୨୨ରେ ବିମାନସେବା କମ୍ପାନି ସିଇଓଙ୍କ ସହ ବୈଠକ : ଭୁବନେଶ୍ବରରେ ହେବାକୁ ଥିବା ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିବେ

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଜୟପୁର ଏୟାରଷ୍ଟ୍ରିପ୍‌ ରନ୍‌ୱେ ଯାଞ୍ଚ ପାଇଁ ଆସିଛନ୍ତି ଡିଜିସିଏ ଟିମ୍‌

ଭୁବନେଶ୍ବର : ରାଜ୍ୟରେ ଆଞ୍ଚଳିକ ବିମାନ ସଂଯୋଗୀକରଣ କ୍ଷେତ୍ରରେ ଅଧିକରୁ ଅଧିକ ବିମାନସେବା କମ୍ପାନିଙ୍କୁ ଆକୃଷ୍ଟ କରିବା ପାଇଁ ଆସନ୍ତା ୨୨ ତାରିଖରେ ଭୁବନେଶ୍ବରରେ ହେବ ବିମାନସେବା ପ୍ରଦାନକାରୀ କମ୍ପାନି ସିଇଓଙ୍କ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛି। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଉଡ଼ାଣ ଯୋଜନାରେ ରାଜ୍ୟରେ ଆଉ କେତୋଟି ନୂଆ ବିମାନବନ୍ଦର ପ୍ରତିଷ୍ଠା ହେବ ସେ ନେଇ ସିଓଙ୍କ ସହ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ସବିଶେଷ ନିଷ୍ପତ୍ତି ନିଆଯିବ ବୋଲି ସରକାର ଯୋଜନା ରଖିଛନ୍ତି।

ଗୁରୁବାର ପ୍ରସ୍ତୁତି ବୈଠକ ସମ୍ପର୍କରେ ସୂଚନା ଦେଇ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଶାସନ ସଚିବ ମନୋଜ କୁମାର ମିଶ୍ର କହିଥିଲେ, ଭୁବନେଶ୍ବର, ଝାରସୁଗୁଡ଼ା, ଜୟପୁର ଓ ରାଉରକେଲା ବିମାନବନ୍ଦରର ବିକାଶ ସମେତ ଆଉ କେଉଁ ବିମାନବନ୍ଦର ସହ ଯୋଗାଯୋଗ କରାଯାଇପାରିବ ସେ ନେଇ ରାଜ୍ୟ ସରକାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିବେ। ସରକାରୀ ଓ ବେସରକାରୀ ବିମାନସେବା ପ୍ରଦାନକାରୀ କମ୍ପାନିର ସିଇଓମାନଙ୍କୁ ରାଜ୍ୟର ବିଭିନ୍ନ ବିମାନଷ୍ଟ୍ରିପ୍ ଓ ନୂତନ ବିମାନବନ୍ଦର ପ୍ରତିଷ୍ଠା ନେଇ ଅବଗତ କରାଯିବ। ଜୟପୁର ଏୟାରଷ୍ଟ୍ରିପ୍‌ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମିଶ୍ର କହିଥିଲେ, ଏବେ ଡିଜିସିଏର ଏକ ଟିମ୍‌ ଏୟାରଷ୍ଟ୍ରିପ୍‌ର ରନ୍‌ୱେ ଯାଞ୍ଚ କରିବା ପାଇଁ ଜୟପୁର ଗସ୍ତ କରିଛନ୍ତି। ଏୟାରଷ୍ଟ୍ରିପ୍‌ କାର୍ଯ୍ୟକ୍ଷମ କରିବା ପାଇଁ ଚଳିତମାସ ଶେଷସୁଦ୍ଧା ଲାଇସେନ୍‌ସ ପାଇଁ ଆବେଦନ କରାଯିବ।

ସମ୍ବନ୍ଧିତ ଖବର