୫ ଦିନ ପରେ ବିମାନ ଉଡ଼ିଲା

ଝାରସୁଗୁଡ଼ା : ଉଦ୍‌ଘାଟନର ୫ ଦିନ ପରେ ଆଜି ଝାରସୁଗୁଡ଼ା ବିମାନ ବନ୍ଦରରୁ ଦୁଇଟି ବିମାନ ଉଡ଼ିଛି। ନିଦ୍ଧାର୍ରିତ ସମୟର ବହୁ ବିଳମ୍ବରେ ଭୁବନେଶ୍ବରରୁ ଝାରସୁଗୁଡ଼ା, ଝାରସୁଗୁଡ଼ାରୁ ରାୟପୁର, ରାୟପୁରରୁ ଝାରସୁଗୁଡ଼ା ଓ ଝାରସୁଗୁଡ଼ାରୁ ଭୁବନେଶ୍ବର ଅଭିମୁଖେ ବିମାନ ଚଳାଚଳ ହୋଇଥିଲା। ଆଜି ବିମାନ ଏଠାରେ ପହଞ୍ଚିବା ପରେ ପରେ ଏଠାରୁ ରାୟପୁର ଯାତ୍ରା କରିଥିଲା। ରାୟପୁରକୁ ୪ ଜଣ ଯାତ୍ରୀ ଝାରସୁଗୁଡ଼ାରୁ ଯାତ୍ରା କରିଥିଲେ। ସେହିପରି ରାୟପୁରରୁ ଝାରସୁଗୁଡ଼ାକୁ ୩ ଜଣ ଯାତ୍ରୀ ଆସିଥିଲେ। ସନ୍ଧ୍ୟାରେ ଭୁବନେଶ୍ବର ବିମାନରେ ୮ ଜଣ ଯାତ୍ରା କରିଥିବା ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଠାରୁ ପ୍ରକାଶ। ତେବେ ଭୁବନେଶ୍ବରରୁ ଝାରସୁଗୁଡ଼ାକୁ କେତେ ବିମାନ ଯାତ୍ରୀ ଆସିଲେ ତାର ହିସାବ ବିମାନବନ୍ଦର ନିର୍ଦ୍ଦେଶକ ସଠିକ କହିପାରିନଥିଲେ। ଏପଟେ ଏୟାର ଓଡ଼ିଶାରେ କାର୍ଯ୍ୟ କରୁଥିବା ଭେନେଜୁଏଲାର ଜଣେ ପାଇଲଟ ରୁବେନ୍ କଲ୍ ୪ ମାସ ହେଲା ଦରମା ନପାଇ ଭାରତୀୟ ବିମାନ ପ୍ରାଧିକରଣ ଭୁବନେଶ୍ବର ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି। ଅର୍ଥାଭାବରୁ ସ୍ବଦେଶ ଫେରିପାରୁ ନାହାନ୍ତି। ରୁବେନ ପରି ଅନ୍ୟ ୩ ଜଣ ପାଇଲଟ୍ ମଧ୍ୟ ଦରମା ପାଇ ସ୍ବଦେଶ ଫେରିଯାଇଛନ୍ତି। ଏୟାର ଓଡ଼ିଶା ଠାରୁ ଠକାମୀର ଶିକାର ହୋଇଥିବା ଲେଖାଥିବା ପ୍ଲାକାର୍ଡ଼ ଧରି ରୁବେନ୍ ଧାରଣା ଦେଇଥିବା ବେଳେ ୩ ପାଇଲଟ ସ୍ବଦେଶ ଫେରି ଯାଇଥିବାରୁ ଝାରସୁଗୁଡ଼ା ଏୟାର ପୋର୍ଟରୁ ବିମାନ ସେବାରେ ବିଳମ୍ବ ଘଟୁଥିବା କୁହାଯାଉଛି।

ସମ୍ବନ୍ଧିତ ଖବର