କରୋନା ମୁକାବିଲା ପାଇଁ ବିମାନ ବନ୍ଦ, ୫୦ହଜାର ଟିକେଟ୍ ବାତିଲ୍
ଭୁବନେଶ୍ବର : କରୋନା ମୁକାବିଲା ପାଇଁ ଆଜିଠାରୁ ସାରା ଦେଶରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିମାନ ସେବା ବନ୍ଦ ହୋଇଥିବାବେଳେ ଲୋକମାନେ ବି ସ୍ବତଃସ୍ଫୂର୍ତ୍ତ ଭାବେ ଟିକେଟ୍ ବୁକିଂ ବାତିଲ୍ କରୁଛନ୍ତି। ଏପରିକି ଭୁବନେଶ୍ବରରୁ ଦେଶର ବିଭିନ୍ନ ଅଞ୍ଚଳକୁ ଏବଂ ବିଦେଶକୁ ଯିବା ପାଇଁ ଟିକେଟ୍ କରିଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୫୦ହଜାର ଟିକେଟ୍ ବାତିଲ୍ ହୋଇଥିବା ସୂଚନା ମିଳୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବରରୁ ଇଣ୍ଡିଗୋର ୧୦ଟି, ଏୟାର ଇଣ୍ଡିଆର ୬ଟି, ଏୟାର ଏସିଆ ଇଣ୍ଡିଆର ୩ଟି, ଆଲିଆନ୍ସ ଏୟାରର ୨ଟି, ଗୋ ଏୟାରର ୨ଟି, ଏୟାର ଏସିଆର ଗୋଟିଏ ଏବଂ ଭିସ୍ତାରାର ଗୋଟିଏ ବିମାନ ଯାଇଥାଏ। ଏଥିରେ ପ୍ରାୟ ୩ହଜାରରୁ ସାଢ଼େ ତିନି ହଜାର ଯାତ୍ରୀ ଭୁବନେଶ୍ବରରୁ ଯିବାଆସିବା କରନ୍ତି। ହେଲେ କରୋନା ପାଇଁ ଗତ ଦୁଇ ସପ୍ତାହ ହେଲା ଏଠାରୁ ବୁକିଂ ବାତିଲ୍ ହେବାରେ ଲାଗିଛି। ଆଜି ବିମାନ ଉଡ଼ାଣ ବନ୍ଦ ହେବା ପୂର୍ବରୁ ଭୁବନେଶ୍ବରକୁ ବିଭିନ୍ନ ଅଞ୍ଚଳରୁ ବହୁ ଲୋକ ଆସୁଥିଲେ। କିନ୍ତୁ ଏଠାରୁ କମ୍ ଲୋକ ଯାଉଥିଲେ। ୨୧ ଦିନ ପାଇଁ ସାରା ଦେଶରେ ଲକ୍ ଡାଉନ୍ ଘୋଷଣା ହେବା ପରେ ଟିକେଟ୍ ବୁକିଂ ବାତିଲ୍ ହୁ ହୁ ହୋଇ ବଢ଼ିବାରେ ଲାଗିଛି।
ଏବେ ଯେଉଁମାନେ ଏପ୍ରିଲ ୧୫ପର୍ଯ୍ୟନ୍ତ ଟିକେଟ୍ ବୁକିଂ କରିଥିଲେ ସେମାନେ ବାତିଲ୍ କରିବାରେ ଲାଗିଛନ୍ତି। ଟିକେଟ୍ ବାତିଲ୍ ନେଇ ବିଭିନ୍ନ କମ୍ପାନି ଭିନ୍ନ ଭିନ୍ନ ନିୟମ କରିଥିବାରୁ ଯାତ୍ରୀମାନେ ଟିକେଟ୍ ବାତିଲ୍ କରୁଛନ୍ତି। ଅପରପକ୍ଷେ ଏବେ ଏପ୍ରିଲ ୧୩ ପର୍ଯ୍ୟନ୍ତ କୌଣସି ବିମାନ କମ୍ପାନି ବୁକିଂ ରଖୁନଥିବା ଜଣାପଡ଼ୁଛି। ଲକ୍ ଡାଉନ୍ ପାଇଁ ବୁକିଂ ରଖାଯାଉନଥିବା ବିମାନ କମ୍ପାନି ପକ୍ଷରୁ କୁହାଯାଇଛି। ଏପ୍ରିଲ ୧୪ ପରଠାରୁ ବିମାନ କମ୍ପାନି ବୁକିଂ ରଖୁଛନ୍ତି।
ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଲକ୍ ଡାଉନ୍ ଅବଧି କାଳେ ବଢ଼ିବ ସେହି ଆଶଙ୍କାରେ ଲୋକମାନେ ମେ’ ମାସ ପର୍ଯ୍ୟନ୍ତ ବୁକିଂ କରିଥିବା ଟିକେଟ୍ ମଧ୍ୟ ବାତିଲ୍ କରିଦେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବରରୁ ଯିବାକୁ ଥିବା ବିମାନର ପ୍ରାୟ ୫୦ହଜାର ଟିକେଟ୍ ବାତିଲ୍ ହୋଇଥିବା ବିଭିନ୍ନ ବିମାନ କମ୍ପାନିଙ୍କଠାରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ଅଧିକ ଟିକେଟ୍ ବାତିଲ୍ ହେବାର ଅନ୍ୟତମ କାରଣ ହେଲା କେତେକ ବିମାନ କମ୍ପାନି ଆଗୁଆ ଟିକେଟ୍ ବାତିଲ୍ କଲେ କମ୍ ଅର୍ଥ କଟିବ ବୋଲି ନିୟମ କରିଥିବାରୁ ଏବେଠାରୁ ଲୋକ ଟିକେଟ୍ ବାତିଲ୍ କରିଦେଇଛନ୍ତି। ଏପରିକି ଖରା ଛୁଟିରେ ବାହାରକୁ ବୁଲିବାକୁ ଯିବା ଯୋଜନା କରିଥିବା ଲୋକମାନେ ବି ଏବେଠାରୁ ଟିକେଟ୍ ବୁକିଂ ବାତିଲ୍ କରିଦେଉଛନ୍ତି।