେ ୫ଜଣ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଭଦ୍ରକ ଡାକ୍ତରଖାନାରେ ଜାରି ରହିଛି।

ଆଜି ଅପରାହ୍ଣ ପ୍ରାୟ ୪ଟା ୧୫ରେ ଏମିତି ଏକ ଲୋମାଟାଙ୍କୁରା ଦୁର୍ଘଟଣା ଘଟିଛି ଭଦ୍ରକ ଜିଲ୍ଲା ରାଣୀତାଲର ରାହାଞ୍ଜ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥ ଉପରେ। ବାଲେଶ୍ୱର ଆଡ଼ୁ ଆସୁଥିବା ଏକ ଧାନ ବୋଝେଇ ୧୦ ଚକିଆ ଟ୍ରକ୍‌ ମାଡ଼ିଯିବାରୁ ୩ ଛାତ୍ରୀ ପ୍ରିୟମ୍ବଦା ମହାନ୍ତି, ଶ୍ୱେତା ସାହୁ, କଳ୍ପନା ଜେନା ଏବଂ ୨ ଛାତ୍ର ସୁକାନ୍ତ ସାହୁ ଓ ସତ୍ୟବ୍ରତ ବାରିକଙ୍କ ଜୀବନଦୀପ ଅକାଳରେ ଲିଭିଯାଇଛି। ଆହତମାନଙ୍କ ମଧ୍ୟରେ ଅଛନ୍ତି ଅଷ୍ଟମ ଶ୍ରେଣୀର ଛାତ୍ରୀ ଶୀତଲ ଶାହା, ନବମ ଶ୍ରେଣୀର ଛାତ୍ରୀ ବର୍ଷାରାଣୀ ମହାନ୍ତି, ପ୍ରଭାତ ନାୟକ, ଉର୍ବଶୀ ସାହୁ, ଦୀପ୍ତିରେଖା ସାହୁ ଓ ରଂଜିତା ଜେନା। ଏହି ଦୁର୍ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବାବେଳେ ହଜାର ହଜାର ଉତ୍ତ୍ୟକ୍ତ ଜନତା ଶବ ରଖି ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଖାଲି ସେତିକି ନୁହେଁ, ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ୧୦ ଚକିଆ ଟ୍ରକ୍‌ଟିକୁ ନିଆଁ ଲଗାଇ ପୋଡ଼ି ଦେବା ସହ ପୁଲିସ ଭ୍ୟାନ୍‌କୁ ମଧ୍ୟ ଭାଙ୍ଗି ଦେଇଥିଲେ। ମୃତ ଛାତ୍ରଛାତ୍ରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଏବଂ ଜାତୀୟ ରାଜପଥର ରାଣୀତାଲ ଛକ ନିକଟରେ ଅଣ୍ଡରପାସ୍‌ ନିର୍ମାଣ କରିବାକୁ ଦାବିରେ ଅଡ଼ି ବସିଥିଲେ ଲୋକେ। ପରିସ୍ଥିତି ଏପରି ହୋଇଥିଲା ଯେ ରାସ୍ତା ଅବରୋଧ ହଟାଇବା ପାଇଁ ପୁଲିସକୁ ଟିୟର ଗ୍ୟାସ୍‌ ପ୍ରୟୋଗ ସାଙ୍ଗକୁ ମୃଦୁ ଲାଠିଚାଳନା ଓ ଫାଙ୍କା ଗୁଳିଚାଳନା କରିବାକୁ ପଡ଼ିଥିଲା। ଶେଷରେ ଦୀର୍ଘ ୫ ଘଣ୍ଟା ପରେ ରାତି ପ୍ରାୟ ସାଢ଼େ ୯ଟାରେ ରାସ୍ତା ଅବରୋଧ ହଟିଥିଲା।

ଏହାଛଡ଼ା ସ୍କୁଲର ଜଣେ ଛାତ୍ର ନିଖୋଜ ଥିବାରୁ ଲୋକେ ତା’କୁ ଖୋଜି ବାହାର କରିବାକୁ ଅଡ଼ି ବସିଛନ୍ତି। କାଳେ ଦୁର୍ଘଟଣାରେ ଆହତ ହୋଇ ଛାତ୍ର ଜଣକ ରାସ୍ତାକଡ଼କୁ ଛିଟିକି ପଡ଼ିଥିବ, ତେଣୁ ପୁଲିସ ଓ ଅଗ୍ନିଶମ ବାହିନୀ ରାସ୍ତାକଡ଼ ନୟନଯୋରୀରେ ଖୋଜାଖୋଜି ଜାରି ରଖିଛନ୍ତି। ଅନ୍ୟପକ୍ଷରେ ଜାତୀୟ ରାଜପଥ ଅବରୋଧ ଯୋଗୁଁ ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦୁର୍ଘଟଣାରେ ମୃତାହତ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ରାଣୀତାଲ ବଜାର ନିକଟସ୍ଥ ରାହାଞ୍ଜ ପଞ୍ଚାୟତ ହାଇସ୍କୁଲର ନବମ ଶ୍ରେଣୀରେ ପଢ଼ୁଥିଲେ। ସମସ୍ତଙ୍କ ଘର ସ୍କୁଲଠାରୁ ପ୍ରାୟ ୧ କିମି ଦୂର ରାହାଞ୍ଜ ପଞ୍ଚାୟତ ଅଧୀନ ଅସୁରା ହାଟସାହି ଗାଁରେ। ତେଣୁ ପ୍ରତିଦିନ ସେମାନେ ସାଇକେଲରେ ହିଁ ବିପଜ୍ଜନକ ରାସ୍ତାରେ ସ୍କୁଲକୁ ଯିବାଆସିବା କରନ୍ତି। ଆଜି ସେମାନେ ସ୍କୁଲ ଛୁଟି ପରେ ଜାତୀୟ ରାଜପଥର ବାଁ କଡ଼ରେ ସାଇକେଲରେ ଘରକୁ ଫେରୁଥିବାବେଳେ ପଛପଟୁ ଆସୁଥିବା ଏହି ଟ୍ରକ୍‌ଟି ନିୟନ୍ତ୍ରଣ ହରାଇ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ସେମାନଙ୍କ ଭିତରୁ କେତେଜଣ ଚକ ତଳେ ଚାପି ହୋଇ ଯାଇଥିବାବେଳେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଆଉ ଟ୍ରକ୍‌ଟି ଏମିତି ମୃତ୍ୟୁର ତାଣ୍ଡବ ଘଟାଇବା ପରେ କିଛି ବାଟ ଯାଇ ଅଟକି ଯାଇଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଛାତ୍ରଛାତ୍ରୀଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ସେମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏହାଛଡ଼ା ସେ ପ୍ରତ୍ୟେକ ମୃତ ପିଲାଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଏବଂ ଆହତମାନଙ୍କ ମାଗଣା ଚିକିତ୍ସା କରାଯିବ ବୋଲି ଘୋଷଣା କରିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୃତାହତ ପିଲାମାନଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ପରିବହନ ମନ୍ତ୍ରୀ ନୃସିଂହ ସାହୁ କେଉଁ କାରଣରୁ ଦୁର୍ଘଟଣା ଘଟିଲା ଏବଂ କିଏ ଦୋଷୀ ତାହାର ଅନୁଧ୍ୟାନ କରାଯାଇ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଜିଲ୍ଲାପାଳ ଶ୍ରୀ ଦାସ ମୃତ ଛାତ୍ରଛାତ୍ରୀଙ୍କ ପରିବାରକୁ ରେଡକ୍ରସ୍‌ରୁ ପ୍ରତି ପରିବାର ପାଇଁ ୧୦ ହଜାର ଟଙ୍କାର ସହାୟତା ଘୋଷଣା କରିଥିବା ବେଳେ ଆହତ ପିଲାମାନଙ୍କର ଚିକିତ୍ସା ବେଳେ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ପରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ, ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ଜିଲ୍ଲାପାଳ ପ୍ରମୁଖ ଦୀର୍ଘ ଆଲୋଚନା କରିବା ପରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଥିଲେ। ରାତି ପ୍ରାୟ ସାଢ଼େ ୯ଟାବେଳେ ରାସ୍ତାରୋକ ହଟିଯିବାରୁ ଦୀର୍ଘ ୫ ଘଣ୍ଟା ପରେ ଏନ୍‌ଏଚ୍‌ରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା। ଅନ୍ୟପକ୍ଷରେ ପୁଲିସ ରାସ୍ତା ଉପରେ ପଡ଼ି ରହିଥିବା ୪ ଜଣ ଛାତ୍ରଛାତ୍ରୀଙ୍କ ଶବକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ନେଇଥିଲା।

ଆଉ ଏନ୍‌ଏଚ୍‌ରେ ପିଲାଙ୍କୁ ସ୍କୁଲ ଛାଡ଼ିବୁନି

ଭଦ୍ରକ : ଗାଁଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ରାହାଞ୍ଜ ପଞ୍ଚାୟତ ହାଇସ୍କୁଲ। ମାତ୍ର ସ୍କୁଲଛୁଟି ପରେ ଘରକୁ ଫେରନ୍ତା ବାଟରେ ଘଟିଥିବା ଦୁର୍ଘଟଣାରେ ଅସୁରା ହାଟସାହି ଗାଁର ୫ଟି ଜୀବନ ଅକାଳରେ ଝଡ଼ି ପଡ଼ିବା ଘଟଣା ଗ୍ରାମବାସୀଙ୍କୁ ଏତେ ଗଭୀର ଭାବେ ଆଘାତ ଦେଇଛି ଯେ ସମସ୍ତେ ଏବେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ନିଜ ନିଜ ପିଲାଙ୍କ ଜୀବନକୁ ଆଉ ଜାତୀୟ ରାଜପଥରେ ବାଜି ଲଗାଇବାକୁ ଚାହୁଁ ନାହାନ୍ତି। ଗାଁର ବାବାଜୀ ବେହେରା କହନ୍ତି, ଏନ୍‌ଏଚ୍‌ ଉପରେ ଆଉ ଭରସା ନାହିଁ। ଯେଉଁଭଳି ବିପଜ୍ଜନକ ଭାବେ ଗାଡ଼ି ଚଳାଚଳ କରୁଛି, ସେଥିରେ ଆମ ପିଲାଙ୍କ ସୁରକ୍ଷାର ଗ୍ୟାରେଣ୍ଟି ଦେବ କିଏ। ଆମେ ଆଉ ଏନ୍‌ଏଚ୍‌ ପାରି ହୋଇ ପିଲାଙ୍କୁ ସ୍କୁଲ ଯିବାକୁ ଦେବୁନି। ଯଦି ଏନ୍‌ଏଚ୍‌ରେ ଓଭରବ୍ରିଜ୍‌ କି ଅଣ୍ଡରପାସ୍‌ ନିର୍ମାଣ ହେବ, ସେମାନେ ସ୍କୁଲ ଯିବେ। ନଚେତ ଏଇ ଗାଁରେ ପିଲାମାନଙ୍କ ପାଇଁ ହାଇସ୍କୁଲ ପ୍ରତିଷ୍ଠା ହେଉ।

ଟ୍ରକ୍‌ ଡାଇଭରକୁ ଖୋଜୁଛି ପୁଲିସ

ଦୁର୍ଘଟଣା ଘଟାଇ ୫ଟି ମୁଣ୍ଡ ନେଇ ଯାଇଥିବା ଧାନ ବୋଝେଇ ଟ୍ରକ୍‌ଟିକୁ ସିନା ଉତ୍ତ୍ୟକ୍ତ ଲୋକେ ଜାଳି ଦେଇଛନ୍ତି, କିନ୍ତୁ ଟ୍ରକ୍‌ ଡ୍ରାଇଭରର ଏଯାଏ ପତ୍ତା ମିଳୁନି। ଦୁର୍ଘଟଣା ଘଟାଇଥିବା ପରେ ଫେରାର୍‌ ହୋଇ ଯାଇଥିବା ଟ୍ରକ୍‌ ଡ୍ରାଇଭର ସମ୍ଭବତଃ ମାଡ଼ ଭୟରେ କେଉଁଠି ଲୁଚି ରହିଛି। ଡ୍ରାଇଭର ଜଣକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବାରୁ ନିୟନ୍ତ୍ରଣ ହରାଇ ଏମିତି ଦୁର୍ଘଟଣା ଘଟାଇଛି ବୋଲି ଲୋକେ କହିଛନ୍ତି। ତେଣୁ କାଳେ ତାତି ହୋଇ ରହିଥିବା ଲୋକଙ୍କ ହାତରେ ଧରା ପଡ଼ିଗଲେ ଲୋକେ କିଛି ଆଇନକୁ ହାତକୁ ନେଇ କିଛି ଅଘଟଣ ଘଟାଇ ବସିବେ, ସେଥିପାଇଁ ରାସ୍ତା ଅବରୋଧ ହଟିବା ମାତ୍ରେ ପୁଲିସ ତା’କୁ ଖୋଜିବ ଆରମ୍ଭ କରିଛି। ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ଅସୁରା ହାଟସାହି ଗାଁକୁ ଯାଇ ତା’କୁ ଖୋଜୁଥିବା ଜଣାପଡ଼ିଛି।

ବଡ଼ ଝିଅ ଚାଲିଗଲା, ସାନ ମରଣମୁହଁରେ

ରାହାଞ୍ଜ ମାର୍କେଟରେ ଅଖା ବେପାର କରୁଥିବା ଏହି ଗାଁର ସୁବାସ ଶାହାଙ୍କ ଦୁଃଖ ଆହୁରି ବଳି ପଡ଼ିଛି। ଆଜିର ମର୍ମନ୍ତୁଦ ଦୁର୍ଘଟଣାରେ ନବମ ଶ୍ରେଣୀରେ ପଢ଼ୁଥିବା ତାଙ୍କ ବଡ଼ ଝିଅ ଶ୍ୱେତା ଆଖି ବୁଜି ଦେଇଥିବାବେଳେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସାନ ଝିଅ ଶୀତଲ ମଧ୍ୟ ଗୁରୁତର ଆହତ ହୋଇଛି। ଅବସ୍ଥା ସଂକଟାପନ୍ନ ହେବାରୁ ଶୀତଲକୁ ଏବେ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି। ଏଭଳି ଆକସ୍ମିକ ଦୁର୍ଘଟଣାରେ ପରିବାରର ସଦସ୍ୟ ଓ ଆତ୍ମୀୟସ୍ୱଜନ ସମସ୍ତେ ସ୍ତବ୍ଧ ହୋଇ ଯାଇଛନ୍ତି। ଶ୍ୱେତାଙ୍କୁ ହରାଇ ତାଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଥିବାବେଳେ ମରଣ ସହ ସଂଗ୍ରାମ କରୁଥିବା ଶୀତଲକୁ ବଞ୍ଚାଇବା ପାଇଁ ପରିବାର ଲୋକେ ଭଗବାନଙ୍କ ଶରଣ ପଶିଛନ୍ତି।

ସ୍କୁଲ୍‌ ପିଲାଙ୍କ ସୁବିଧା ପ୍ରତି ରାଜ୍ୟ ସରକାର ଯତ୍ନବାନ ହୁଅନ୍ତୁ : ନିରଞ୍ଜନ

ଭୁବନେଶ୍ୱର : ଭଦ୍ରକରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସ୍କୁଲ୍‌ ଛାତ୍ରଙ୍କ ବିୟୋଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି। ଏଥି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରି ଶ୍ରୀ ପଟ୍ଟନାୟକ କହିଛନ୍ତି, ରାଜ୍ୟର ବିଭିନ୍ନ ସ୍କୁଲ୍‌ରେ ଏବେ ପିଲାମାନେ ଅସୁରକ୍ଷିତ। ଅଧିକାଂଶ ସ୍କୁଲ୍‌ର ଘର ବିପଦ ସଙ୍କୁଳ ହୋଇପଡ଼ିଛି। ସ୍କୁଲ୍‌ ପରିସର ପରିଷ୍କାର ପରିଚ୍ଛନ୍ନ ରହୁନି। ସବୁ ସ୍କୁଲ୍‌କୁ ସବୁଦିନିଆ ରାସ୍ତା ନାହିଁ। ଛାତ୍ରଛାତ୍ରୀମାନେ ବିପଜ୍ଜନକ ଭାବେ ନଦୀ ପାର ହୋଇ ସ୍କୁଲ୍‌ ଯାଉଛନ୍ତି। ପୁଣି କେଉଁଠି ବାଉଁଶ ପୋଲରେ ଚଢ଼ି ପିଲା ସ୍କୁଲ୍‌ ଯାଉଛନ୍ତି। ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ଆଶ୍ରମ ସ୍କୁଲ୍‌ରେ ଅନ୍ତେବାସୀମାନଙ୍କୁ ସର୍ବନିମ୍ନ ସୁବିଧାସୁଯୋଗ ମିଳୁ ନ ଥିବାରୁ ସେମାନେ ଅନେକ ସମୟରେ ସ୍କୁଲ୍‌ ଓ ହଷ୍ଟେଲ୍‌ ଛାଡ଼ି ପଳାଉଛନ୍ତି। ଛୋଟ ଛୋଟ ପିଲାଙ୍କୁ ଏପରି ବିପଜ୍ଜନକ ଅବସ୍ଥାକୁ ଠେଲି ଦେଇ ରାଜ୍ୟ ସରକାର କେତେଦିନ କେବଳ ଯୋଜନା ପରେ ଯୋଜନା ଘୋଷଣା କରି ରାଜ୍ୟବାସୀଙ୍କୁ ଠକି ଚାଲିଥିବେ ବୋଲି ପିସିସି ସଭାପତି ପ୍ରଶ୍ନ କରିଛନ୍ତି। ସ୍କୁଲ୍‌ ପିଲାଙ୍କ ସୁରକ୍ଷା ଦିଗରେ ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ପଟ୍ଟନାୟକ ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର