‘ଉଡ଼ାନ୍‌’ରେ ଉଡ଼ୁନାହିଁ ବିମାନ, ସପ୍ତାହେ ହେଲା ବନ୍ଦ

ଝାରସୁଗୁଡ଼ା : ରାଜ୍ୟର ଦ୍ବିତୀୟ ଓ ପଶ୍ଚିମ ଓଡ଼ିଶାର ପ୍ରଥମ କୁହାଯାଉଥିବା ଝାରସୁଗୁଡ଼ା ବିମାନ ବନ୍ଦରକୁ ଗତ ସେପ୍ଟେମ୍ବର ୨୨ ତାରିଖ ପ୍ରଧାନମନ୍ତ୍ରୀ ଉଦଘାଟନ କଲେ। ଏବେ କିନ୍ତୁ ଏହି ବିମାନ ବନ୍ଦର ସାରା ପଶ୍ଚିମ ଓଡ଼ିଶାବାସୀଙ୍କୁ ନିରାଶ କରିଛି। ଉଦଘାଟନକୁ ୩ ସପ୍ତାହ ବିତିଯାଇଥିବା ବେଳେ ମାତ୍ର ୪/୫ ଦିନ ଏଠାରୁ ଲୋକଙ୍କୁ ବିମାନ ସେବା ଯୋଗାଇ ଦିଆଯାଇଛି।

ଏୟାର ଓଡ଼ିଶା ପକ୍ଷରୁ ଝାରସୁଗୁଡ଼ା-ରାଞ୍ଚି, ଝାରସୁଗୁଡ଼ା- ଭୁବନେଶ୍ବର ଓ ଝାରସୁଗୁଡ଼ା- ରାୟପୁର ମଧ୍ୟରେ ୧୯ ଜଣିଆ ଛୋଟ ଏୟାର କ୍ରାଫ୍ଟ ଚଳାଚଳ ପାଇଁ ପ୍ରଥମ ପର୍ଯ୍ୟାୟରେ ଡିଜିସିଏ ପକ୍ଷରୁ ବିମାସ ଚଳାଚଳ ସମୟ ସାରଣୀ ପ୍ରକାଶ କରାଯାଇଥିଲା ଓ ଏହା ୨୪ ତାରିଖ ଠାରୁ ଆରମ୍ଭ ହୋଇଥିଲା। ହାୱାଇ ଚପଲ ପିନ୍ଧୁଥିବା ଲୋକଙ୍କୁ ହାୱାଇ ଜାହାଜରେ ବସିବାର ସୁଯୋଗ ଦେବା ଉଦ୍ଦେଶ୍ୟରେ ଉଡ଼େ ଦେଶକି ଆମ୍ ନାଗରିକ ବା ଉଡ଼ାନ ଯୋଜନାର ଶୁଭାରମ୍ଭ କରାଯାଇଥିବା ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ। ଉଡ଼ାନ ଯୋଜନା ପାଇଁ ଝାରସୁଗୁଡ଼ା ଠାରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବ୍ୟବହୃତ ହେଉଥିବା ବିମାନ ବନ୍ଦରକୁ ଚୟନ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହି ବିମାନ ବନ୍ଦରର ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟରେ ବୁଝାମାଣା ହୋଇଥିଲା ଓ ଏଥିରେ ୨ ଶହ ୧୦ କୋଟି ଟଙ୍କା ବିନିଯୋଗ କରାଯାଇ ଜନ ସାଧାରଣଙ୍କ ସେବାରେ ଉତ୍ସର୍ଗ କରାଯାଇଥିଲା। ବିମାନ ବନ୍ଦରକୁ ଦେଖି ଲୋକେ ନାନା କଥା ଆଶା କରିଥିଲେ । ବିମାନ ସେବା ଆରମ୍ଭ ହେଲେ ପଶ୍ଚିମ ଓଡ଼ିଶା ପର୍ଯ୍ୟଟନ, ହୋଟେଲ ଶିଳ୍ପରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିବ ବୋଲି ମଧ୍ୟ ଆକଳନ କରାଗଲା। ନିୟମିତ ବିମାନ ସେବା ଦ୍ବାରା ଏହା ସମ୍ଭବ ମଧ୍ୟ। ମାତ୍ର ଅନିୟମିତ ବିମାନ ସେବା ଏହି ସବୁ ଆଶାରେ ପୂର୍ଣ୍ଣଛେଦ ପକାଇ ଦେଇଛି।

ଗତ ସପ୍ତାହେ ହେଲା ଏୟାର ଓଡ଼ିଶାର ବିମାନ ଆଉ ଉଡ଼ୁନାହିଁ। ବିମାନ ବନ୍ଦର କର୍ତୃପକ୍ଷ ଖାଲି ବିମାନ ବନ୍ଦର ନେଇ ବସି ଯାଇଛନ୍ତି। ବିନା ବିମାନ ସେବାରେ ଏହି ବିମାନ ବନ୍ଦର ଏବେ ଲୋକଙ୍କ ଅମୋଦର କେନ୍ଦ୍ର ବିନ୍ଦୁ ପାଲଟିଯାଇଛି। ବିମାନ ବନ୍ଦର ଭିତରକୁ ଯିବା ପାଇଁ ଜଣ ପିଛା ୫୦ ଟଙ୍କା ଆଦାୟ କରାଯାଉଥିବା ବେଳେ ଗାଡ଼ି ପାର୍କିଂ ପାଇଁ ଟଙ୍କା ଆଦାୟ କରାଯାଉଛି। ବିମାନ ସେବା ବନ୍ଦ ସଂପର୍କରେ ଏୟାର ଓଡ଼ିଶା ସହିତ ଯୋଗାଯୋଗ କରାଯିବାରୁ ଜଣାଯାଇଛି ଯେ, ବୈଷୟିକ ସମସ୍ୟା ଯୋଗୁଁ ବିମାନ ଉଡ଼ାଣ ବନ୍ଦ ଅଛି। ଡିଜିସିଏ ପ୍ରକାଶ କରିଥିବା ଗ୍ରୀଷ୍ମ ଦିନର ସମୟସାରଣୀ ଗତ ଅକ୍ଟୋବର ୫ ତାରିଖରେ ସଂପୂର୍ଣ୍ଣ ହୋଇଯାଇଛି। ଏବେ ଶୀତକାଳୀନ ସମୟ ସାରଣୀ ପ୍ରକାଶ କଲାପରେ ବିମାନ ସେବା ପୁଣି ଆରମ୍ଭ ହେବ। ଏହି ସମୟ ସାରଣୀ ଏଟିସି ଓ ଏୟାର ଓଡ଼ିଶା ବୈଷୟିକ ସଂସ୍ଥାକୁ ପ୍ରଦାନ କରାଗଲା ପରେ ସମ୍ଭବତଃ ସୋମବାର ଠାରୁ ବିମାନ ଦେବା ଆରମ୍ଭ ହୋଇ ପାରେ ବୋଲି କହିଥିଲେ ଏୟାର ଓଡ଼ିଶାର ଲୋକ ସଂପର୍କ ଅଧିକାରୀ।

ସମ୍ବନ୍ଧିତ ଖବର